କନକ ବ୍ୟୁରୋ : ବିଶ୍ୱକପରେ ଭାରତ-ବାଂଲାଦେଶ ମଧ୍ୟରେ ମହାମୁକାବିଲା ଖେଳାଯିବ । ତେବେ ଏହି ମ୍ୟାଚ୍ ପୂର୍ବରୁ ବାଂଲାଦେଶର ୱିକେଟକିପର ମୁସଫିକୁର ରହିମ କୋହଲିଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ରହିମ କହିଛନ୍ତି, ମୁଁ କୋହଲିଙ୍କୁ କେବେ ସ୍ଲେଜ କରେନ କି ଚିଡାଏ ନାହିଁ । କାରଣ କୋହଲିଙ୍କୁ ଥରେ ସ୍ଲେଜ କରିବା ମାତ୍ରେ ତାଙ୍କର ଉତ୍ସାହ ବଢିଯାଏ ଏବଂ ଏହାର ଜବାବ ସେ ନିଜର ବ୍ୟାଟିଂ ଜରିଆରେ ପ୍ରତିପକ୍ଷ ଦଳକୁ ଦେଇଥାନ୍ତି ।

Advertisment

ମୁସଫିକୁର କହିଛନ୍ତି, ବିଶ୍ୱର ଏମିତି ଅଧିକାଂଶ ଖେଳାଳି ରହିଛନ୍ତି ଯେଉଁମାନେ ସ୍ଲେଜିଙ୍ଗକୁ ପସନ୍ଦ କରନ୍ତି କାରଣ ଏହାଦ୍ୱାରା ସେମାନେ ଅଧିକ ଉତ୍ସାହିତ ହୋଇଥାନ୍ତି ଏବଂ ମନରେ ଜୋଶ ଭରିଥାଏ । ଏଥିପାଇଁ ମୁଁ କୋହଲିଙ୍କୁ କେବେ ସ୍ଲେଜ କରେନି । କାରଣ ଏଭଳି କରିବା ଦ୍ୱାରା ତାଙ୍କର ଉତ୍ସାହ ବଢି ଯାଇଥାଏ ଏବଂ କ୍ରିଜରେ ଅଧିକ ସମୟ ରହି ପ୍ରତିପକ୍ଷ ଟିମକୁ ଆକ୍ରମଣ କରିବାକୁ ଜୋଶ ମିଳିଥାଏ । ଏପରିକି ମୁଁ ଟିମର ବୋଲରଙ୍କୁ କହିଥାଏ ଯେ, କୋହଲିଙ୍କୁ ଯେତେ ଶୀଘ୍ର ଆଉଟ କରିହେବ ଟିମ୍ ପାଇଁ ତାହା ସେତିକି ଲାଭଦାୟକ ହେବ ।

ଏହାବାଦ୍ ବାଂଲାଦେଶର ଏହି ଷ୍ଟାର ୱିକେଟକିପର କହିଛନ୍ତି, ମୁଁ ଯେବେ ବି ବିରାଟଙ୍କ ବିପକ୍ଷରେ ଖେଳିଥାଏ ଏବଂ ପଡିଆରେ ବ୍ୟାଟିଂ କରିବାକୁ ପହଞ୍ଚିଥାଏ ସେତେବେଳେ ବିରାଟ କୋହଲି ସ୍ଲେଜିଂ କରିବାର ଗୋଟିଏ ବି ସୁଯୋଗ ହାତଛଡା କରନ୍ତିନି । କୋହଲି ପ୍ରତିଯୋଗିତା ମନୋଭାବ ରଖି ଖେଳୁଥିବା ଖେଳାଳୀ । ସେ କେବେ ମଧ୍ୟ ମ୍ୟାଚ୍ ହାରିବାକୁ ଚାହାନ୍ତି ନାହିଁ । ତେଣୁ କୋହଲି ଓ ଭାରତ ବିପକ୍ଷରେ ଖେଳିବାର ଚ୍ୟାଲେଞ୍ଜକୁ ମୁଁ ପସନ୍ଦ କରେ ବୋଲି କହିଛନ୍ତି ମୁସିଫକୁର ।

ଏମିତିରେ କୋହଲିଙ୍କର ବାଂଲାଦେଶ ବିପକ୍ଷରେ ବେଶ ଭଲ ରେକର୍ଡ ରହିଛି । କୋହଲି ବାଂଲାଦେଶ ବିପକ୍ଷରେ ୧୫ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୮୦୭ ରନ୍ କରିଛନ୍ତି । ଯେଉଁଥିରେ ୪ଟି ଶତକ ଓ ୩ଟି ଅର୍ଦ୍ଧଶତକ ରହିଛି । ଏହାଛଡା ଚଳିତ ବିଶ୍ୱକପରେ ମଧ୍ୟ କୋହଲି ଭଲ ଫର୍ମରେ ରହିଛନ୍ତି । ଦୁଇଟି ଅର୍ଦ୍ଧଶତକ ସହ କୋହଲି ଏବେ ସୁଦ୍ଧା କୋହଲି ୩ଟି ମ୍ୟାଚରୁ ୧୫୬ ରନ୍ କରିଛନ୍ତି । ବିଶ୍ୱକପ ଇତିହାସରେ ବାଂଲାଦେଶ ଓ ଭାରତ ମଧ୍ୟରେ ୫ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଭାରତ ୪ଟିରେ ବିଜୟୀ ହୋଇଥିବା ବେଳେ ବାଂଲାଦେଶ କେବଳ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି । ୨୦୦୭ ବିଶ୍ୱକପରେ ବାଂଲାଦେଶ ଠାରୁ ପରାଜିତ ହୋଇ ବିଶ୍ୱକପରୁ ବିଦାୟ ନେଇଥିଲା ଟିମ୍ ଇଣ୍ଡିଆ ।