ନବୀନ ନିବାସରେ ଅତିଥି ସାଜିଲେ ଏ.ଆର ରେହମାନ। ମୁଖ୍ୟମନ୍ତ୍ରୀଙ୍କ ସହ କଲେ ମଧ୍ୟାହ୍ନ ଭୋଜନ, ନେଲେ ସେଲଫି

ହକି ପାଇଁ ହୁକ୍ ଷ୍ଟେପ୍ ଚ୍ୟାଲେଂଜ ଦେଲେ ରେହମାନ୍

153

କନକ ବ୍ୟୁରୋ: ନବୀନ ନିବାସରେ ଅତିଥି ସାଜିଲେ ଏ.ଆର ରେହମାନ । ରେହମାନ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାହ୍ୱ ଭୋଜନ କରିବା ସହ ସେଲଫି ନେଇଛନ୍ତି । ଏସବୁ ଭିତରେ କମସିଆ ମସଜିଦକୁ ଯାଇ ନମାଜ ପାଠ କରିଛନ୍ତି ସଂଗୀତ ଜଗତର ଏହି ମହାନ କଳାକାର । ଆଉ ପ୍ରଶଂସକଙ୍କ ଆହୁରି ନିକଟତର ହେବାକୁ ହକି ‘ହୁକ ଷ୍ଟେପ୍’ ଚ୍ୟାଲେଞ୍ଜ ଆରମ୍ଭ କରିଛନ୍ତି ରେହମାନ ।

ପୁରୁଷ ହକି ବିଶ୍ୱକପ୍ର ଥିମ ସଙ୍ଗକୁ ପ୍ରସ୍ତୁତ କରିଛନ୍ତି ଓସ୍କାର ବିଜେତା ଏ.ଆର. ରେହମାନ । ଏପରିକି କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବରେ ରହିଛି ତାଙ୍କ ସଂଗୀତ କାର୍ଯ୍ୟକ୍ରମ । ପରଦିନ କଟକ ବାରବାଟୀ ଷ୍ଟାଡିୟମରେ ମଧ୍ୟ ଉଦଘାଟନୀ ଉତ୍ସବରେ ସାମିଲ ହେବେ । ଏଥିଲାଗି ଭୁବନେଶ୍ୱରରେ ପହଂଚିଛନ୍ତି ବଲିଉଡର ଏହି ପ୍ରଖ୍ୟାତ ସଂଗୀତକାର । ନବୀନ ନିବାସରେ ଅତିଥୀ ସାଜିଛନ୍ତି ରେହମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ଏକାଠି ମଧ୍ୟାହ୍ନ ଭୋଜନ କରିଛନ୍ତି । ପରେ ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ନେଇଥିବାବେଳେ, ନବୀନ ତାଙ୍କୁ ବନ୍ଧୁ ଭଳି ସ୍ୱାଗତ କରିଥିବା କହିଛନ୍ତି ରେହମାନ । ମୁଖ୍ୟମନ୍ତ୍ରୀ ମଧ୍ୟ ରେହମାନଙ୍କୁ ଭେଟି ଖୁସି ଥିବା କହିଛନ୍ତି ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବା ପରେ ଓସ୍କାର ବିଜେତା ଏ.ଆର. ରେହମାନଙ୍କୁ ହୋଟେଲ ଟ୍ରାଇଡେଂଟକୁ ପାଛୋଟି ନିଆଯାଇଥିଲା । ସେଠାରୁ ସେ କମସିଆ ମସଜିଦକୁ ଯାଇ ନମାଜ ପାଠ କରିଥିଲେ । ହକି ବିଶ୍ୱକପକୁ ଆଉ ଅଳ୍ପଦିନ ବାକିଥିବାବେଳେ ସୁପରଷ୍ଟାର ଶାହରୁଖ ଖାନ୍ ଓ ସଂଗୀତ ନିର୍ଦ୍ଦେଶକ ଏ.ଆର. ରେହମାନ ବିଶ୍ୱକପ୍ ରଙ୍ଗରେ ପୁରା ରଙ୍ଗେଇ ହୋଇଯାଇଛନ୍ତି । ଉଭୟଙ୍କ ଅଭିନୀତ ବିଶ୍ୱକପ୍ ଥିମ୍ ସଙ୍ଗ ‘ଜୟ ହିନ୍ଦ ଇଣ୍ଡିଆ’ର ଆଉଏକ ଟିଜର ରିଲିଜ ହୋଇଛି । ଏଥିରେ ରେହମାନ ଓ ଶାହାରୁଖ ହକି ଷ୍ଟିକରେ ହୁକ ଷ୍ଟେପ କରୁଥିବା ଦେଖିବାକୁ ମିଳିଛି । ହୁକ ଷ୍ଟେପରେ ଉଭୟ ଗୋଟିଏ ହାତରେ ହକି ଷ୍ଟିକ ଧରି ଚଟାଣକୁ ପିଟୁଛନ୍ତି ଓ ଅନ୍ୟ ହାତରେ ଛାତିକୁ ବାଡଉଥିବା ଭଙ୍ଗୀରେ ହକି ପାଇଁ ହୃତସ୍ପନ୍ଦର ବାର୍ତା ଦେଉଛନ୍ତି । ହକି ବିଶ୍ୱକପ ଥିମ ସଙ୍ଗର ଏହି ଦ୍ୱିତୀୟ ଟିଜର ମଧ୍ୟ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି ।

HOCKEY world cup

ପ୍ରଶଂସକଙ୍କ ଆହୁରି ନିକଟତର ହେବାକୁ ହକି ‘ହୁକ ଷ୍ଟେପ୍’ ଚ୍ୟାଲେଞ୍ଜ ଆରମ୍ଭ କରିଛନ୍ତି ରେହମାନ । ନିଟ ଟ୍ୱିଟର ପେଜରେ ଏହି ଚ୍ୟାଲେଞ୍ଜ ପାଇଁ ପ୍ରଶଂସକଙ୍କୁ ଆହ୍ୱାନ ଦେଇଛନ୍ତି ରେହମାନ । ଥିମ ସଙ୍ଗର ଦ୍ୱିତୀୟ ଟିଜରରେ ଶାହରୁଖ ଓ ରେହମାନ କରୁଥିବା ଷ୍ଟେପକୁ ନକଲ କରି ପ୍ରତିଯୋଗୀମାନେ ଭିଡିଓ ପ୍ରସ୍ତୁତ କରିବା ସହ ଫେସବୁକରେ ପୋଷ୍ଟ କରିବାକୁ କୁହାଯାଇଛି । ପ୍ରତିଯୋଗିତାରେ ଦୁଇଜଣ ଭାଗ୍ୟଶାଳୀ ବିଜେତା ଆଗାମୀ ୨୭ ତାରିଖ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ମଂଚରେ ଶାହରୁଖ ଓ ରେହମାନଙ୍କୁ ଭେଟିବାର ସୁଯୋଗ ପାଇବେ ।

ହକି ପାଇଁ ବଢୁଛି ହୃତସ୍ପନ୍ଦନ

କିଛିଦିନ ତଳେ ବିଶ୍ୱକପ ଥିମ ସଙ୍ଗର ପ୍ରଥମ ଟିଜର ଆସିଥିଲା । ଭିଡିଓରେ ଶାହରୁଖ ଓ ରେହମାନଙ୍କ ତାଳମେଳକୁ ପସନ୍ଦ କରିଥିଲେ ଦର୍ଶକ । ବିଶ୍ୱକପର ଏହି ସଂଗୀତକୁ ଆଗାମୀ ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଉଦଘାଟନୀ ଉତ୍ସବରେ ଉନ୍ମୋଚନ କରାଯିବ । ଭିଡିଓରେ ନୟନତାରା, ଶିବମଣି, ନୀତି ମୋହନ, ଶ୍ୱେତା ମୋହନ, ଶାଶା ତିରୁପତି, ଶ୍ୱେତା ପଣ୍ଡିତ ଓ ହର୍ଷଦୀପ କୌରଙ୍କ ଭଳି କଳାକାର ଅଭିନୟ କରିଛନ୍ତି । ହକି ବିଶ୍ୱକପ୍ ମୁକାବିଲା ସମୟରେ ଭାରତୀୟ ଦଳକୁ ଉତ୍ସାହିତ କରିବାକୁ ଏହି ଗୀତ କଳିଙ୍ଗ ଷ୍ଟାଡିୟମରେ ନିୟମିତ ବାଜିବ ।