ରହସ୍ୟ ବଢ଼ାଉଛି ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ଘଟଣା : ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ; ସରକାରୀ କ୍ୱାଟର୍ସରେ ନିଆଁ ଲାଗିଥିବାର ନାହିଁ ଚିହ୍ନବର୍ଣ୍ଣ

4,862

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢିବାରେ ଲାଗିଛି । ସବୁଠାରୁ ବଡକଥା ହେଉଛି, ନିଜ ସରକାର କ୍ୱାଟର୍ସରେ କିଛି କାଗଜପତ୍ର ଓ ଫାଇଲ ପୋଡୁଥିବାବେଳେ ସୌମ୍ୟରଞ୍ଜନଙ୍କ ଦେହରେ ନିଆଁ ଲାଗି ଯାଇଥିବା କୁହାଯାଉଥିଲା । ତେଣୁ ସୌମ୍ୟଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ସେହି କ୍ୱାଟର୍ସରେ ପହଂଚି ସରଜମିନ ତଦନ୍ତ କରିଛି ସାଇଂଟିଫିକ ଟିମ୍ । ଆଶ୍ଚର୍ଯ୍ୟଜନକ ଭାବରେ ସେହି କ୍ୱାର୍ଟରରେ ନିଆଁ ଲାଗିଥିବା କିମ୍ବା ସେଭଳି କିଛି ଘଟଣା ଘଟିଥିବାର ଚିହ୍ନବର୍ଣ୍ଣ ନାହିଁ । କ୍ୱାଟର୍ସର ସବୁ ଜାଗାକୁ ତନ୍ନତନ୍ନ କରି ଯାଂଚ କରାଯାଇଥିଲା । ହେଲେ ନିଆଁ ପୋଡି ହେଲାଭଳି କୌଣସି ସଂକେତ ଦେଖାଯାଇ ନଥିଲା ।

କୋଠରୀ ଭିତରେ କେବଳ କିଛି ଧୂଆଁ ଗନ୍ଧ ବାରି ହେଉଥିଲା । କିନ୍ତୁ କିରୋସିନ୍ ଗନ୍ଧ ବାରି ହେଉନଥିଲା । କୋଠରୀ ଭିତରେ ଥିବା ଅନେକ ପ୍ଲାଷ୍ଟିକ ସାମଗ୍ରୀ, ପଲିଥିନ ଓ କାଗଜପତ୍ରରେ ନିଆଁ ଲାଗିନଥିବା ଦେଖା ଯାଇଥିଲା । ଘଟଣା ପରଠାରୁ ସୌମ୍ୟଙ୍କ କ୍ୱାର୍ଟରର ଚାବି ଡିଏଫଓଙ୍କ ନିକଟରେ ରହିଥିଲା । ତେଣୁ ସେହି କୋଠରୀ ଭିତରେ ଜଣେ ବ୍ୟକ୍ତି ନିଆଁରେ ପୋଡି ହୋଇଥିବାରୁ କୌଣସି ପ୍ରମାଣ ମିଳିନଥିଲା ବୋଲି କହିଛନ୍ତି ଆଇନଜୀବୀ ପାର୍ଥସାରଥୀ ନାୟକ । ସୌମ୍ୟଙ୍କ ମୃତ୍ୟୁ ମାମଲା ଯେତିକି ରହସ୍ୟ ମୟ ଓ ଜଟିଳ ହେଉଛି, ପୋଲିସ ଘଟଣାକୁ ସେତିକି ଗୁରୁତ୍ୱର ସହ ନେଉଛି ।

ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଡିଏଫଓଙ୍କ ସମେତ ତିନି ଜଣଙ୍କ ବିରୋଧରେ ଆଇପିସି ଧାରାର ଦଫା ୩୦୨ ଅର୍ଥାତ ହତ୍ୟା, ଦଫା ୧୨୦-ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର) ମାମଲା ରୁଜୁ ହୋଇଛି ।