କନକ ବ୍ୟୁରୋ : ବାଲି ଚୋରିକୁ କେନ୍ଦ୍ର କରି ସଦର ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ଗୋଟିଏ ଗୋଷ୍ଠୀର କେତେକ ସଦସ୍ୟ ସଂଘବଦ୍ଧ ଭାବେ ଅନ୍ୟ ଗୋଷ୍ଠୀର ଜଣେ ଯୁବକଙ୍କୁ ଖଣ୍ଡା ଓ ବିଭିନ୍ନ ଧାରୁଆ ଅସ୍ତ୍ରରେ ହାଣି ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ଏହି ହତ୍ୟାକାଣ୍ଡ ପରେ ଉଭୟ ଗାଁ’ର ଯୁବକମାନେ ଫେରାର ହୋଇଯାଇଛନ୍ତି।
source : Capital FMପୁଲିସ ସୂଚନା ଅନୁଯାୟୀ ସଦର ଥାନା ଅଞ୍ଚଳରୁ ବାଲି ଚୋରିକୁ କେନ୍ଦ୍ର କରି କଣ୍ଠପୁର ଓ ଗୋଲାସାହିର ଏହି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ବିବାଦ ଗତ ସପ୍ତାହରେ ଉଗ୍ର ରୂପ ନେଇଥିଲା। ବିବାଦକୁ ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ପୁଲିସ ଏ କ୍ଷେତ୍ରରେ ନିରବ ରହିବାରୁ ବିବାଦ ଅଧିକ ଘନୀଭୂତ ହୋଇଥିଲା।
କଣ୍ଠପୁର ଓ ଗୋଲା ସାହିର ଏହି ଦୁଇ ଗୋଷ୍ଠୀ ଗତକାଲି ମୁହାଁମୁହିଁ ହୋଇଥିଲେ। ଏହାର ପ୍ରତିଶୋଧ ନେବାକୁ ସନ୍ଧ୍ୟାରେ ଉଭୟ ଗୋଷ୍ଠୀ କୋରୁଅ ଛକରେ ପୁଣି ମୁହାଁମୁହିଁ ହୋଇଥିଲେ। ଏହି ଗଣ୍ଡଗୋଳରେ କଣ୍ଠପୁର ଗାଁ’ର ଟୁଲୁ ଓରଫ ବେଲ ବିଶ୍ବାଳ(୨୩) ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଅପର ଗୋଷ୍ଠୀ ପ୍ରାଣାନ୍ତକ ଆକ୍ରମଣ କରିବାରୁ ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଖବର ପାଇ ଏସପି ଡ. ଉମାଶଙ୍କର ଦାଶ, ସିଟି ଡିଏସପି କ୍ଷୀରସାଗର ନାୟକ, ସଦର ଥାନା ଇନ୍ସପେକ୍ଟର ଦେବାଶିଷ ମିଶ୍ର ପ୍ରମୁଖ ଫୋର୍ସ ସହିତ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି ।
Follow Us