କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସବଜେଲରୁ ଗତ ୧୩ରେ ଫେରାର ମାରିଥିବା ବିଚାରାଧୀନ କଏଦୀ ଟୁକୁନା ମାଳିକୁ ବାଲିଗୁଡ଼ା ଓ ବ୍ରାହ୍ମଣୀଗାଁ ପୁଲିସ ଗିରଫ କରିଛି। ଗିରଫ ସମୟରେ ଦୁର୍ଷ୍କମ ଓ ହତ୍ୟା ଅଭିଯୁକ୍ତ ଟୁକୁନା ବ୍ରାହ୍ମଣୀଗାଁ ଜଙ୍ଗଲ ଭିତରେ ଲୁଚିଥିଲା।

Advertisment

ସୂଚନାଯୋଗ୍ୟ ଜେଲରୁ ଟୁକୁନା ଚମ୍ପଟ୍‌ ମାରିବା ଘଟଣାକୁ ନେଇ ଜେଲ କର୍ତ୍ତୃପକ୍ଷଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଅନେକ ଚର୍ଚ୍ଚା ହେଉଥିଲା। ଯେଉଁ ସମୟରେ ଏହି ଘଟଣା ଘଟିଥିଲା ୱାଚ୍‌ ଟାୱାର ବା ପହରା ଦୁର୍ଗରେ ସବୁଦିନ ଭଳି ୫ ଜଣ ଆର୍‌ଆର୍‌ବି ଯବାନ ମୁତୟନ ଥିଲେ। ତଥାପି, ଜଣେ ହତ୍ୟା ଅଭିଯୁକ୍ତ ଖସିଗଲା। ଖସିଗଲା ନା ଖସାଇଦେଲେ, ତାହା ଏବେ ବି ଅସମାହିତ ପ୍ରଶ୍ନ ହୋଇରହିଛି। ଟୁକୁନାକୁ ଧରିବା ପାଇଁ ପୁଲିସର ୪ଟି ଟିମ୍‌ ଗଠନ କରାଯାଇଥିଲା।

ସୂଚନା ଅନୁସାରେ, ତିନିଟି ପାଳିରେ ୫ ଜଣ ଲେଖାଏଁ ଆଇଆରବି ଯବାନ୍‌ ପହରା ଦୁର୍ଗରେ ମୁତୟନ ଥାଆନ୍ତି। ଟୁକୁନା ଅପରାହ୍‌ଣ ୪ଟାରେ ନିଖୋଜ ହେବାବେଳେ ସମସ୍ତ ପାଞ୍ଚ ଜଣ ଯବାନ ହିଁ ଡ୍ୟୁଟିରେ ଥିଲେ। ଏହାସତ୍ତ୍ବେ ବି ଟୁକୁନା କିଭଳି ଚମ୍ପଟ୍‌ ମାରିଥିଲା। ଏହି ଘଟଣାରୁ ହୁଏତ ଦୁଇଟି ଦିଗ ଥାଇପାରେ ବୋଲି ଆଲୋଚନା ହେଉଛି। ପ୍ରଥମ, ଯବାନ ମାନେ ନିଜର କର୍ତ୍ତବ୍ୟକୁ ସଠିକ୍‌ ରୂପେ ସମ୍ପାଦନ କରୁନାହାନ୍ତି। ପହରା ଦୁର୍ଗରେ ଠିଆ ହେଉଛନ୍ତି ସତ କାହାର ଗତିବିଧି ଉପରେ ନିରୀକ୍ଷଣ କରୁନାହାନ୍ତି। ଦ୍ବିତୀୟ, ହୁଏତ କଏଦୀକୁ ଖସି ଚାଲିବା ପାଇଁ ବାଟ କରିଛନ୍ତି ଏବଂ ସେହି ବାଟ ହେଉଛି ଢିଲା ସୁରକ୍ଷା ବ୍ୟବସ୍ଥା। ଏବେ ସାଧାରଣରେ ଏହିଭଳି ଆଲୋଚନା ଶୁଣିବାକୁ ମିଳୁଛି।

ଖାଲି ଯବାନ ନୁହନ୍ତି, ମୁଖ୍ୟ ଫାଟକରେ ଜଣେ ବରିଷ୍ଠ ୱାର୍ଡ଼ର ଏବଂ ଭିତରେ ୩ରୁ ୪ ଜଣ ୱାର୍ଡ଼ର ଘଟଣାଦିନ ପଇଁତରା ମାରୁଥିଲେ। ତଥାପି, ସବୁ ସୁରକ୍ଷା ବଳୟକୁ ଭେଦକରି ଟୁକୁନା ଷ୍ଟୋର୍‌ ରୁମ୍‌ ଝରକା ଗ୍ରୀଲକୁ ଗ୍ୟାସ୍‌ କଟରରେ କାଟି ଫେରାର୍‌ ହୋଇଯିବାରେ ଏମା‌ନଙ୍କର ସମ୍ପୃକ୍ତି ନାହିଁ ? ସାଧାରଣ ଲୋକଙ୍କ ଚର୍ଚ୍ଚା ଓ ସନ୍ଦେହ ବଳୟରେ ବି ଏମାନେ ରହିଯାଇଛନ୍ତି।