ଛତୁ ଚାଷ କରି ସ୍ୱାବଲମ୍ବୀ । ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରି ପାଲଟିଛନ୍ତି ପ୍ରେରଣା । ମିଶନଶକ୍ତି ମହିଳାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ସସ୍ମିତା ।

145

କନକ ବ୍ୟୁରୋ: ଛତୁଚାଷ କରି ସ୍ୱାବଲମ୍ବୀ । ଯାଜପୁର ଧର୍ମଶାଳାର ସସ୍ମିତା ଧୀର ଏବେ ଜଣେ ଛତୁ ବ୍ୟବସାୟୀ । ବାର୍ଷିକ ଦେଢ଼ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ସସ୍ମିତା । କଲେଜ ପଢ଼ିବା ସମୟରୁ କିଛି କାମ କରି ଆତ୍ମନିର୍ଭରଶୀଳ ହେବା ପାଇଁ ଆଶା ରଖିଥିଲେ ସସ୍ମିତା ଧୀର । ଏହି ଲକ୍ଷ୍ୟରେ କିଛି ସଂଚୟ ଅର୍ଥକୁ ନେଇ ପ୍ରଥମେ ଘର ବାଡ଼ିରେ ଆରମ୍ଭ କରିଥିଲେ ଛତୁ ଚାଷ । ୨୦୧୯ ମସିହାରୁ ସସ୍ମିତା ଆରମ୍ଭ କରିଥିବା ଛତୁ ଚାଷ ଏବେ ତାଙ୍କୁ ବେଶ ସଫଳତା ଦେଇଛି । ଯାହାଦ୍ୱାରା ସେ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି  ।

ସସ୍ମିତାଙ୍କ ଛତୁ ଫାର୍ମରେ ପ୍ରତିଦିନ ୫ ରୁ ୭ କେଜି ଛତୁ ଉତ୍ପାଦିତ ହେଉଛି । ଯାହାର ବଜାର ମୂଲ୍ୟ ରହିଛି ଏକ ହଜାରରୁ ୧୪ ଶହ ଟଙ୍କା । ଋତୁ ଅନୁସାରେ କେବେ ଧିଙ୍ଗିରି ଛତୁ ତ କେବେ ପାଳ ଛତୁ ଚାଷ କରି ମାସକୁ ୧୪ ରୁ ୧୫ ହଜାର ଟଙ୍କା ରୋଜଗାର କରୁଛନ୍ତି । ସସ୍ମିତାଙ୍କ ଏହି ସଫଳତା ପଛରେ ତାଙ୍କ ସ୍ୱାମୀ ଓ ଝିଅଙ୍କର ପୂର୍ଣ୍ଣ ସହଯୋଗ ରହିଛି ବୋଲି ସସ୍ମିତା କହିଛନ୍ତି ।

୨୦୧୯ ମସିହାରେ ସସ୍ମିତା ପ୍ରଥମେ  ଧର୍ମଶାଳା ଉଦ୍ୟାନ କୃଷି ବିଭାଗ ପକ୍ଷରୁ  ପ୍ରଶିକ୍ଷଣ ନେଇ ଧୀଙ୍ଗିରି ଛତୁ ଚାଷ କରିଥିଲେ । ଏଥିରେ ସଫଳତା ମିଳିବା ପରେ ସେବେଠୁ ନିୟମିତ ଭାବେ ଛତୁଚାଷ କରୁଛନ୍ତି  । ଏହା ସହ ରାଜ୍ୟ ସରକାରଙ୍କ ମିଶନଶକ୍ତିର ପ୍ରଶିକ୍ଷିକା ଭାବେ ବିଭିନ୍ନ ଅଂଚଳ ଗସ୍ତ କରି  ମହିଳାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଆଉ ଏଥିପାଇଁ ସେ ପାଉଛନ୍ତି ମାସିକ ୬ ହଜାର ଟଙ୍କା ଦରମା । ଯାହା ତାଙ୍କୁ ପରିବାର ଚଳାଇବା ସହ କିଛି ସଂଚୟ କରିବାରେ ସହାୟକ ହେଉଛି । ଛତୁ ଚାଷ କରି ଆତ୍ମନିର୍ଭରଶୀଳ ହୋଇଥିବା  ସସ୍ମିତା ଏବେ ଗ୍ରାମାଂଚଳରେ ଥିବା ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛରନ୍ତି ।