କନକ ବ୍ୟୁରୋ : ବାରଣାସୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଫିରୋଜ୍ ଖାନଙ୍କ ନିଯୁକ୍ତିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଜଣେ ମୁସଲିମ୍ ଶିକ୍ଷକ, ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ପଢ଼ାଇ ପାରିବ କି ନାହିଁ, ତାକୁ ନେଇ ଚର୍ଚ୍ଚା ହେଉଛି । ଆଉ ଠିକ୍ ଏତିକି ବେଳେ ଓଡ଼ିଶାର ଦୁଇଟି ପଛୁଆ ଜିଲ୍ଲାରୁ ଏମିତି ଏକ ଖବର ଆସିଛି, ଯାହା ବାରଣାସୀକୁ ଏକ ବଡ଼ ବାର୍ତ୍ତା ଦେଉଛି । କୁନି କୁନି ପିଲାଙ୍କୁ ସଂସ୍କୃତ ପଢ଼ାଉଛନ୍ତି ଦୁଇ ଜଣ ମୁସଲିମ୍ ମହିଳା ଶିକ୍ଷୟତ୍ରୀ । ଆଉ ତାଙ୍କ ପାଠପଢ଼ା ଶୈଳୀକୁ ବେଶ ପ୍ରଶଂସା କରୁଛନ୍ତି ସ୍ଥାନୀୟ ବାସିନ୍ଦା ।
ହନୁମାନ ଚାଲିଶାଠୁ ଆରମ୍ଭ କରି ଗଣେଶ ବନ୍ଦନା । ଏମିତି କି ମୁହଁରେ ମୁହଁରେ ରହିଛି ଭାରତ ବନ୍ଦନା । କୁନି କୁନି ପିଲାଙ୍କୁ ବେଶ ଆଗ୍ରହରେ ସଂସ୍କୃତ ଭାଷା ବଢ଼ାଉଥିବା ଏହି ଶିକ୍ଷୟତ୍ରୀ ଜଣକ ହେଉଛନ୍ତି ସଲମା ଆଜମି ବାନୁ । ସଲମା ଏବେ ନବରଙ୍ଗପୁର ଜିଲ୍ଲା ଡାବୁଗାଁର ସରସ୍ୱତୀ ଶିଶୁ ମନ୍ଦିର ଭଳି ଅନୁଷ୍ଠାନରେ ଶିକ୍ଷାଦାନ କରୁଛନ୍ତି । ସଲମାଙ୍କ ପାଠ ପଢ଼ାଇବାକୁ ନେଇ ଏଠି କାହାର ଆପତି ନାହିଁ, ବରଂ ଅଛି, ଗୁରୁଜନଙ୍କ ଶ୍ରଦ୍ଧା ଏବଂ ଛାତ୍ରଛାତ୍ରୀଙ୍କ ଭଲ ପାଇବା ।
ଶିଶୁ ମନ୍ଦିରକୁ ସେ ଯେତେବେଳେ ପ୍ରଥମ କରି ଆସିଥିଲେ, ତାଙ୍କ ରୁଚି ଅନୁସାରେ ପିଲାଙ୍କୁ ପଢ଼ାଇବା ପାଇଁ ବିଷୟ ବାଛିବାକୁ କୁହାଯାଇଥିଲା । ଆଉ ସଲମା ବାଛିଥିଲେ ସଂସ୍କୃତ ବିଷୟ । ସ୍କୁଲର ପ୍ରଧାନଆଚାର୍ଯ୍ୟ କୁହନ୍ତି-ସଲମା ସଂସ୍କୃତ ପଢ଼ାଇବା ଆରମ୍ଭ କରିବା ଦିନଠାରୁ ପିଲା ସଂସ୍କୃତ ଭାଷାରେ ଭଲ ମାର୍କ ରଖୁଛନ୍ତି ।
ଆଉ ଜଣେ ମହିଳା ଶିକ୍ଷୟତ୍ରୀଙ୍କ ପାଠପଢ଼ାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା । ହସନ ତାରା । ହସନ୍ ତାରା ବି ଜଣେ ସଂସ୍କୃତ ଶିକ୍ଷୟତ୍ରୀ । ଦେବଗଡ଼ ଜିଲ୍ଲା ଖଇରାପାଲି ଉଚ୍ଚ ବିଦ୍ୟାଳୟର ଅନ୍ୟତମ ଛାତ୍ରବତ୍ସଳ ଶିକ୍ଷୟତ୍ରୀ । ୧୯୯୩ ମସିହାରେ ରିଆମାଳ ବ୍ଲକର ଖଇରାପାଲି ହାଇସ୍କୁଲରେ ସଂସ୍କୃତ ଶିକ୍ଷୟତ୍ରୀ ଭାବେ ଯୋଗ ଦେଇଥିଲେ । ଆଜି ପର୍ଯ୍ୟନ୍ତ ସେ, ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ଭାଷାର ଶିକ୍ଷାଦାନ ଦେଇ ସଂସ୍କୃତ ଭାଷାର ପ୍ରଚାର-ପ୍ରସାର ଜାରି ରଖିଛନ୍ତି ।
ହସନ ହେଉଛନ୍ତି ଉତ୍ତରପ୍ରଦେଶର ମୂଳବାସିନ୍ଦା । ରେଙ୍ଗାଲି ଡ୍ୟାନ ନିର୍ମାଣ ସମୟରେ ପରିବାର ଲୋକ ଓଡ଼ିଶା ଚାଲିଆସିଥିଲେ । ହସନ ତାରା ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତ ଭାଷାରେ ସ୍ନାତକ ଏବଂ ସ୍ନାତକୋତର ଡିଗ୍ରୀ ହାସଲ କରିଛନ୍ତି । ହସନ ତାରା ହୁଅନ୍ତୁ ବା ସଲମା ଆଜମି, ଏମାନେ ହେଉଛନ୍ତି ଉଦାରବାଦର ଜଣେ ଜଣେ ଜୀବନ୍ତ ଉଦାହରଣ ।