ଆଉ ନାହାନ୍ତି ଓଡିଆ ଚଳଚିତ୍ର ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର । ୮୪ବର୍ଷ ବୟସରେ ରାଜଧାନୀର ଘରୋଇ ହସ୍ପିଟାଲରେ ଦେହାନ୍ତ

132

କନକ ବ୍ୟୁରୋ : ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନ୍ତୁ ମହାପାତ୍ର । ୮୪ ବର୍ଷ ବୟସରେ ତାଙ୍କର ନିଧନ ଘଟିଛି । ଓଡିଆ ଚଳଚିତ୍ର ଜଗତକୁ ଅନେକ ଚିର ସବୁଜ ସଙ୍ଗୀତ ଭେଟି ଦେଇଛନ୍ତି ସେ । ତାଙ୍କ ସଙ୍ଗୀତ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ଆଜି ବି ବସା ବାନ୍ଧିଛି । ଯାହାକୁ ସଭିଏଁ ଆଜି ବି ଗୁଣୁଗୁଣୋଉଛନ୍ତି । ୬୦ ବର୍ଷରୁ ଅଧିକ ସମୟ ଧରି ଓଡିଆ ସଙ୍ଗୀତ ଜଗତକୁ ତାଙ୍କର ଅବଦାନ ଚିରକାଳ ମନେ ରହିବ ।

ଆଉ ନାହାନ୍ତି ଏହି ଲୋକପ୍ରିୟ ଗୀତର ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନ୍ତୁ ମହାପାତ୍ର । ୮୪ ବର୍ଷ ବୟସରେ ଚିିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଆଉ ଏହା ସହିତ ସବୁଦିନ ପାଇଁ ନୀରବି ଯାଇଛି ଓଡିଆ ସଙ୍ଗୀତକୁ ଶିଖରରେ ପହଁଚାଇଥିବା ଆଉ ଜଣେ ବ୍ୟକ୍ତିତ୍ୱ । ନିମୋନିଆ ହୋଇଥିଲା, କିଡନୀ ବି କାମ କରୁନଥିଲା । ଏହାରି ଭିତରେ ଜୀବନ ଯୁଦ୍ଧରେ ହାରିଗଲେ କୋଟି କୋଟି ଓଡିଆଙ୍କ ହୃଦୟ ଜିତିଥିବା ମଣିଷ ଟିଏ ।

ଶାନ୍ତନୁ ମହାପାତ୍ରଙ୍କ ନିଧନ ଓଡିଆ ଚଳଚିତ୍ର ସଙ୍ଗୀତ ଦୁନିଆଁ ପାଇଁ ଅପୂରଣୀୟ କ୍ଷତି , ଯାହାକୁ ଭରଣା କରିହେବନି । ଶାନ୍ତନୁ ମହାପାତ୍ର ଥିଲେ ଏପରି ବ୍ୟକ୍ତିତ୍ୱ ଯିଏ କି ପ୍ରଥମ କରି ମହମ୍ମଦ ରଫି, ଲତା ମଙ୍ଗେସକର, ମନ୍ନାଦେଙ୍କ ପରି ବଲିଉଡ୍ କଣ୍ଠଶିଳ୍ପୀଙ୍କୁ ଦେଇଥିଲେ ଓଡିଆ ଗୀତ । ରଫିଙ୍କ କଣ୍ଠରେ ଓଡିଆ ଚଳଚିତ୍ର ଅରୁନ୍ଧତୀର ସେଇ ଗୀତ ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ, ତାଙ୍କୁ ଓଡିଶାର ଘରେ ଘରେ ପରିଚିତ କରାଇଥିଲା । ପରବର୍ତି ସମୟରେ ତାଙ୍କ ନିର୍ଦ୍ଦେଶିତ ଅନେକ ଓଡିଆ ଗୀତ ପାଲଟି ଯାଇଥିଲା ମାଇଲଖୁଂଟ । ଦୀର୍ଘ ୬୦ ବର୍ଷ ଧରି ତାଙ୍କର ରହିଥିଲା ସଙ୍ଗୀତ ଯାତ୍ରା । ଓଡିଆ, ହିନ୍ଦୀ, ବଙ୍ଗାଳୀ. ଅହମିଆ ଓ ତେଲୁଗୁ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେବାରେ ସେ ଥିଲେ ପ୍ରଥମ ଓଡିଆ ।

ଅରୁନ୍ଧତୀ, ସୂର୍ଯ୍ୟମୁଖି, ମେଘମୁକ୍ତି, ଡୋରା, ଜଗାବଳିଆ, ଗୋଲାମଗିରି, ପଥର ଖସୁଛି ବଡ ଦେଉଳୁ । ଏମିତି ଅନେକ ଓଡିଆ ଚଳଚିତ୍ରକୁ ସଙ୍ଗୀତ ନିର୍ଦ୍ଦେଶନାରେ ରୁଦ୍ଧିମନ୍ତ କରିଥିବା ଚିରସବୁଜ ଶାନ୍ତନୁ ମହାପାତ୍ର ଆଜି ନୀରବି ଯାଇଛନ୍ତି । ତାଙ୍କର ସମ୍ମାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ ପରେ ସତ୍ୟନଗର ଶ୍ମଶାନରେ ସଂପନ୍ନ ହୋଇଛି ଶେଷକୃତ୍ୟ । ଯେତେ ଦିନ ଓଡିଆ ଚଳଚିତ୍ର ସଙ୍ଗୀତକୁ ନେଇ ଚର୍ଚା ହେବ, ସେତେଦିନ ଅଭୁଲା ରହିବେ ଶାନ୍ତନୁ ମହାପାତ୍ର ।