କନକ ବ୍ୟୁରୋ : ମୋବାଇଲ ଗେମ ଫ୍ରି-ଫାୟାର ନିଶା କେତେ ଯେ ସାଂଘାତିକ । ତାହାର ଦୁଃଖଦ ପରିଣତି ଦେଖିବାକୁ ମିଳିଛି କୋରାପୁଟରେ । ଫ୍ରି-ଫାୟାର ଗେମ ଖେଳିବା ପାଇଁ ମୋବାଇଲ ନଦେବାରୁ ଜଣେ ୧୨ ବର୍ଷୀୟ ନାବାଳକକୁ ତାର ଦୁଇ ସାଙ୍ଗ ନିର୍ମମ ଭାବେ ହତ୍ୟା କରିଛନ୍ତି । ପ୍ରଥମେ ମୁଣ୍ଡକୁ ପଥରରେ ଛେଚି, ଅଚେତ ନାବାଳକୁ ନଈରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

ଫ୍ରି ଫାୟାର ଗେମ ପାଇଁ ସାଙ୍ଗ ହୋଇଗଲେ ଶତ୍ରୁ । ନାବାଳକକୁ ନିର୍ମମ ଭାବେ ହତ୍ୟା କଲେ ଦୁଇ ସାଙ୍ଗ । ଫ୍ରି-ଫାୟାର ଗେମ ପାଇଁ ଜଣେ ନାବାଳକକୁ ତାର ଦୁଇ ଜଣ ସାଙ୍ଗ ହତ୍ୟା କରିଛନ୍ତି । ମୋବାଇଲ ଗେମକୁ ନେଇ ଏଭଳି ଅଘଟଣ ଘଟିଥିବା କୋରାପୁଟ ଟାଉନ ଥାନାରେ ଅଭିଯୋଗ ହୋଇଛି । ମୃତ ନାବାଳକ ଜଣକ ହେଉଛନ୍ତି ମସିପୁଟ ଗାଁର ୧୨ ବର୍ଷ ବୟସ୍କ ଲୁଲୁ ଭୋଇ । ଗୁରୁବାର ସନ୍ଧ୍ୟାରେ ଲୁଲୁ ନିଖୋଜ ହୋଇଥିବା ବେଳେ ଶୁକ୍ରବାର ସକାଳେ ନଈରେ ତା ମୃତଦେହ ଭାସୁଥିବା ଦେଖିଥିଲେ ଗ୍ରାମବାସୀ । ତେବେ ଫ୍ରି-ଫାୟାର ଗେମ୍ ଖେଳକୁ ନେଇ ଲୁଲୁକୁ ତାର ଦୁଇ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପୁଲିସ ସୂଚନା ଅନୁସାରେ ଲୁଲୁ ଭୋଇ ଓ ତାର ଦୁଇ ସାଙ୍ଗ ସ୍କୁଲ ପରିସରରେ ଫ୍ରି-ଫାୟାର ଗେମ ଖେଳୁଥିଲେ । ମୋବାଇଲରେ ଗେମ ଖେଳିବାକୁ ନେଇ ଲୁଲୁ ଓ ତା ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ହୋଇଥିଲା । ଲୁଲୁ ମୋବାଇଲ ନଦେବାରୁ ତା’ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ ଦୁଇ ସାଙ୍ଗ, ଏହାପରେ ଅଚେତ ଲୁଲୁକୁ ନେଇ ପାଖ ନଈରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଦୁଇ ଅଭିଯୁକ୍ତକୁ ଥାନାକୁ ନେଇ ପଚରା ଉଚରା କରୁଛି ।

ଫ୍ରି ଫାୟାର ଗେମ୍ ଖେଳିବାର ନିଶା ପାଇଁ ଜଣେ ନାବାଳକକୁ ହତ୍ୟା କରିବାକୁ ପଛାଇ ନାହାନ୍ତି ତାର ଦୁଇ ଜଣ ସାଙ୍ଗ । ଏହି ଫ୍ରି-ଫାୟାର ଗେମ ଏବେ ଇଂଟରନେଟରେ ବେଶ ଲୋକପ୍ରିୟ ରହିଛି । ୨୦୨୧ରେ ଏହାକୁ ୧୫କୋଟି ଲୋକ ଡାଉନଲୋଡ କରିଥିଲେ । ବିଶେଷ କରି ଏହି ଗେମ କିଶୋର ବୟସର ପିଲାଙ୍କ ମଧ୍ୟରେ ବେଶ ଆଦୃତ । କୁହାଯାଏ ଥରେ ଏହି ଗେମ ଖେଳିଲେ, ଏହା ଏକ ନିଶା ପାଲଟିଯିବାର ସମ୍ଭାବନା ଥାଏ ।