ଛତୁ ଚାଷ ମହିଳାଙ୍କୁ କରିଛି ସ୍ୱାବଲମ୍ବୀ: ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ହୋଇଛନ୍ତି ପୁରସ୍କୃତ

132

କନକ ବ୍ୟୁରୋ: ମହିଳାଙ୍କୁ ସ୍ୱାବଲମ୍ବୀ କରାଇଛି ଛତୁ ଚାଷ । ଏହି ଛତୁ ଚାଷ ଯୋଗୁଁ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଶଙ୍ଖଚିଲା ଅଞ୍ଚଳର ମହିଳା ଆଜି ତାଙ୍କ ଆର୍ôଥକ ସ୍ଥିତିକୁ ସୁଦୃଢ କରିପାରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଏମାନେ ରୋଜଗାରକ୍ଷମ ହେବା ସହ ସଫଳତାର ଶୀର୍ଷରେ ପହଂଚି ପାରିଛନ୍ତି । ଗରିବ ଓ ମଧ୍ୟବିତ ଶ୍ରେଣୀର ଏହି ମହିଳାମାନେ ପୂର୍ବରୁ କେବଳ ଘରକାମ ଛଡ଼ା ଆଉ କିଛି କରୁନଥିଲେ । ଘରେ ଜଣେ ରୋଜଗାର କରୁଥିବାରୁ ଆର୍ôଥକ ଅନାଟନ ଭିତରେ ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା ।

ଏଭଳି ପରିସ୍ଥିତିରେ ଏମାନେ କିଛି କରିବାକୁ ମନସ୍ଥ କରିଥିଲେ । ପରେ ଗତ ୨୦୦୬ ମସିହାରେ ଶଙ୍ଖଚିଲା ଓ ନାଉଡପୁର ଅଞ୍ଚଳର ୧୨ ଜଣ ମହିଳାଙ୍କୁ ନେଇ ଗଠନ କରିଥିଲେ ମା ହିଙ୍ଗୁଳା ସ୍ୱୟଂ ସହାୟକ ଗୋଷ୍ଠୀ । ପରେ ସରକାରଙ୍କ ବିଭିନ୍ନ ଯୋଜନା ଓ ବିଭିନ୍ନ ବ୍ୟାଙ୍କର ସହାୟତାରେ ଏହି ଗୋଷ୍ଠୀର ମହିଳାମାନେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବ୍ୟବସାୟ କରିଥିଲେ । ଧିରେ ଧିରେ ସେମାନଙ୍କ ରୋଜଗାର ବଢିଥିଲା । ତେବେ ଆଜି ଏହି ମହିଳାମାନେ ନିଜେ ସ୍ୱାବଲମ୍ବୀ ହେବା ସହ ସେମାନଙ୍କ ପରିବାରର ଆର୍ôଥକ ସ୍ଥିତିକୁ ମଜବୁତ୍ କରିପାରିଛନ୍ତି । ଏହି ଗୋଷ୍ଠୀର ମହିଳାମାନେ ପ୍ରତିଦିନ ନିଜ ଘରକାମ ସହ ଗୋଷ୍ଠୀ ପାଇଁ ସମୟ ବାହାର କରି ମିଳିତଭାବେ ବିଭିନ୍ନ କାର୍ଯ୍ୟ କରୁଛନ୍ତି ।

ପୂର୍ବରୁ ଏମାନେ ବଢି, ଗୁଆ ବ୍ୟବସାୟ କରୁଥିଲେ ଅଧିକ ରୋଜଗାର କରିବା ପାଇଁ ଛତୁ ଚାଷ ପାଇଁ ପ୍ରଶିକ୍ଷଣ ନେଲେ ଏବଂ ଏବେ ଏମାନେ ଛତୁ ଚାଷ କରୁଛନ୍ତି । ଏହାକୁ ବଜାରରେ ବିକ୍ରି କରି ବେଶ୍ ୨ ପଇସା ରୋଜଗାର କରିପାରୁଛନ୍ତି । ଛତୁ ଚାଷ ପାଇଁ ମା ହିଙ୍ଗୁଳା ସ୍ୱୟଂ ସହାୟକ ଗୋଷ୍ଠୀ ନିକଟରେ ଭୁବନେଶ୍ୱର ଠାରେ ହୋଇଥିବା କୃଷି ଓଡିଶା କାର୍ଯ୍ୟକ୍ରମ ଓ ଯାଜପୁର ରେ ସମ୍ବାଦ ଓ ଫିକି ଓଡ଼ିଶା ମିଳିତ ସହଯୋଗରେ ଆୟୋଜିତ ମହିଳା ଉଦ୍ୟୋଗୀ କାର୍ଯ୍ୟକ୍ରମ ରେ ଜିଲ୍ଲାର ସଫଳ ମହିଳା ଉଦ୍ୟୋଗୀ ଭାବେ ପୁରସ୍କୃତ ହୋଇଛନ୍ତି । ଯାହା ଏହି ଗୋଷ୍ଠୀର ମହିଳାମାନଙ୍କ ମନୋବଳ ବଢାଇଛି । ତେବେ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ରୋଜଗାରକ୍ଷମ ହୋଇପାରିଥିବାରୁ ଏବେ ସେମାନଙ୍କୁ ପରିବାର ଚଳାଇବା ସହଜ ହେଉଥିବା ମହିଳାମାନେ କହିଛନ୍ତି ।