କନକ ବ୍ୟୁରୋ : ମାଲକାନଗିରିର ମାଥିଲି ଅଞ୍ଚଳରେ ଖୁସି ବାଣ୍ଟିଲା ଛତୁ । ଧାନ ଚାଷ ପରେ ପାଳ ବ୍ୟବହାର କରି ଛତୁ ଚାଷ କରୁଛନ୍ତି ଲୋକେ । ଘରେ ଘରେ ପାଳଛତୁ ଚାଷକରି ବେଶ ଦୁଇପଇସା ରୋଜଗାର କରୁଛନ୍ତି । ବିହନ ଆଣିବା ପରେ ଦେଶୀ ପ୍ରକ୍ରିୟାକରଣରେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଛତୁ ଚାଷ କରୁଥିବା କହିଛନ୍ତି ଚାଷୀ । ଛତୁ ଚାଷ ଦ୍ୱାରା ଆର୍ଥିକ ସ୍ତରରେ କିଛି ପରିମାଣରେ ସ୍ୱଚ୍ଛଳ ହୋଇପାରୁଥିବା ସେମାନେ କହିଛନ୍ତି । ଧାନ କଟା ଶେଷ ହେବା ପରେ ରୋଜଗାରର ବାଟ ଏକ ପ୍ରକାର ବନ୍ଦ ହୋଇପଡିଥିଲା । କିନ୍ତୁ ଏବେ ଧାନର ମୂଳ ଓ କେଣ୍ଡାକୁ ଆଣି ପରିବାରର ଆର୍ଥିକ ସ୍ଥିତିକୁ ବଦଳାଇଛନ୍ତି ଆଦିବାସୀ ଲୋକେ ।

Advertisment

ଛତୁ ଚାଷ ଦେଇଛି ନୂଆ ପରିଚୟ । ଆର୍ଥିକ ସ୍ଥିତି ସୁଦୃଢ କରୁଛି ଛତୁ ଚାଷ । ରୋଜଗାରର ରାସ୍ତା ଦେଖାଇଛି ଛତୁ ଚାଷ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଦଳପତିଗୁଡା ଓ ଆମ୍ବଗୁଡା ଗାଁର ବାସିନ୍ଦା ଛତୁ ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି । ଏହି ଗାଁର ପ୍ରାୟ ଅଧିକାଂଶ ଲୋକଙ୍କ ଘରେ ଛତୁ ଚାଷ କରାଯାଉଛି । ଘରେ ଘରେ ଅତି ଯତ୍ନ ସହକାରେ ଏହି ଚାଷ କରିଛନ୍ତି ଆଦିବାସୀ ଅଧ୍ୟୁଷିତ ମହିଳା ଓ ପୁରୁଷ । କେଉଁଠି ଗଛ ଡ଼ାଳରେ ପାଳ ଗୋଛା ଝୁଲୁଛି ତ, ପୁଣି କେଉଁଠି ଘର ଭିତରେ ବାଉଁଶ ବାଡ଼ି ଓ ରଶି ସାହାଯ୍ୟରେ ପାଳ ଗୋଛାକୁ ଝୁଲାଇ ରଖିଛନ୍ତି ଲୋକେ । ପ୍ରଥମେ ବଜାରରୁ ଛତୁ ବିହନ କିଣିକି ଆଣିବା ପରେ ଦେଶୀ ପ୍ରଣାଳୀରେ ଛତୁ ଚାଷ କରୁଛନ୍ତି ଚାଷୀ । ଦୁଇ ଦିନକୁ ଥରେ ଛତୁ ତୋଳା ଯାଉଥିବା ବେଳେ ୪ଶହରୁ ୫ଶହ ଟଙ୍କା ରୋଜଗାର ହେଉଥିବା କହିଛନ୍ତି ଛତୁ ଚାଷୀ ।

ପ୍ରଥମେ ଧାନ ଚାଷରୁ ବାହାରୁଥିବା ଛଣ ଓ ନଡ଼ାକୁ ସଂଗ୍ରହ କରନ୍ତି । ଏହାପରେ ଛଣ ଗୁଡ଼ିକୁ ବିଡା ବାନ୍ଧି ପାଣିରେ ଭିଜାଇ ରଖିବାକୁ ପଡ଼ିଥାଏ । ଏହା ପରେ ଏଥିରେ ଛତୁ ବିହନ ରଖି ପଲିଥିନରେ ପ୍ୟାକିଂ କରି ଛାଇ ଥିବା ସ୍ଥାନରେ ଟଙ୍ଗାଇ ରଖିଥାଆନ୍ତି । ଦିନେ ଦୁଇ ଦିନ ଭିତରେ ଏଥରୁ ଛତୁ ତୋଳାଯାଇଥାଏ । ଏହାକୁ ବଜାରରେ ବିକ୍ରୟ କରି ଏଥିରୁ ବେଶ ଦୁଇ ପଇସା ରୋଜଗାର କରିଥାନ୍ତି ।

ରୋଜଗାରର ବାଟ ଦେଖାଇଲା ଛତୁ ଚାଷ । ଧାନ ଚାଷ ପରେ ଛତୁ ଚାଷ । ଧାନ ଚାଷ ଶେଷ ହେବା ପରେ ହାତକୁ ଅର୍ଥ ଆସୁନଥିଲା । ରୋଜଗାରର ବାଟ ମଧ୍ୟ ଫିଟୁ ନଥିଲା । ଶୀତଋତୁରେ ଧାନ କଟା ଚାଲିଥିବାରୁ ଆଦିବାସୀ ମହିଳାମାନେ ଧାନ କାଟିବାକୁ ଯାଇ ୨ ପଇସା ରୋଜଗାର କରିପାରୁଥିଲେ । ଏମିତିକି ପରିବାର ପ୍ରତିପୋଷଣ କରିବାରେ ମହିଳାମାନେ ସହଯୋଗ କରୁଥିଲେ । ଆଉ ଧାନଚାଷ ସରିଯିବା ପରେ ରୋଜଗାରର ପନ୍ଥା ନପାଇ ହାତ ବାନ୍ଧି ବସୁଥିଲେ ଏହି ଆଦିବାସୀ ଅଂଚଳର ମହିଳା । ତେଣୁ ରୋଜଗାର କରିବା ଆଶାରେ ଛତୁ ଚାଷର ତାଲିମ ନେଇ ଏହି ଚାଷକୁ ଆପଣାଇଛନ୍ତି ଚାଷୀ ।