ଗୁରୁଦିବସରେ ଗୁରୁଙ୍କୁ ହତ୍ୟା କରି ଦକ୍ଷିଣା ଦେଲା ଛାତ୍ର । ମୋବାଇଲ ପାଇଁ ଠେଙ୍ଗାରେ ପିଟିପିଟି ଗୁରୁଙ୍କୁ କରିଥିଲା ହତ୍ୟା

1,305
କନକ ବ୍ୟୁରୋ  :ମୁରା ଡିପିଏ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ହୃଦାନନ୍ଦ ପ୍ରଧାନ(୪୭)ଙ୍କ ହତ୍ୟାର ୮ ଦିନ ପରେ ଘଟଣା ଉପରୁ ପରଦା ହଟିଛି। ଏହି ହତ୍ୟା ଘଟଣାରେ ଶାସନ ପୁଲିସ୍ ମୁରା ଗ୍ରାମର ରାଜୁ ଓରଫ ଦୁଃଖନାଶନ ବାଗ(୨୦)କୁ ଗିରଫ କରିଛି। ମୋବାଇଲ ଲୁଟ୍ ଉଦ୍ଦେଶ୍ୟରେ ଗୁରୁ ଶ୍ରୀ ପ୍ରଧାନଙ୍କୁ ଗୁରୁ ଦିବସ ଦିନ ରାତିରେ ରାଜୁ ହତ୍ୟା କରିଥିଲା ବୋଲି ପୁଲିସ୍ ନିକଟରେ ସ୍ବୀକାର କରିଛି।
ମିଳିଥିବା ସୂଚନା ମୁତାବକ, ମୁରାସ୍ଥିତ ଡିପିଏ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ରାଜୁ ୨୦୧୮ରେ ପାଠପଢ଼ା ଛାଡ଼ି ଦେଇଥିଲା। କିନ୍ତୁ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ପ୍ରଧାନଙ୍କ ସହ ତାର ଉତ୍ତମ ସମ୍ପର୍କ ରହି ଆସିଥିଲା। ଏହାପରେ ସେ ଲଖନପୁରସ୍ଥିତ କୋଇଲା ଖଣିରେ ଯାଇ କାମ କରୁଥିଲା। ଗତ ଜାନୁଆରି ମାସରେ ଆସିଥିବା ସମୟରେ ସେ ଏକ ଏଲଆଇସି ବୀମା କରିବ ବୋଲି ଶ୍ରୀ ପ୍ରଧାନଙ୍କୁ କହିଥିଲା। ନୂଆଁଖାଇ ଛୁଟିରେ ଆସିଥିବା ସମୟରେ ୨-୩ ଥର ଶ୍ରୀ ପ୍ରଧାନଙ୍କ ସହ ଭେଟ ମଧ୍ୟ ହୋଇଥିଲା। ୫ ତାରିଖ ଦିନ ଗୁରୁଦିବସ ଥିବା ସମୟରେ ଉଭୟ ଗୁରୁ -ଶିଷ୍ୟ ଅନେକ ସମୟ ଏହି ଦିନ ଏକାସାଙ୍ଗରେ ବିତାଇଥିଲେ। ଶ୍ରୀ ପ୍ରଧାନ ସନ୍ଧ୍ୟାରେ ରାଜ ଘରକୁ ଆସି ତାର ବାପା-ମା’ ସହ ବୀମା ନେଇ ଆଲୋଚନା ମଧ୍ୟ କରିଥିଲେ।
ଏହାପରେ ରାତି ପ୍ରାୟ ୮ଟା ସମୟରେ ରାଜୁକୁ ନେଇ ଶ୍ରୀ ପ୍ରଧାନ ତାଙ୍କ ଘରକୁ ଯାଇଥିଲେ। ଶ୍ରୀ ପ୍ରଧାନ ଏମ୍ଆଇର ଏକ ନୂଆ ଏଣ୍ଡ୍ରଏଡ ମୋବାଇଲ କିଣିଥିବାରୁ ସେଥିରେ ହ୍ବାଟ୍ସ ଆପ୍, ଫେସ୍ବୁକ୍ ଲୋଡ କରିବାକୁ ରାଜୁକୁ କହିଥିଲେ। ରାଜୁ ମୋବାଇଲରେ ସମସ୍ତ ସେଟିଂ କରିବା ବେଳକୁ ରାତି ପ୍ରାୟ ସାଢ଼େ ୯ଟା ହୋଇସାରିଥିଲା। ଲାଇନ୍ ନଥିବାରୁ ଡିବିରି ଆଲୁଅରେ ଶ୍ରୀ ପ୍ରଧାନ ରାତ୍ରି ଭୋଜନ ପାଇଁ ଭାତ ବାଢ଼ିଥିଲେ। ଏହି ସମୟ ମଧ୍ୟରେ ନୂଆ ମୋବାଇଲ ପ୍ରତି ରାଜୁର ଲୋଭ ଆସିସାରିଥିଲା। ଶ୍ରୀ ପ୍ରଧାନଙ୍କଠାରୁ କୌଣସି ମତେ ମୋବାଇଲ ନେବାକୁ ସ୍ଥିର କରିବା ପରେ ସେ ଘର କୋଣରେ ଥୁଆ ହୋଇଥିବା ଏକ ଠେଙ୍ଗାକୁ ପ୍ରସ୍ତୁତ କରିଥିଲା। ଡିବିରି ଆଲୁଅର ସୁଯୋଗ ନେଇ ସେ ଠେଙ୍ଗାରେ ଶ୍ରୀ ପ୍ରଧାନଙ୍କ ମୁଣ୍ଡକୁ ପଛପଟୁ ଆକ୍ରମଣ କରିଥିଲା।
ଶ୍ରୀ ପ୍ରଧାନ କ୍ଷତାକ୍ତ ହୋଇ ତଳେ ପଡ଼ିଯିବା ପରେ ତାଙ୍କର ଦୁଇହାତକୁ ବାନ୍ଧିଦେବା ପରେ ସାମ୍ନା ପଟୁ ବାରମ୍ବାର ଠେଙ୍ଗାରେ ମାଡ଼ ମାରିଥିଲା। ଶ୍ରୀ ପ୍ରଧାନଙ୍କ ଜୀବନ ଚାଲିଯିବା ଜାଣିବା ପରେ ତାଙ୍କ ବାମ ଗୋଡ଼କୁ ହିଟର ଉପରେ ଥୋଇ ସୁଇଚ୍ ମଧ୍ୟ ଟିପି ଦେଇଥିଲା। ଲାଇନ୍ ଆସିବା ପରେ ହିଟର ଜଳିବା ପରେ ତାଙ୍କ ଗୋଡ଼ଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। ଏହାପରେ ଶ୍ରୀ ପ୍ରଧାନଙ୍କ ମୋବାଇଲ ଓ ବାକ୍ସରେ ଥିବା ୪୦ ହଜାର ଟଙ୍କା ନେଇ ସେ ଘଟଣାସ୍ଥଳରୁ ଚାଲିଯାଇଥିଲା। ଚାବି ଖୋଜିବାକୁ ଆଉ ସମୟ ନଥିବାରୁ ନିଜେ ଏକ ନୂଆ ତାଲା କିଣି ଆଣି କବାଟରେ ପକାଇ ପାଖ ପଡ଼ିଆକୁ ଚାବି ଫିଙ୍ଗି ଦେଇଥିଲା। ମୋବାଇଲର ଖୋଳ ମଧ୍ୟ ଫିଙ୍ଗି ଦେଇଥିଲା। ଏହାପରେ ରାତି ପ୍ରାୟ ୧୧ଟାରେ ଗ୍ରାମର ହରିଜନ ପଡ଼ାରେ ଚାଲିଥିବା ଗଣେଶପୂଜା ଭସାଣିରେ ମଧ୍ୟ ସାମିଲ ହୋଇଥିଲା। ଭସାଣି ପରେ ଗ୍ରାମରେ ଅନୁଷ୍ଠିତ ଭୋଜି ମଧ୍ୟ ଖାଇବା ପରେ ବିଳମ୍ବିତ ରାତିରେ ଘରକୁ ଫେରିଥିଲା। ତେବେ ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଂଚରେ ଚାଂଚଲ୍ୟ ଖେଳିଯାଇଛି । ସାମାନ୍ୟ ମୋବାଇଲ ପାଇଁ ଏପରି ହତ୍ୟାକାଣ୍ଡ ଯେ ଘଟିବ କେହି କେବେ ଭାବିନଥିଲେ । ତେବେ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।