ଭୋଟ ବେଳେ ବୀଭତ୍ସ ହତ୍ୟା: ଭୁଜାଲିରେ ହାଣିଲେ ଦୁବୃର୍ତ୍ତ

275

କନକ ବ୍ୟୁରୋ: ଶାନ୍ତି ଶୃଂଖଳାରେ ସହ ନିର୍ବାଚନ ଶେଷ କରିବାକୁ ପ୍ରଶାସନର ସମସ୍ତ ପ୍ରୟାସ ସତ୍ୱେ ବିଭିନ୍ନ ସ୍ଥାନରୁ ଆସିଛି, ଚିନ୍ତାଜନକ ଖବର । ଦକ୍ଷିଣରୁ ଉତର, ପୂର୍ବରୁ ପଶ୍ଚିମ ସବୁଠି ନିର୍ବାଚନୀ ବେଳେ ହିଂସାକାଣ୍ଡ ଘଟିଛି । ଗଞ୍ଜାମ ଖଲ୍ଲିକୋଟ ପରେ ଏବେ ବରଗଡରୁ ଆସିଛି ହତ୍ୟାକାଣ୍ଡ ଅଭିଯୋଗ । ଅନ୍ୟପଟେ ବ୍ୟକ୍ତିଗତ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ବୋଲି କହିଛି ପ୍ରଶାସନ ।

ନିର୍ବାଚନ ସମୟରେ ଗଞ୍ଜାମ ଖଲ୍ଲିକୋଟ ହତ୍ୟାକାଣ୍ଡ ଘଟଣା ଚର୍ଚ୍ଚା ଥମି ନଥିବାବେଳେ, ବରଗଡରୁ ଆଉ ଏବ ବର୍ବର ହତ୍ୟାକାଣ୍ଡର ଖବର । ବରଗଡ ନିକଟ ସଦର ଥାନା ଅନ୍ତର୍ଗତ ସରସରା ଗାଁ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକଙ୍କ ନାଁ ବିଶ୍ୱନାଥ ମିର୍ଦ୍ଧା ବୋଲି ଜଣାପଡିଛି । ଅଟୋରେ ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ନେବା ଆଣିବା କରୁଥିଲେ ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ମୃତ ବିଶ୍ୱନାଥ ଭୋଟରଙ୍କୁ ଅଟୋରେ ପାଖରେ ଥିବା ମତଦାନ କେନ୍ଦ୍ରକୁ ନେଉଥିଲେ । ସେହି ସମୟରେ ଏକ ଗୋଷ୍ଠୀ ତାଙ୍କୁ ବିରୋଧ କରିବା ସହ ଭୁଜାଲିରେ ଆକ୍ରମଣ କରିଥିଲେ । ଭୁଜାଲି ମାଡରେ ବିଶ୍ୱନାଥ ରକ୍ତ ଜୁଡୁବୁଡୁ ହୋଇଯାଇଥିଲେ । ଆଉ ତାପରେ ତାଙ୍କର ମୃତ୍ୟୁ ହୋଇଛି ।

ଦିନ ଦ୍ୱିପ୍ରହରରେ ବିଶ୍ୱନାଥଙ୍କ ହତ୍ୟାକାଣ୍ଡ ସ୍ଥାନୀୟ ଅଂଚଳରେ ଉତେଜନା ଲାଗି ରହିଛି । ଗ୍ରାମବାସୀ ପ୍ରତିବାଦ କରିଛନ୍ତି । ଅନ୍ୟପଟେ ବରଗଡ ଏସପି ଓ ଆଇଜି ହିମାଂଶୁଲାଲ ଘଟଣାସ୍ଥଳରେ ପହଁଚି ସ୍ଥିତିକୁ ଆୟତ କରିବାକୁ ଉଦ୍ୟମ କରିଛନ୍ତି । ପୋଲିସ ଫୋର୍ସ ପ୍ରତିବାଦକାରୀଙ୍କୁ ଘଟଣାସ୍ଥାଳରୁ ଘଉଡାଇ ଦେଇଛନ୍ତି । ଏପିରିକି କିଛି ଲୋକଙ୍କୁ ବସରେ ବସାଇ ନେଇଥିବା ଦେଖିବାକୁ ମିଳିଛି । ତେବେ ଏହି ହତ୍ୟାକାଣ୍ଡ ବ୍ୟକ୍ତିଗତ ଶତ୍ରୁତାରୁ ଘଟିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏପଟେ ବିଶ୍ୱନାଥଙ୍କ ମୃତ୍ୟୁକୁ ନେଇ ବିଜେପି ଶାସକ ଦଳକୁ ଘେରିଛି । ବିଶ୍ୱନାଥ ବିଜେପିର କର୍ମୀ ଥିଲେ ବୋଲି ଦାବି କରିବା ସହ ବୁଥ ଠାରୁ ମାତ୍ର ୩ଶହ ମିଟର ଦୂରରେ କେମିତି ହତ୍ୟା କରାଗଲା ବୋଲି ଅଭିଯୋଗ କରିଛନ୍ତି । ନିର୍ବାଚନ ସମୟରେ ଏଭଳି ହତ୍ୟାକାଣ୍ଡ ବରଗଡ ଜିଲ୍ଲା ସମେତ ସାରାରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି ।