ପ୍ରଥମେ ମନ୍ଦିରରେ ମୁଣ୍ଡିଆ ମାରିଲେ ପରେ ମସଜିଦରେ ନମାଜ୍ ପାଠ କଲେ! ଭାଇଚାରାର ଉଦାହରଣ ଦେଲେ ନାହନବାସୀ ।

40

ସର୍ବଧର୍ମକୁ ସମ୍ମାନ ଦେଉଥିବା ଦେଶ ହେଉଛି ଭାରତ । ହିନ୍ଦୁ-ମୁସଲିମ୍ ଭାଇ ଭାଇ ନାରା ଯେଉଁଠାର ପ୍ରାଣବିନ୍ଦୁ । ବେଳେବେଳେ ଭାରତର କିଛି ସ୍ଥାନରେ ଏଭଳି କିଛି ଘଟଣା ଘଟେ ଯେଉଁଥିରେ ପ୍ରତିଥର ଏହି କଥାର ସତ୍ୟତା ଦେଖିବାକୁ ମିଳେ । ଏଭଳି ଏକ ଘଟଣା ଘଟିଛି ଦେବଭୂମି ହିମାଚଳର ନାହନ ସହରରେ । ଶୁକ୍ରବାର ଏହି ସହରର ମୁସଲମାନ୍ ଭାଇମାନେ ପ୍ରଥମେ ସେଠାକାର ଜଗନ୍ନାଥ ମନ୍ଦିରରେ ବାମନ ଦ୍ୱାଦଶୀ ପର୍ବ ପାଳନ କରିବା ପରେ ମହରମ୍ ପର୍ବ ପାଳନ କରିଥିଲେ ।

୩୫ ବର୍ଷ ପରେ ଉଭୟ ମହରମ୍ ଏବଂ ବାମନ ଦ୍ୱାଦଶୀ ପର୍ବ ଗୋଟିଏ ଦିନରେ ପଡିବା କାରଣରୁ ମୁସଲିମ୍ ସଂପ୍ରଦାୟର ଲୋକମାନେ ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରିସାରିବା ପରେ ମସଜିଦରେ ନମାଜ୍ ପଢିଥିଲେ । ପ୍ରତିବର୍ଷ ମୁସଲିମ୍ ସମୁଦାୟର ଲୋକମାନେ ଭଗବାନ ଜଗନ୍ନାଥଙ୍କ ପାଲିଙ୍କିକୁ ସ୍ୱାଗତ ଜଣାଇବା ପାଇଁ ଥା’ନ୍ତି । ମନ୍ଦିରରେ ଜଗନ୍ନାଥ କମିଟିର ସଦସ୍ୟମାନେ ମୁସଲିମ୍ ଭାଇମାନଙ୍କ ସ୍ୱାଗତ ଖୁବ୍ ଜାକଜମକରେ କରିଥାନ୍ତି । ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ମୁସଲିମ୍ ଭାଇମାନେ ମସଜିତ୍ ଯାଇ ସେଠାରେ ନମାଜ୍ ପାଠ କରିଥିଲେ । ଏହି ସହର ଭାଇଚାରାର ଅପୂର୍ବ ମିଳନକୁ ଦର୍ଶାଇଥାଏ ।