କନକ ବ୍ୟୁରୋ : ଦେଶରେ ମନ୍ଦିର ଓ ମସଜିଦ ନାମରେ ଲଢେଇ ଚାଲିଛି । ହିଜାବ ଓ ଓଢଣୀ ମାମଲା ବି କୋର୍ଟରେ ଗଡୁଛି । ଜୟ ଶ୍ରୀରାମ ଓ ଆଲ୍ଲା ଓ ଆକବର ନାମରେ କେଉଁଠି କେଉଁଠି ମୁଣ୍ଡ ଗଡୁଛି ତ ପୁଣି ରାସ୍ତାରେ ମୁସଲିମ ନମାଜ ପଢୁଛି ଆଉ ହନୁମାନ ଚାଳିଶା ପଢିବାକୁ ନେଇ ସାଂସଦ ନବନୀତ ରାଣା ଜେଲ ଯାଉଛି । ହେଲେ ଆମେ ଯେଉଁ ଖବର ଆପଣଙ୍କୁ ଦେବାକୁ ଯାଉଛୁ ଏ ଖବର ପଢିବା ପରେ ଆପଣ ଭାବିବାକୁ ବାଧ୍ୟ ହେବେ ଯେ ଧର୍ମ ନାମରେ ଦେଶରେ ଲାଗି ରହିଥିବା ଅଶାନ୍ତି ପଛରେ କେବଳ ରାଜନୀତି ହିଁ ରାଜନୀତି । କିଛି ଧାର୍ମକ ଠିକାଦାର ଓ କିଛି ଧାର୍ମକ ମୌଳବାଦୀ ସେମାନଙ୍କ ରୋଜଗାରର ରୁଟି ସେକିବାକୁ ଆପଣମାନଙ୍କ ମଧ୍ୟରେ ଧର୍ମ ନାମରେ ହିଂସା ଭିଆଇବାରେ ସଫଳ ହେଉଛନ୍ତି ।

Advertisment

ସମ୍ବିଧାନର ମୁଖବନ୍ଧରେ ଲେଖା ହୋଇଛି ଭାରତ ଏକ ସର୍ବଧର୍ମ ସମ୍ପର୍ଣ୍ଣ ରାଷ୍ଟ୍ର । ଏଠି ପ୍ରତ୍ୟେକ ଧର୍ମର ଲୋକ ରହିପାରିବେ । ଏହା ବି ଆମେ ଓ ଆମ ପୂର୍ବ ପୁରୁଷମାନେ ଦେଖିଛନ୍ତି । ଆମ ଦେଶରେ ରହୁଥିବା ସବୁଧର୍ମର ଲୋକମାନେ ପରସ୍ପର ସହ ଭାଇଚାରାର ସଂପର୍କରେ ବଢିଥାନ୍ତି । ଏହାର ଉଦାହରଣ ଦେଇଛନ୍ତି ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ପଲାସିପଡା ଥାନା ଅର୍ନ୍ତଗତ ବାଗାଗାରିଆ ଗ୍ରାମରେ ବାସ କରୁଥିବା ୮ ଶହ ମୁସଲିମ୍ ପରିବାର ।

ସୂଚନା ମୁତାବକ ବାଗାଗାରିଆ ଗ୍ରାମରେ ୮୦୦ ମୁସଲିମ୍ ପରିବାର ମଧ୍ୟରେ ରୁହନ୍ତି ଏକମାତ୍ର ହିନ୍ଦୁ ପରିବାର । କୃଷକ ସୁବଳ ରାୟ ତାଙ୍କ ପରିବାର ସହ ଏଠାରେ ରହିଥାନ୍ତି । ତାଙ୍କ ପୁଅ ସଞ୍ଜୟ ପରିବାର ପ୍ରତିପୋଷଣ ପାଇଁ ପୁଣେ ଯାଇଥିଲେ । ସେଠାରେ ସେ ଏକ ହୋଟେଲରେ କାମ କରୁଥିବା ବେଳେ ଡେଙ୍ଗୁ ଭୂତାଣୁ ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା । ଗରିବ ସୁବଳ ଏତେ ଅସହାୟ ଥିଲେ କି ତାଙ୍କ ପୁଅର ଶବକୁ ପୁଣେରୁ ଆଣିବା ତ ଦୂରର କଥା ଶବ ସକ୍ରାର ପାଇଁ ବି ତାଙ୍କ ପାଖରେ ଅର୍ଥ ନଥିଲା । ବାସ୍ ଖବର ପହଂଚିଲା ପଡୋଶୀ ମୁସଲିମ ଲୋକଙ୍କ ପାଖରେ । ଖବର ପାଇବା ପରେ ସେମାନେ ପହଂଚିଗଲେ ସୁବଳଙ୍କ ଘରେ । ମସଜିଦ ମାଇକରେ ଘୋଷଣା କରାଗଲା ସୁବଳଙ୍କ ପୁଅ ସଂଜୟର ଶବ ଆଣିବା ଓ ସକ୍ରାର କରିବାକୁ ଯାହାର ଯାହା ସକ୍ଷମ ତୁରନ୍ତ ସହାୟତା କର ।

ଘୋଷଣା ହେବାର କିଛି ସମୟ ମଧ୍ୟରେ ଯାହାର ଯାହା ସକ୍ଷମ ସମସ୍ତେ ସହାୟତା ଧରି ପହଂଚିଗଲେ ମସଜିଦରେ । ଏହାପରେ ଶବ ଆଣିବାର ବ୍ୟବସ୍ଥା କରାଗଲା । ଶବ ଗାଁରେ ପହଂଚିବା ପରେ ପାଖ ଗାଁରୁ ସଂକୀର୍ତ୍ତନ ଦଳ ଆସିଲା । ଗାଁ ଦାଣ୍ଡରେ ସଂଜୟଙ୍କ ଶବକୁ କାନ୍ଧ ଦେଲେ ମୁସଲିମ ଯୁବକ । ପଛରୁ ପଡିଲା ହରିନାମ ସତ୍ୟ ହେ ରାମନାମ ସତ୍ୟ ହେ ଓ ଖଇ କଉଡି ବିଛାଇଲେ ସଂକୀର୍ତ୍ତନ ଦଳ । ହେଲେ ଶବକୁ କାନେ୍ଧଇ ମଶାଣୀକୁ ନେଉଥିଲେ ମୁସଲିମ ଯୁବକ । ଏ ଚିତ୍ର ଦେଖିବା ପରେ କହ୍ନେୟାଲାଲର ହତ୍ୟାକାରୀ ତଥା କଥିତ ମୁସଲିମ ଓ ଜୁବେରର ହତ୍ୟାକାରୀ ତଥା କଥିତ ହିନ୍ଦୁଙ୍କ ମୁହଁରେ ଚୁନ କାଳୀ ଲାଗି ଯାଇଛି ।