ଟାହି ଟାପରାରୁ ମୟୂରଭଞ୍ଜରେ ଜଘନ୍ୟ ହତ୍ୟାକାଣ୍ଡ । ଛୋଟ କଳିକୁ କେନ୍ଦ୍ର କରି ସାଙ୍ଗକୁ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ ।

147

କନକ ବ୍ୟୁରୋ : ଟାହିଟାପରାକୁ କେନ୍ଦ୍ର କରି ଜଣେ ସାଙ୍ଗକୁ ମାରିଦେଲେ ଆଉ ୪ଜଣ ସାଙ୍ଗ । ଏହି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ବଡଗାଁ ପଞ୍ଚାୟତରେ । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ୪ଜଣ ସାଙ୍ଗକୁ ଗିରଫ କରିଛି । କ୍ୟାମେରା ଆଗରେ ଅଭିଯୁକ୍ତ ବଖାଣିଛି କେମିତି ହୋଇଥିଲା ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ।

ହତ୍ୟାକାଣ୍ଡର ଏହି କାହାଣୀ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ । ଏକ ସାମାନ୍ୟ ଟାହିଟାପରାକୁ କେନ୍ଦ୍ର କରି ୪ଜଣ ସାଙ୍ଗ ମିଶି ମାରିଛନ୍ତି ଆଉ ଜଣେ ସାଙ୍ଗକୁ ।

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ବଡଗାଁ ପଞ୍ଚାୟତ ସାତପୁଟୁଳି ଠାକୁରାଣୀ ପୀଠ । ଏହି ସ୍ଥାନରେ ଏକାଠି ହୋଇଥିଲେ ୫ଜଣ ସାଙ୍ଗ । ଏକତରଫା ପ୍ରେମକୁ କେନ୍ଦ୍ର କରି ଜଗନ୍ନାଥ ସୋରେନଙ୍କୁ ପୂର୍ବରୁ ଚିଡେଇଥିଲେ ବିମଳ ସିଂହ । ଏହାର ବଦଲା ନେବା ପାଇଁ ମେଳା ଦେଖିବାକୁ ଏହି ପୀଠକୁ ବିମଳକୁ ଡାକିଥିଲେ ଜଗନ୍ନାଥ ଓ ବାକି ସାଙ୍ଗ । ରାଗ ସୁଝାଇବାକୁ ଯାଇ ବିମଳଙ୍କୁ ପଛପଟୁ ଏକ ପଥରରେ ଆକ୍ରମଣ କରିଥିଲେ ଜଗନ୍ନାଥ । ତଳେ ପଡିଯିବା ପରେ ସଙ୍ଗେ ସଙ୍ଗେ ଅନ୍ୟମାନେ ମିଶି ଆକ୍ରମଣ କରିଥିଲେ । ହତ୍ୟାକାଣ୍ଡ ପରେ ମୃତଦେହକୁ ପଥର ତଳେ ଲୁଚାଇ ଦେଇଥିଲେ ସେମାନେ ।

ଗତ ୧୮ ତାରିଖରେ ଘଟିଥିଲା ଏହି ଘଟଣା । ୨ଦିନ ପରେ ହତ୍ୟାକାଣ୍ଡ କଥା ସେତେବେଳେ ପର୍ଦ୍ଦାଫାଶ ହୋଇଥିଲା ଯେତେବେଳେ ହତ୍ୟାକାରୀ ସେହି ଗାଁର ଜଣେ ଯୁବକକୁ ପୂରା ଘଟଣା ସମ୍ପର୍କରେ କହିଥିଲା । ପୋଲିସ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ୪ଜଣ ସାଙ୍ଗଙ୍କୁ ଗିରଫ କରିଛି ।