କନକ ବ୍ୟୁରୋ : ସମୟ ରାତି ପ୍ରାୟ ୧୧ଟା ୩୦ ମିନିଟ । ସ୍ଥାନ ବେଙ୍ଗାଲୁରୁ କୋରମଙ୍ଗଲା ଲେଡିଜ ପେୟିଙ୍ଗ ଗେଷ୍ଟ ବା ହଷ୍ଟେଲରେ ହଠାତ ଏକ ବ୍ୟାଗ୍ ଧରି ପହଞ୍ଚିଥିଲା । ଜଣେ ଯୁବକ । ତା ଆଖି ଖୋଜି ବୁଲେ ଜଣକୁ । କିଛି ମୁହୁର୍ତ୍ତ ପରେ ସାମ୍ନାକୁ ଆସେ ବିଚଳିତ କରିବା ଭଳି ଚିତ୍ର । ଜଣେ ଯୁବତୀକୁ ଆକ୍ରମଣ କରେ ଯୁବକ । କିଛି ମିନିଟରେ ଟଣାଓଟରାରେ ଜୀବନ ବଂଚାଇବାକୁ ଚେଷ୍ଟା କରେ ଯୁବତୀ । ମାତ୍ର ଦୁଇ ମିନିଟ ଭିତରେ ୨୦ରୁ ୩୦ ଥର ଛୁରୀ ଭୁଷିଦେଇ ଚାଲିଲା ଯୁବକଟି । କେତେବେଳେ ପେଟକୁ, କେତେବେଳେ ଛାତି, ଛୁରାମାଡ଼ କରି ଚାଲେ ଅଭିଯୁକ୍ତ ଆଉ ଶେଷରେ ବେକକାଟି ସେଠାରୁ ଫେରାର ହୁଏ । ଆର୍ତ୍ତ ଚିତ୍କାର ଶୁଣି ସେଠାରେ ଥିବା ଅନ୍ୟ ଝିଅମାନେ ବି ଘଟଣାସ୍ଥଳରେ ପହଁଚନ୍ତି । କିନ୍ତୁ କେହିବି ସଙ୍ଗେସଙ୍ଗେ ରକ୍ତଜୁଡୁବୁଡ ଯୁବତୀଙ୍କୁ ନିକଟକୁ ଯିବାକୁ ସାହସ କରିନଥିଲେ । ସିସିଟିଭିରେ ହତ୍ୟାକାଣ୍ଡର ସେହି କିଛି ମିନିଟ କଏଦ ହୋଇଛି ।
ମୃତ ଯୁବତୀ ହେଉଛନ୍ତି ୨୪ ବର୍ଷୀୟା କ୍ରିତି କୁମାରୀ । ତାଙ୍କ ଘର ବିହାରରେ । ପୁଲିସର ସୂଚନା ଅନୁସାରେ ଅଭିଯୁକ୍ତର ପ୍ରେମିକାର ସାଙ୍ଗ ଥିଲେ କ୍ରିତି କୁମାରୀ । ତେବେ କାହିଁକି ହତ୍ୟା କଲା ଅଭିଯକ୍ତ? ହତ୍ୟା ବିଷୟରେ କେମିତି ଜାଣିପାରିଲେନି ସୁରକ୍ଷାକର୍ମୀ? ବିଳମ୍ବିତ ରାତିରେ କେମିତି ଅଭିଯୁକ୍ତ ସେଠାକୁ ପଶିଲା ଓ ଫେରାର ହେଲା?ହତ୍ୟା ମାମଲାରେ ପୁଲିସକୁ ପ୍ରଥମ ସଫଳତା ମିଳିଛି । ଅଭିଯକ୍ତକୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି ।