ସାପ ଦ୍ୱାରା କରିଥିଲେ ହତ୍ୟା । ସୁପ୍ରିମକୋର୍ଟ କହିଲେ ଅଭିଯୁକ୍ତଙ୍କୁ ଦେଇହେବନି ଜାମିନ, ସାପ ବିଷ ଦ୍ୱାରା ହତ୍ୟା କରିବା ଏବେ ନୂଆ ଟ୍ରେଣ୍ଡ ପାଲଟିଲାଣି ।

201

କନକ ବ୍ୟୁରୋ : ସାପ ଦ୍ୱାରା ଜଣେ ମହିଳାଙ୍କୁ ହତ୍ୟା ଅଭିଯୋଗର ଶୁଣାଣି କରି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ବିଷଧର ସାପ ଦ୍ୱାରା କାହାକୁ ମାରିବା ଏବେ ନୂଆ ଟ୍ରେଣ୍ଡ ପାଲଟିଗଲାଣି, ଖାସକରି ରାଜସ୍ଥାନରେ ଏହା ଏବେ ସାମାନ୍ୟ ଘଟଣା ହୋଇ ସାରିଲାଣି । ତେଣୁ ଏହି ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିନାହାନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଏନ.ଭି ରମନ୍ନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲିଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରିଥିବା ବେଳେ ଅଭିଯୁକ୍ତ କୃଷ୍ଣ କୁମାରଙ୍କ ଓକିଲ କହିଥିଲେ, ତାଙ୍କ ମହକିଲଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । ତେବେ ସାଙ୍ଗ ସହ ମିଶି ୧୦ ହଜାର ଟଙ୍କାରେ ବିଷଧର ସାପ କିଣିଥିବା ନେଇ ଅଭିଯୁକ୍ତଙ୍କ ନାଁରେ ଅଭିଯୋଗ ରହିଛି ।

ଅଭିଯୁକ୍ତଙ୍କ ଓକିଲ କହିଛନ୍ତି, କଣ ପାଇଁ ବିଷଧର ସାପ ତାଙ୍କ ସାଙ୍ଗ କିଣୁଥିଲେ ତାହା ଜାଣିନଥିଲେ କୃଷ୍ଣ । କୌଣସି ଔଷଧରେ ବ୍ୟବହାର ପାଇଁ ଏହି ବିଷ କିଣାଯାଉଛି ବୋଲି ଜାଣିଥିଲେ କୃଷ୍ଣ । ଏପରିିକି ତାଙ୍କ ସାଙ୍ଗ ଏହାକୁ କାହାକୁ ଦେବେ ତାହା ମଧ୍ୟ ଜାଣିନଥିଲେ କୃଷ୍ଣ । ଏହାଛଡା କୃଷ୍ଣ ଜଣେ ଇଞ୍ଜିନିୟରିଂ ଛାତ୍ର, ତେଣୁ ତାଙ୍କ ଭବିଷ୍ୟ ପାଇଁ ଜାମିନ ଦିଆଯାଉ ।

ସାପ ଦ୍ୱାରା ହତ୍ୟା କଲା ଭଳି ଏହି ଘଟଣା ୨୦୧୯ରେ ରାଜସ୍ଥାରନ ଝୁନଝୁନ ଜିଲ୍ଲାରୁ ଆସିଥିଲା । ଯେଉଁଠି ଅଭିଯୁକ୍ତ ବୋହୂ ଅଳ୍ପନା ତାଙ୍କ ଶାଶୁଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ବୋହୂ ଅଳ୍ପନା ବିବାହ ପରେ ମଧ୍ୟ ମନିଷ ନାମକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ଅଳ୍ପନା ଓ ତାଙ୍କ ଶାଶୁ ଗାଁରେ ଏକାଠି ରହୁଥିଲେ, ଅନ୍ୟପଟେ ଅଳ୍ପନାଙ୍କ ସ୍ୱାମୀ ସେନାରେ ଚାକିରି କରୁଥିବାରୁ ବାହାରେ ରହୁଥିଲେ । ୨୦୧୮ରେ ଅଳ୍ପନାଙ୍କର ବିବାହ ହୋଇଥିଲା । କିନ୍ତୁ ସ୍ୱାମୀ ପାଖରେ ରହୁନଥିବାର ସୁଯୋଗ ନେଇ ମନିଷଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଅଳ୍ପନା । ଫୋନରେ ଘଣ୍ଟା ଘଣ୍ଟା ଧରି କଥା ହେଉଥିବାରୁ ଏବାବଦରେ ତାଙ୍କ ଶାଶୁ ଜାଣିପାରିଥିଲେ । ମନିଷଙ୍କ ସହ ପ୍ରେମ ସମ୍ପର୍କ ରଖିଥିବାରୁ ପ୍ରତିଦିନ ଶାଶୁ ଅଳ୍ପନାଙ୍କୁ ଗାଳି କରୁଥିଲେ ।

ମନିଷଙ୍କ ସହ ପ୍ରେମ ସମ୍ପର୍କରେ ବାଧା ଦେବାରୁ ଶାଶୁଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ ଅଳ୍ପନା । ଆଉ ଏଥିପାଇଁ ପ୍ରେମିକ ମନିଷଙ୍କ ସହ ମିଶି ସାପ ଦ୍ୱାରା ଶାଶୁଙ୍କୁ ହତ୍ୟା କରିଥିଲେ ଅଳ୍ପନା । ପ୍ରଥମେ ଏହା ବାବଦରେ କେହି ଜାଣିପାରିନଥିଲେ କିନ୍ତୁ ଦେଢମାସ ପରେ ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟିଥିଲା । ଯେତେବେଳେ ଅଳ୍ପନାଙ୍କ ଉପରେ ତାଙ୍କର ଶ୍ୱଶୁରଘର ଲୋକଙ୍କର ସନ୍ଦେହ ବଢିଥିଲା । ଶାଶୁଘର ଲୋକ ଏନେଇ ପୋଲିସରେ ଖବର ଦେବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା । ଆଉ ଯାଞ୍ଚର ଦିନ କେଇଟା ମଧ୍ୟରେ ମନିଷ ଓ ସାଙ୍ଗ କୃଷ୍ଣଙ୍କୁ ମଧ୍ୟ ଅଳ୍ପନାଙ୍କୁ ସହଯୋଗ ଅଭିଯୋଗରେ ଗିରଫ କରିଥିଲା ପୋଲିସ । ଗତ ୪ ଜାନୁଆରୀ ୨୦୨୦ରେ ମନିଷଙ୍କ ସହ କୃଷ୍ଣଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ସେବେଠାରୁ ଜେଲରେ ରହିଛନ୍ତି କୃଷ୍ଣ । ଆଉ ଜାମିନ ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ଏହା ସମ୍ଭବପର ହୋଇପାରିନାହିଁ ।