ବାବୁ ବେଲୁନ ନିଅ… ମାତ୍ର ୨୦ ଟଙ୍କା । ବେଲୁନ ନନେଲେ ମୋ ପେଟ ପୂରିବନି, ପରିବାର ଚଳିବନି, ନିଅ ବାବୁ ନିଅ… ଭୋକ ପାଇଁ ଭିକାରୀ ନସାଜି ବଡଦାଣ୍ଡରେ ବେଲୁନ ବିକୁଛି କଅଁଳ ଶିଶୁ…

190

କନକ ବ୍ୟୁରୋ: ବେଲୁନ ନିଅ ବେଲୁନ… ରଙ୍ଗୀନ ରଙ୍ଗୀନ ବେଲୁନ… ୨୦ ଟଙ୍କାରେ ବେଲୁନ… ବାବୁ ବେଲୁନ ନିଅ… ବେଲୁନ… କୁନି ପୁଅର ଏ ଡାକ ଶୁଣି ହୁଏତ କିଏ ଘର ପାଇଁ ଖୁସି କିଣି ନେଇପାରେ । ମାତ୍ର ୨୦ ଟଙ୍କା ଦେଇ ନିଜ ଝିଅ ପାଇଁ, ନିଜ ପୁଅ ପାଇଁ ସାମାନ୍ୟ ବେଲୁନଟିଏ ନେଇ ତାଙ୍କ ମୁହଁରେ ହସ ଫୁଟାଇପାରେ । କିନ୍ତୁ କୁନି ପୁଅ ପାଇଁ ଏ ରଙ୍ଗୀନ ବେଲୁନ ରୋଜିରୁଟି । ବେଲୁନ ନବିକିଲେ ପେଟ ପୂରିବନି, ପରିବାର ଚଳିବନି । ସେଇଥିପାଇଁ ତ ପେଟ ପାଇଁ ପବନ ଭର୍ତ୍ତି ବେଲୁନ ବିକୁଛି ଆଉ ଅତି ଯତ୍ନର ସହ ବେଲୁନ ଗୁଚ୍ଛାକୁ ତା କଅଁଳ ହାତରେ ଜାବୁଡି ଧରିଛି । କାରଣ ସେ ଜାଣିଛି ଯଦି ଗୋଟେ ବି ବେଲୁନ ଫାଟି ଯିବ ତେବେ ଆଜି ତାଙ୍କୁ ଉପାସ ରହିବାକୁ ପଡିବ, ଭୋକିଲା ଶୋଇବାକୁ ପଡିବ ।

ବଡଦାଣ୍ଡରେ ବୁଲୁବୁଲୁ ଏ ନିଷ୍କପଟ, ନିଷ୍ପାପ ଶିଶୁ ଉପରେ ପଡିଥିଲା ଆମ ପ୍ରତିନିଧି ସୀମାଞ୍ଚଳ ପାଢୀଙ୍କ ନଜର । କୁନି ପୁଅର ନିରିହ ଆଖି, ନିର୍ଭେଜାଲ ଚାହାଣୀ, ବେଲୁନ ବିକିବାର ଭଙ୍ଗୀ ଆଉ ଦୁଃଖ ଚାପି ଚୁପି ଚୁପି ହସିବାର କଳା ତାଙ୍କୁ ପ୍ରଭାବିତ କରିଥିଲା ଆଉ ସେ ସଙ୍ଗେସଙ୍ଗେ କ୍ୟାମେରାରେ କଏଦ କରିଥିଲେ ବଡଦାଣ୍ଡର ଏ କୁନି ବେଲୁନ ବିକାଳୀକୁ ।

ମୁରଲୀ । ବୟସ ୬ ବର୍ଷ । ଘର ରାଜସ୍ଥାନ କୋଟାରେ । ଦୀର୍ଘ ୨୦ ବର୍ଷ ଧରି ପୁରୀ ତାଳବଣିଆ ଅଞ୍ଚଳରେ ବାପାମାଆ ରହୁଥିବାରୁ ସେ ଏଠାରେ ଅଛନ୍ତି । ଦିନ ହେଲେ ବଡଦାଣ୍ଡରେ ବେଲୁନ ବିକୁଛନ୍ତି ଆଉ ରାତି ହେଲେ ଷ୍ଟେସନରେ ଶୋଉଛନ୍ତି ସାରା ପରିବାର । ପାଖରେ ପଇସା ନଥିବାରୁ ପୁଅକୁ ପାଠ ପଢାଇ ନାହାନ୍ତି ବାପାମାଆ । ପେଟ ପାଇଁ ତ ପଇସା ନାହିଁ ପାଠ ପାଇଁ ଆସିବ କେଉଁଠୁ? ତେଣୁ ବାଧ୍ୟ ହୋଇ ଖଡି, କଲମ ଧରା ହାତରେ ମୁରଲି ଧରିଛି ମନଛୁଆଁ ବେଲୁନ ।

ଯେଉଁ ବୟସରେ ସେ ରଙ୍ଗୀନ ବେଲୁନ ଧରି ଖେଳିବା କଥା ସେହି ବୟସରେ ସେ ବେଲୁନ ବିକୁଛି । ମୁଣ୍ଡ ଉପରେ ଭଳି କି ଭଲି ରଙ୍ଗ ବେରଙ୍ଗର ବେଲୁନ ଥାଇ ବି ଭୋକ ପାଇଁ ସେସବୁ ଫିକାଫିକା ଦିଶୁଛି । ତଥାପି ଛିଡି ଯାଇଥିବା ପରର ଜୋତା, ଗଳି ପଡୁଥିବା ପ୍ୟାଣ୍ଟ , ମଇଳା ପୋଷାକ ପିନ୍ଧି ମୁରଲି ବେଲୁନ ପରି ରଙ୍ଗୀନ ଭବିଷ୍ୟତର ସ୍ୱପ୍ନ ଦେଖୁଛି । ଆଉ ସେ ସ୍ୱପ୍ନ ସତ କରିବାକୁ କାଳିଆ ଦୁଆରେ ତା କୁନି କୁନି ପାଦ ଆଗକୁ ଆଗକୁ ବଢୁଛି…