ୟୁଟ୍ୟୁବରେ ମନ୍ଦିରମାଳିନୀ ସହରର ମ୍ୟୁଜିକ୍ ଭିଡିଓ ‘ଆମେ ଭୁବନେଶ୍ୱରିଆ’ : ଝଲସିଲା ଓଡିଶାର କଳା, ସଂସ୍କୃତି

72

କନକ ବ୍ୟୁରୋ : ୟୁଟ୍ୟୁବରେ ରିଲିଜ୍ ହୋଇଛି ଓଡିଶା ରାଜଧାନୀ ଭୁବନେଶ୍ୱରକୁ ନେଇ ଏକ ମ୍ୟୁଜିକ୍ ଭିଡିଓ- ଆମେ ଭୁବନେଶ୍ୱରିଆ । ମନ୍ଦିରମାଳିନୀ ସହରର କଳା, ସଂସ୍କୃତିର ଝଲକ ଦେଖିବାକୁ ମିଳିଛି ଏହି ଭିଡିଓରେ । ଦେଶର ନମ୍ବର ୱାନ୍ ସ୍ମାର୍ଟ ସିଟିର ଜୀବନଶୈଳୀକୁ ଖୁବ୍ ନିଖୁଣ ଭାବେ ଉପସ୍ଥାପନ କରାଯାଇଛି ।

ଭୁବନେଶ୍ୱର ଏବେ ଶିକ୍ଷାର ହବ୍ ହୋଇଥିବା ବେଳେ ସଂଧ୍ୟାରେ ସାଙ୍ଗସାଥିର ଖଟିର ମଜା ନେବାକୁ ବି କେହି ଭୁଲନ୍ତି ନାହିଁ । ଏସବୁ ଦୃଶ୍ୟ ଗୋଟି ଗୋଟି କରି ସଜା ହୋଇଛି ଏହି ଭିଡିଓରେ । ଏହାକୁ ପ୍ରସ୍ତୁତ କରିଛନ୍ତି ଲାଇଭେରା ମିଡିଆ । ନିର୍ଦ୍ଦେଶନା ଦେଇଛନ୍ତି ନନ୍ଦିତା ।

ମ୍ୟୁଜିକ ଭିଡିଓର ଗୀତ ଲେଖିଛନ୍ତି ଭରଦ୍ୱାଜ ପଣ୍ଡା ଏବଂ ସଂଗୀତରେ ସଜାଇବା ସହ କଣ୍ଠଦେଇଛନ୍ତି ଦିବଂଗତ ବିଶିଷ୍ଟ କଣ୍ଠଶିଳ୍ପୀ ସିକନ୍ଦର ଆଲାମଙ୍କ ଝିଅ ନାଜିଆ ଆଲମ । ତାଙ୍କ ସଂଗୀତ ନିର୍ଦ୍ଦେଶନାରେ ଓଡିଶାର ପରଂପରା ଓ ଶାସ୍ତ୍ରୀୟତାର ଝଲକ ବାରି ହୋଇପଡୁଛି । ରିଲିଜର ମାତ୍ର ତିନି ଦିନରେ ଏହାକୁ ୪୭ ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ରାଜ୍ୟ ଓ ଦେଶ ବାହାରେ ଥିବା ଓଡିଆ ଏହି ଭିଡିଓକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ।