ଭାଇଚାରାର ଅନନ୍ୟ ଉଦାହରଣ : ବିିବାହରେ ଶିଖ୍ ପଗଡି ପିନ୍ଧି ସାଂପ୍ରଦାୟିକ ସଦଭାବନାର ସନ୍ଦେଶ ଦେଲେ ମୁସଲିମ୍ ଯୁବକ , ଅବଦୁଲଙ୍କ ପାଖକୁ ଛୁଟି ଆସିଲା ପ୍ରଶଂସାର ସୁଅ ।

207

ଭାଇଚାରାର ଦେଶ ହେଉଛି ଭାରତବର୍ଷ । କୌଣସି ଭୁଲବୁଝାମଣାକୁ ନେଇ ଏଠାରେ ଦଙ୍ଗା , ହିଂସା ଭଳି ପରିସ୍ଥିତି ସୃଷ୍ଟି ହେଲେ ମଧ୍ୟ ଭାଇଚାରାର ନିଚ୍ଛକ ଉଦାହରଣ ଦେବାରେ ଭାରତବାସୀଙ୍କ ସନ୍ଦେହ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଦେବାକୁ ଯାଉଛୁ ଯାହାକୁ ପଢି ଆପଣ ମଧ୍ୟ ବାଃ ବାଃ କହିଉଠିବେ । ପଞ୍ଜାବର ଗିଦଡ଼ବାହାର ଅବଦୁଲ୍ ହକିମ୍ ନିଜ ବିବାହ (ନିକ୍କାହ) ରେ ପଞ୍ଜାବୀ ପଗଡି ପିନ୍ଧି ବିବାହ କରିଛନ୍ତି ।

ଶିଖ୍ ଭାଇମାନଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଅବଦୁଲ୍ ପଗଡି ପିନ୍ଧିଥିବା କଥା କୁହନ୍ତି । କିଛି ଦିନ ପୂର୍ବରୁ ଦଙ୍ଗାର ନିଆଁରେ ଦିଲ୍ଲୀ ଜଳିଥିଲା । ଯେଉଁଥିରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଥିଲା । ଏଭଳି ସମୟରେ ମୁସଲିମ୍ ଭାଇଭଉଣୀମାନଙ୍କୁ ସାହାଯ୍ୟର ହାତ ବଢାଇ , ଶରଣ ଏବଂ ଖାଦ୍ୟପେୟ ଯୋଗାଇଦେଇ ମାନବତାକୁ ବଂଚାଇ ରଖିଥିଲେ ଶିଖ୍ ସଂପ୍ରଦାୟର ଲୋକ । ଶିଖ୍ ଭାଇଙ୍କ ଏହି ମହତ୍ କାମ ପାଇଁ ଅବଦୁଲ୍ ନିକାହରେ ପଗଡି ପିନ୍ଧି ଧନ୍ୟବାଦ ଜଣାଇଥିଲେ । ଏଭଳି କାମ ପାଇଁ ଅବଦୁଲ ମଧ୍ୟ ପ୍ରଶଂସାର ପାତ୍ର ପାଲଟିଛନ୍ତି ।

ମାର୍ଚ୍ଚ ୧ ତାରିଖରେ ଏହି ନିକାହ ହୋଇଥିଲା । ତେବେ ଏହି ବିବାହରେ ଖାଲି ବର ନୁହଁ ବରର କିଛି ବନ୍ଧୁବାନ୍ଧବ ମଧ୍ୟ ପଗଡି ପିନ୍ଧିଥିବାର ନଜର ଆସିଥିଲେ । ଅବଦୁଲଙ୍କ ଶ୍ୱଶୁର ସଲିମ୍ ଖାନ୍ କହିଥିଲେ , ମୋ ଜ୍ୱାଇଁ ସାଂପ୍ରଦାୟିକ ସଦଭାବନାର ସନ୍ଦେଶ ଦେଉଛନ୍ତି । ଜଣେ ସଚ୍ଚା ମୁସଲମାନ୍ ଖାଲି ତାର ଟୋପିରୁ ନୁହଁ , ତାର ସଚ୍ଚୋଟତା ଏବଂ ମଣିଷପଣିଆରୁ ଜଣାପଡିଥାଏ ।