ବଡ ଭାଇକୁ ହତ୍ୟା କଲା ସାନ ଭାଇ : ଘଟଣାସ୍ଥଳରେ ପହଂଚି ପୁଲିସର ତଦନ୍ତ ଆରମ୍ଭ

117

କନକ ବ୍ୟୁରୋ : ସାମାନ୍ୟ ବଚସାରୁ ବଡ ଭାଇକୁ ହତ୍ୟା କଲା ସାନ ଭାଇ । ସୁନ୍ଦରଗଡ ଜିଲ୍ଲା ବଣାଇ ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ଗ୍ରାମର ଭାଗବାନସାହି ମୁଣ୍ଡା ବସ୍ତିରେ ଆଜି ଏକ ହତ୍ୟାକାଣ୍ଡ ଘଟିଯାଇଛି । ମିଳିଥିବା ସୂଚନା ମୁତାବକ ଗତକାଲି ରାତ୍ରି ଭୋଜନ ସମୟରେ ସାନ ଭାଇ ଲଣ୍ଡା ମୁଣ୍ଡା ଓ ବଡ ଭାଇ ଶୁକ୍ରା ମୁଣ୍ଡାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏହା ପରେ ସାନ ଭାଇ ଲଣ୍ଡା ଏକ ଟାଙ୍ଗିଆ ଆଣି ବଡ ଭାଇକୁ ହତ୍ୟା କରିଥିଲା ।

ହତ୍ୟା କରିବା ପରେ ପରିବାର ସଦସ୍ୟ କେହି ପାଖକୁ ଆସିଲେ ତାଙ୍କୁ ମଧ୍ୟ ହତ୍ୟା କରିବାର ଧମକ ଦେଇଥିଲା । ହତ୍ୟା କରିବା ପରେ ସାନ ଭାଇ ଫେରାର ହୋଇଯାଇଛି । ଆଜି ପରିବାର ଲୋକ ମହୁଲପଦା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏବେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ହତ୍ୟାକାରୀ ଲଣ୍ଡା ମୁଣ୍ଡାକୁ ଧରିବାକୁ ପୁଲିସ ଛାନଭିନ ଚଳାଇଥିବାବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି ।