ରାୟଗଡାର ଉଚ୍ଚ ଶିକ୍ଷିତ ଦମ୍ପତିଙ୍କୁ ସ୍ୱାବଲମ୍ବୀ କରିଛି ଛତୁ ଚାଷ । ଦିନକୁ ଉତ୍ପାଦନ ହେଉଛି ୪ରୁ ୫ହଜାର ଟଙ୍କାର ଛତୁ

258

କନକ ବ୍ୟୁରୋ : ରାୟଗଡା ପଦ୍ମପୁର ଅନ୍ତର୍ଗତ ନୂଆସାହିର ଦମ୍ପତି ଶ୍ରୀଖଣ୍ଡ ମଣ୍ଡନ ସାହୁ ଓ ସାବିତ୍ରୀ ସାହୁ । ଦୁହେଁ ଗ୍ରାଜୁଏଟ୍ । ସ୍ୱାମୀ ବିଭିନ୍ନ ବେସରକାରୀ ସଂସ୍ଥାରେ ଚାକିରି କରି ଭଲ ଦରମା ପାଉଥିଲେ । କିନ୍ତୁ ନିଜସ୍ୱ ଉଦ୍ୟମରେ କିଛି ରୋଜଗାର କରିବା ଆଶାରେ ଆରମ୍ଭ କଲେ ଛତୁ ଚାଷ । ମାର୍କେଟରେ ଛତୁର ଚାହିଦା ରହିଥିବାରୁ କିଛି ରୋଜଗାର ଆଶାରେ ଏହି ଚାଷକୁ ଆପଣାଇଛନ୍ତି । ଛତୁ ଚାଷ ପାଇଁ ଆବଶ୍ୟକୀୟ ବିହନ ବ୍ରହ୍ମପୁର ଓ ଗୁଣୁପୁର ସ୍ଥିତ ଗାନ୍ଧୀ ବିଶ୍ୱ ବିଦ୍ୟାଳୟରୁ ଆଣି ଛତୁ ଚାଷ ଆରମ୍ଭ କରିଛନ୍ତି ଏହି ଦମ୍ପତି । ବର୍ତମାନ ତାଙ୍କ ଫାର୍ମରେ ୭୦୦ରୁ ଉଦ୍ଧ୍ୱର୍ ବେଡ ଛତୁ ଚାଷ ପାଇଁ ପ୍ରସ୍ତୁତ ହୋଇରହିଥିବା ବେଳେ ଦୈନିକ ୧୫ କିଲୋରୁ ଉର୍ଦ୍ଧ ଛତୁ ଉତ୍ପାଦିତ ହେଉଛି ।

ସ୍ୱାମୀ ସ୍ତ୍ରୀ ଦୁହେଁ ଏହି ଚାଷ କାମରେ ମନନିବେଶ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଏହି କାମରେ ନିୟୋଜିତ କରିଛନ୍ତି । ଉତ୍ପାଦିତ ହେଉଥିବା ଛତୁ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି ଏହି ଦମ୍ପତି । ଏପରିକି ତାଙ୍କ ଘର ନିକଟରୁ ବ୍ୟବସାୟୀ ଓ ଗ୍ରାହକ ମାନେ ଆସି କିଣି ନେଉଛନ୍ତି । ସ୍ତ୍ରୀ ସାବିତ୍ରୀ ଘର କାମ ସାରି ଛତୁ ଫାର୍ମରେ ଛତୁ ତୋଳିବା ଠାରୁ ଆରମ୍ଭ କରି ବିକ୍ରୀ ବଟାରେ ସ୍ୱାମୀଙ୍କୁ ସହାୟତା କରଛନ୍ତି । କର୍ମଚାରୀ ମାନେ ଘର ପାଖରେ କାମ ମିଳୁଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି ।

ଚାକିରି ପଛରେ ଗୋଡାଇ ଚାଷରୁ ମୁହଁ ଫେରାଇଉଥିବା ଯୁବ ଗୋଷ୍ଠୀଙ୍କ ପାଇଁ ଏହି ଦମ୍ପତିଙ୍କ ପ୍ରୟାସ ନିଶ୍ଚୟ ପ୍ରେରଣାଦାୟୀ ।