ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନ୍ । ଶୋକରେ ବୁଡ଼ିଲା ପୂରା ବଲିଉଡ୍, ସାଜିଦ୍-ୱାଜିଦ୍ ଯୋଡ଼ିକୁ ଝୁରୁଛନ୍ତି ସଲମାନଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ କଳାକାର ।

4,023

କନକ ବ୍ୟୁରୋ : ବଲିଉଡରେ ପୁଣି ଖେଳିଲା ଶୋକର ଛାୟା । ପରଲୋକରେ ବିଶିଷ୍ଟ ସଙ୍ଗୀତକାର ୱାଜିଦ୍ ଖାନ୍ । ଆଜି ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୱାଜିଦ୍ । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ତାଙ୍କ ଦେହାନ୍ତରେ ଶୋକରେ ବୁଡିଯାଇଛି ବଲିଉଡ୍ ଜଗତ । ଟ୍ୱିଟ୍ କରି ଅନେକ ବିଶିଷ୍ଟ ଅଭିନେତା ଓ ଅଭିନେତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ।

ସାଜିଦ୍-ୱାଜିଦ୍ । ଏହି ଯୋଡି ବଲିଉଡରେ ବେଶ ପରିଚିତ । ଭାଇ ସାଜିଦ ଖାନଙ୍କ ସହ ମିଶି ସାଜିଦ୍-ୱାଜିଦ୍ ନାମରେ ସଙ୍ଗୀତ ନିର୍ଦ୍ଦେଶନା ଦେଉଥିଲେ ୱାଜିଦ୍ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ବର୍ଷ ଧରି ସେ କୀଡନି ଜନିତ ରୋଗରେ ପୀଡିତ ଥିଲେ ।

ବଲିଉଡର ଦବଙ୍ଗ ବୟ ସଲମାନ ଖାନଙ୍କ ପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ୱାଜିଦ୍ ଖାନ୍ । ଏପିରିକି ସଲମାନଙ୍କ ଅଭିନୀତ ପ୍ୟାର କିୟା ତୋ ଡରନା କ୍ୟା ଚଳଚ୍ଚିତ୍ରରୁ ସେ କ୍ୟାରିୟର ଆରମ୍ଭ କରିଥିଲେ । ତେରେ ନାମ୍, ୱାଂଟେଡ୍, ଦବଙ୍ଗ, ଏକ ଥା ଟାଇଗର୍, ପାର୍ଟନର, ମୁଝ ସେ ସାଦି କରୋଗୀ, ହେଲୋ, ଗଡ୍ ତୁ ସି ଗ୍ରେଟ୍ ହୋ ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ଯାଏଁ ଥିଲା ୱାଜିଦଙ୍କ ସଙ୍ଗୀତ ଯାତ୍ରା ।

ଆଉ ଗାୟକ ଭାବେ ସେ ହୁଡ ହୁଡ ଦବଙ୍ଗ ଦବଙ୍ଗ ଠାରୁ ଆରମ୍ଭ କରି ଫେଭିକଲ୍ ସେ, ଚିନ୍ତା ତା ଚିନ୍ତା ଚିନ୍ତା ଏବଂ ଜଲୱା ଭଳି ଅନେକ ଦମଦାର ଗୀତ ଗାଇ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ । ତେବେ ଶେଷ ଥର ପାଇଁ ନିକଟରେ ରିଲିଜ ହୋଇଥିବା ସଲମାନଙ୍କ ଭାଇ-ଭାଇ ଗୀତ କମ୍ପୋଜ କରିଥିଲେ ୱାଜିଦ୍ ଖାନ୍ ।