କନକ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବ୍ୟବହାର ଲାଗି ଜଣେ ମୁସଲ୍ମାନ୍ ବ୍ୟକ୍ତି ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଶାରଦା ପୀଠ କୁଣ୍ଡରୁ ପବିତ୍ର ଜଳ ସଂଗ୍ରହ କରି ଇଂଲଣ୍ଡ୍ ବାଟ ଦେଇ ଭାରକୁ ପଠାଇଛନ୍ତି।
‘ସେଭ୍ ଶାରଦା କମିଟି କଶ୍ମୀର’ର ସଂସ୍ଥାପକ ରବୀନ୍ଦ୍ର ପଣ୍ଡିତ କହିଛନ୍ତି, ୨୦୧୯ ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣ ଓ ତା’ ପରେ ବାଲାକୋଟ୍ ଏୟାର୍ଷ୍ଟ୍ରାଇକ୍ ଘଟଣା ସମୟରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଡାକସେବା ବନ୍ଦ ହୋଇଯାଇଛି। ତେଣୁ, ଉକ୍ତ ପବିତ୍ର ଜଳ ବିଭିନ୍ନ ଦେଶ ଦେଇ ଭାରତରେ ପହଞ୍ଚିଛି। ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଶାରଦା ପୀଠର ଶାରଦା କୁଣ୍ଡରୁ ପବିତ୍ର ଜଳ ସଂଗ୍ରହ କରିଥିଲେ ତନବୀର ଅହମଦ୍ ଓ ତାଙ୍କ ଦଳ। ବାସ୍ତବ ନିୟନ୍ତ୍ରଣ ରେଖା ସେପାରିରେ ଥିବା ଆମ ‘ସିଭିଲ୍ ସୋସାଇଟି ମେମ୍ବର୍’ମାନେ ସେ ଜଳକୁ ଇସ୍ଲାମାବାଦ ନେଇଥିଲେ। ସେଠାରୁ ସେ ଜଳକୁ ଇଂଲଣ୍ଡ୍ରେ ଥିବା ତନବୀରଙ୍କ ଝିଅ ମଗ୍ରିବିଙ୍କ ପାଖକୁ ପଠାଯାଇଥିଲା। ମଗ୍ରିବି ସେ ଜଳକୁ କଶ୍ମୀର ପଣ୍ଡିତ ସାମାଜିକକର୍ମୀ ସୋନାଲ୍ ଶେର୍ଙ୍କୁ ଦେଇଥିଲେ। ସୋନାଲ୍ ୨୦୨୩ ଅଗଷ୍ଟରେ ଅହମଦାବାଦ ଆସିଥିଲେ। ସେଠାରୁ ସେ ଦିଲ୍ଲୀକୁ ଆସି ମତେ ଉକ୍ତ ଜଳ ଦେଲେ। ‘ସେଭ୍ ଶାରଦା କମିଟି କଶ୍ମୀର’ର ସଦସ୍ୟ ମଞ୍ଜୁନାଥ ଶର୍ମା ଉକ୍ତ ପବିତ୍ର ଜଳକୁ ବିଶ୍ବ ହିନ୍ଦୁ ପରିଷଦ୍ ନେତାମାନଙ୍କୁ ହସ୍ତାନ୍ତର କରିବା ପରେ ସେ ତାହାକୁ ଶନିବାର ଦିନ ଅଯୋଧ୍ୟାରେ ଥିବା ବରିଷ୍ଠ କର୍ମକର୍ତ୍ତା କୋଟେଶ୍ବର ରାଓଙ୍କୁ ପ୍ରଦାନ କରିଛନ୍ତି। ୧୯୪୮ ମସିହାରୁ ଶାରଦା ସର୍ବଜ୍ଞାନ ପୀଠ ଭାରତୀୟଙ୍କ ପାଇଁ ଅପହଞ୍ଚ ଇଲାକା ହୋଇଯାଇଛି।
Follow Us