କନକ ବ୍ୟୁରୋ: ଜମି ବିବାଦ ପାଇଁ ଭାଇ ଭୁଲିଗଲା ରକ୍ତର ସଂପର୍କ । ସ୍ତ୍ରୀ ସହ ମିଶି ସାନ ଭାଇକୁ ସୁପାରୀ କିଲର ଜରିଆରେ ହତ୍ୟା କରିଛନ୍ତି ବଡଭାଇ ଏବଂ ଭାଉଜ । ନୀଳଗିରି ଅଂଚଳର ଏହି ଘଟଣା ଏବେ ଚର୍ଚ୍ଚାରେ । ତିନି ମାସ ତଳେ କିଭଳି ଷଡଯନ୍ତ୍ର ରଚିଥିଲେ ଭାଇ ଭାଉଜ ତାର ଏବେ ଫର୍ଦ୍ଦାଫାଶ ହୋଇଛି । ଏହି ମାମଲାରେ ମୋଟ୍ ୬ ଜଣ ଗିରଫ ହୋଇଛନ୍ତି । ବଡକଥା ହେଉଛି ସାନ ଭାଇକୁ ହତ୍ୟା କରିବାକୁ ହୋଇଥିଲା ଷଡଯନ୍ତ୍ର କିନ୍ତୁ ସାଙ୍ଗରେ ଆଉ ଜଣେ ଯାଇଥିବାରୁ ସେ ମଧ୍ୟ ହତ୍ୟାର ଶିକାର ହୋଇଛନ୍ତି ।

Advertisment

ସମ୍ପତ୍ତି ପାଇଁ ସମ୍ପର୍କ ଭୁଲିଗଲା ଭାଇ । ସ୍ତ୍ରୀ ସହ ମିଶି ସାନ ଭାଇକୁ ମାରିବାକୁ ପଛାଇଲାନି । ବାଲେଶ୍ୱର ନୀଳଗିରିରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ପରେ ସବୁ ସତ୍ୟତା ସାମ୍ନାକୁ ଆସିଛି । ପାରିବାରିକ ବିବାଦ ଓ ଜମିଜମା ପାଇଁ ସାନ ଭାଇ ଭବାନୀ ରାଉତଙ୍କୁ ରାସ୍ତାରୁ ହଟାଇବାକୁ ନିଷ୍ପତି ନେଇଥିଲା ବଡ଼ ଭାଇ ବିଜୟ ରାଉତ । ଆଉ ଏଥିପାଇଁ ତିନି ମାସ ତଳୁ ରଚାଯାଇଥିଲା ଷଡ଼ଯନ୍ତ୍ର ।

- ସାନ ଭାଇକୁ ହତ୍ୟା କରିବା ପାଇଁ ଗତ ୫ ତାରିଖରେ ସୁପାରୀ କିଲରଙ୍କୁ ଟଙ୍କା ଦେଇଥିଲେ ବିଜୟ
- ହତ୍ୟା ପାଇଁ ସୁପାରୀ କିଲର ସହ ୧.୪୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା
- ଏଥିପାଇଁ ୩୦ ହଜାର ଟଙ୍କା ଅଗ୍ରୀମ ଦିଆଯାଇଥିଲା
- ହତ୍ୟା ବେଳେ ଅନ୍ୟ ଜଣେ ଯୁବକ ଦେଖିଥିବାରୁ ହତ୍ୟାର ଶିକାର ହୋଇଥିଲେ
- ଯୋଜନା ମୁତାବକ ଭବାନୀଙ୍କୁ ଡାକି ନେଇ ଭୋଜିଭାତ କରିଥିଲେ ୪ ସୁପାରୀ କିଲର
- ସୁଯୋଗ ଦେଖି ଭବାନୀ ଓ ତାଙ୍କ ସାଙ୍ଗ ମନୋରଞ୍ଜନ ମହାପାତ୍ରଙ୍କୁ ହତ୍ୟା କରିଥିଲେ
- ହତ୍ୟା ପରେ ମୃତଦେହକୁ ନୀଳ ହ୍ରଦରେ ଫୋପାଡ଼ି ଦେଇଥିଲେ

ବଡ଼ କଥା ହେଉଛି, ଗତ ୫ ତାରିଖରେ ଭବାନୀ ନିଖୋଜ ଥିବା ଥାନାରେ ଅଭିଯୋଗ କରିଥିଲେ ବଡ଼ ଭାଇ ଅଜୟ । ନୀଳ ହ୍ରଦ ପାଖରେ ଚପଲ ଓ ରକ୍ତଛିଟା ପଡ଼ିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସେ ସନ୍ଦେହ କରୁଥିବା ପୁଲିସକୁ କହିଥିଲେ । ଅଭିଯୋଗ ଆଧାରରେ ପୁଲିସ ଏକ ଟିମ୍ ଗଠନ କରି ମାମଲାର ତଦନ୍ତ କରିଥିଲା । ଆଉ ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଲା ଯେ ଘଟଣାରେ ବିଜୟଙ୍କ ସଂପୃକ୍ତି ରହିଛି । ଆଉ ଜେରା ବେଳେ ସବୁ ଦୋଷ ସ୍ୱୀକାର କରିଥିଲା ବିଜୟ । ଏହା ପରେ ପୁଲିସ ଗୋଟି ଗୋଟି କରି ୬ ଜଣଙ୍କୁ ଗିରଫ କରିଛି ।

କିଛି ଦିନ ତଳେ ନୀଳହ୍ରଦ ନିକଟରେ ଚପଲ ଓ ରକ୍ତଛିଟା ପଡ଼ିଥିବା ଦେଖି ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଚପଲଟି ମନୋରଞ୍ଜନଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଥିଲେ । ତେବେ ହତ୍ୟା ସନ୍ଦେହରେ ଅଗ୍ନିଶମ ବାହିନୀ ପକ୍ଷରୁ ଖାଦାନ ପାଣିରେ ବହୁ ଖୋଜାଖୋଜି ପରେ ଦୁଇଟି ମୃତଦେହ ଉଦ୍ଧାର ହୋଇଥିଲା ।