କନକ ବ୍ୟୁରୋ: ସ୍ୱାମୀ-ସ୍ତ୍ରୀ ଓ ସେ’ରୁ ହତ୍ୟାକାଣ୍ଡ । ଯୁବକଙ୍କୁ ମଦରେ ବିଷ ଦେଇଥିଲେ ସ୍ତ୍ରୀ! ମୃତଦେହକୁ ବୁଦା ମୂଳେ ଫିଙ୍ଗି ଦେଇଥିଲେ ସ୍ୱାମୀ । କୋରାପୁଟ ଲମତାପୁଟ ବ୍ଲକ ଅନକାଡେଲି ଗାଁରେ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ସ୍ୱାମୀ-ସ୍ତ୍ରୀ ଦୁଇ ଜଣଙ୍କୁ ଗିରଫ କରି ଏଭଳି କିଛି ତଥ୍ୟ ଦେଇଛି ପୁଲିସ । ପୁଲିସ ଆଗରେ ପୁରା ଘଟଣା ସଂପର୍କରେ ମୁହଁ ଖୋଲିଛନ୍ତି ଅଭିଯୁକ୍ତ ଦମ୍ପତି ।
ନନ୍ଦପୁର ଏସଡିପିଓଙ୍କ ସୂଚନା ଅନୁସାରେ, ଅନକାଡେଲି ଗ୍ରାମର ସୁମିତ୍ରା ଦିନଙ୍କ ସହ ମୃତ ରୋହିତଙ୍କ ଅନୈତିକ ସମ୍ପର୍କ ଥିଲା । ସୁମିତ୍ରାଙ୍କ ସ୍ୱାମୀ ଏକଥା ଜାଣି ଉଭୟଙ୍କୁ ତାଗିଦ କରିଥିଲେ । ସୁମିତ୍ରା, ରୋହିତଙ୍କୁ ବାରଣ କରିବା ସତ୍ୱେ ସେ ବାରମ୍ବାର ତାଙ୍କ ଘରକୁ ଆସି ବ୍ଲାକମେଲ କରି ଶାରିରୀକ ସଂପର୍କ ରଖୁଥିଲେ । ୨୪ ତାରିଖ ରାତିରେ ଉଭୟ ମଦ ପିଇଥିଲେ । ସେତେବେଳେ ସୁମିତ୍ରା ମଦରେ ବିଷ ମିଶାଇ ରୋହିତକୁ ପିଆଇ ଦେଇଥିଲେ । ମଦ୍ୟପାନର କିଛି ସମୟ ପରେ ରୋହିତ ଟଳି ପଡିଥିଲେ । ପରେ ସୁମିତ୍ରାଙ୍କ ସ୍ୱାମୀ ମୃତଦେହକୁ ଝାଟି ବୁଦାରେ ଫିଙ୍ଗି ଦେଇଥିଲେ ।
୩ ଦିନ ନିଖୋଜ ଥିବା ରୋହିତଙ୍କ ମୃତଦେହ ମିଳିବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରି ମାଛକୁଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ । ଘଟଣାସ୍ଥଳରେ ମାଛକୁଣ୍ଡ ପୋଲିସ ସାଇଂଟିଫିକ ଟିମକୁ ଡକାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗ ହେବାର ୨୪ ଘଂଟା ମଧ୍ୟରେ ଅଭିଯୁକ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ମାଛକୁଣ୍ଡ ପୋଲିସ । ତେବେ ପରକୀୟ ପ୍ରୀତି କରୁଣ ପରିଣତି ଘଟିଛି । ବିବାହିତା ପ୍ରେମିକାର ବିଶ୍ୱାସ ଘାତକ ବିଷରେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ ହତ୍ୟା ଅଭିଯୁକ୍ତ ଦମ୍ପତି ଗିରଫ ହୋଇଛନ୍ତି ।