ମହାରାଷ୍ଟ୍ରରେ ପୁଣି ଧାର୍ମିକ ହିଂସା, ୩୫ ବର୍ଷିୟ ମୁସଲିମ୍ ଧର୍ମଗୁରୁଙ୍କୁ ଗୁଳିକରି ହତ୍ୟା

2,152

କନକ ବ୍ୟୁରୋ : ଦେଶ ସମସ୍ତ ମୌଳିକ ସମସ୍ୟା ଉପରେ ଏବେ ଭାରି ପଡୁଛି ଧାର୍ମିକ ହିଂସା । ଭୋକ, ରୋଜଗାର, ସ୍ୱାସ୍ଥ୍ୟ ଭଳି ଅନେକ ସମସ୍ୟା ନାଗରିକଙ୍କ ଜୀବନ ଜୀବିକା ଆଗରେ ପ୍ରତିବନ୍ଧକ ହୋଇ ଠିଆ ହୋଇଥିବା ବେଳେ ଧର୍ମ ନାମରେ ଏବେ ଦେଶରେ ଯାହା ଚାଲିଛି ତାହାର ଫଳାଫଳ କେବଳ ହତ୍ୟା ବୋଲି ପ୍ରତିଫଳିତ ହେଉଛି । କହ୍ନେୟାଲାଲ, ମହାରାଷ୍ଟ୍ରର ଔଷଧ ବ୍ୟବସାୟୀଙ୍କ ପରେ ପୁଣି ସେହି ମହାରାଷ୍ଟ୍ରର ନାସିକ ଠାରେ ଥିବା ଏକ ମସଜିଦର ଜଣେ ଧର୍ମଗୁରୁଙ୍କୁ କେହି ଗୁଳିକରି ହତ୍ୟା କରିଛନ୍ତି ।

ସୂଚନା ମୁତାବକ ମହାରାଷ୍ଟ୍ର ନାସିକ ଜିଲ୍ଲା ୟବଲା ଠାରେ ୩୫ ବର୍ଷିୟ ମୁସଲିମ ଧର୍ମଗୁରୁ ଖ୍ୱାଜା ସୟଦ ଚିସ୍ତି ନାମକ ଜଣେ ଧର୍ମଗୁରୁଙ୍କୁ ଗୁଳି କରି ହତ୍ୟା କରାଯାଇଛି । ହେଲେ ହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସର କହିବା ମୁତାବକ ୪ ଜଣ ମିଶି ଚିସ୍ତିଙ୍କୁ ହତ୍ୟା କରିଛନ୍ତି । ମୁମ୍ବାଇରୁ ପାଖାପାଖି ୨୦୦ କିଲୋମିଟର ଦୂର ୟବଲା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ଗୁଳି ଘଟଣାର ସୂଚନା ପାଇବା ପରେ ପୋଲିସ ତୁରନ୍ତ ସେଠାରେ ପହଂଚି ଚିସ୍ତାଙ୍କୁ ମେଡିକାଲ ନେଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ପୋଲିସ କହିଛି କି ହତ୍ୟାକାରୀମାନେ ଗୁଳି ମାରିବା ପରେ ଚିସ୍ତାଙ୍କ କାର ମଧ୍ୟ ନେଇଯାଇଛନ୍ତି ।