କନକ ବ୍ୟୁରୋ : ଜଗନ୍ନାଥଙ୍କ ମୁସଲମାନ ଭକ୍ତ । ଯାହାଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଚର୍ଚ୍ଚା ହେବନି ବା କେମିତି ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଯେତେବେଳେ ସେ ସହଯୋଗର ହାତ ବଢାଇଛନ୍ତି ଜଗନ୍ନାଥପ୍ରେମୀ ତାଙ୍କୁ ପ୍ରଂଶସା କରିବେନି କେମିତି । ଏମିତିରେ ତ ଜଗନ୍ନାଥ ହେଉଛନ୍ତି ଜଗତର ଠାକୁର । ଯାହାଙ୍କ ପାଖରେ ଜାତି, ଧର୍ମର କିଛି ମାନେ ନଥାଏ । କେବଳ ଭକ୍ତର ଭାବ ହିଁ ସେ ବୁଝିପାରନ୍ତି । ସେଥିପାଇଁ ତ ସିଏ ଭାବ ବିନୋଦିଆ । ଆଉ ସେହି ଭାବବିନୋଦିଆ କାଳିଆ ଠାକୁରଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଉ ଦିନ କେଇଟା ପରେ । ଯେଉଁଥିପାଇଁ ଏବେ ଜୋରସୋରରେ ଚାଲିିଛି ରଥକାମ । ଆଉ ଏହି ରଥ ନିର୍ମାଣ ପାଇଁ ଏବେ ସହଯୋଗର ହାତ ବଢାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଖଜୁରିପଡାର ଗ୍ରାମର ଶାହାଜୁଦ୍ଦିନ ଖାଁ । ନିଜ ବାଡିରେ ଥିବା ୫୦ ବର୍ଷ ତଳର ଗଛକୁ ମହାପ୍ରଭୁଙ୍କ ରଥକାମ ପାଇଁ ଦାନ କରି ସେ ଏବେ ଚର୍ଚ୍ଚାକୁ ଆସିଛନ୍ତି ।

Advertisment

ଆଉ ଏନେଇ ଶାହାଜୁଦ୍ଦିନ କହିଛନ୍ତି, ଶ୍ରୀଜଗନ୍ନାଥ ଆମର ଦେବତା। ଏହି ରାଜ୍ୟର ପାଣିପବନ ସବୁ ତାଙ୍କର। ଆମେ ଜଗନ୍ନାଥ ଦେଶର ଲୋକ। ଆମର ଯାହା କିଛି ଅଛି, ସବୁ ସେଇ ପ୍ରଭୁ ଜଗନ୍ନାଥଙ୍କର। ବାହାରକୁ ଗଲେ ଜାତି ଧର୍ମ ନିର୍ବିଶେଷରେ ଆମକୁ ‘ଜଗନ୍ନାଥଙ୍କ ଦେଶର ଲୋକ’ ବୋଲି ଜାଣୁଛନ୍ତି। ସମ୍ମାନ ଦିଅନ୍ତି । ଏଣୁ ଜଗନ୍ନାଥଙ୍କ ପାଇଁ ଗଛ କ’ଣ, ଆବଶ୍ୟକ ପଡ଼ିଲେ ନିଜର ରକ୍ତ ଦେବାକୁ ମଧ୍ୟ ପ୍ରସ୍ତୁତ । ଏହାସହ ପୂରା ପରିବାର ତାଙ୍କର ଜଗନ୍ନାଥଙ୍କ ବିଭିନ୍ନ ରୀତିନୀତି ଟିଭିରେ ଦେଖିଥାନ୍ତି । ରଥଯାତ୍ରା ମଧ୍ୟ ଦେଖିବାକୁ ଭଲପାଆନ୍ତି ।

ଶାହାଜୁଦ୍ଦିନ  କହିଛନ୍ତି, ଅକ୍ଷୟ ତୃତୀୟା ଦିନ ପ୍ରଥମେ ବନ ବିଭାଗର କର୍ମଚାରୀ ମୋତେ ଫୋନ୍ କରିଥିଲେ । ବାଡିରେ ଥିବା ଗଛ ଦାନ କରିବାକୁ କହିଥିଲେ । କାହାକୁ ଦାନ କରିବି ବୋଲି ପଚାରିବାରୁ ମୋତେ ଜଗନ୍ନାଥଙ୍କ ପାଇଁ ଦାନ କରିବାକୁ କହିଥିଲେ । ଆଉ ମହାପ୍ରଭୁ ଜଗନ୍ନାଥଙ୍କ ନାଁ ଶୁଣିବା ମାତ୍ରେ ଆଉ କିଛି ଭାବିନଥିଲି । ବାଡିରୁ ଆସି ଗଛ ନେବାକୁ କହିଥିଲି । ଆଉ ଗତକାଲି ବନବିଭାଗର ଏକ ଟିମ୍ ଆସି ଗଛ କାଟି ନେଇଛନ୍ତି ।  ଯାହା ଏଠାରେ ଅଛି ସବୁ ଜଗନ୍ନାଥଙ୍କର। ଏଣୁ ଆମେ କ’ଣ ଦେଇଛୁ, ତାଙ୍କର ଜିନିଷ ତାଙ୍କ ପାଇଁ ଲାଗିଛି ବୋଲି ଶାହାଜୁଦ୍ଦିନ  ଖାଁ କହିଛନ୍ତି।