୨୦୧୮ରେ ହୋଇନପାରେ ପୌର ନିର୍ବାଚନ ! ଜାଣନ୍ତୁ କେଉଁ ଦଳ ଫାଇଦାରେ ରହିବ

67

କନକ ବ୍ୟୁରୋ : ଆସନ୍ତାବର୍ଷ ହେବାକୁ ଥିବା ପୌର ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟ ନିର୍ବାଚନ କମିସନ ଏ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । କିନ୍ତୁ ପୌର ନିର୍ବାଚନକୁ ନେଇ ଏବେ ଆଶଙ୍କା ଦେଖା ଦେଇଛି । କାରଣ କେନ୍ଦ୍ର ସରକାର ଆଗୁଆ ସାଧାରଣ ନିର୍ବାଚନ କରିବାକୁ ମନ ବଳାଇଛନ୍ତି । ଅର୍ଥାତ ୨୦୧୮ରେ ସାଧାରଣ ନିର୍ବାଚନ ହୋଇପାରେ । ତେଣୁ ଏଭଳି ସ୍ଥିତିରେ ଆସନ୍ତାବର୍ଷ ପୌର ନିର୍ବାଚନ ହେବାର ସମ୍ଭାବନା କ୍ଷୀଣ ।

State-Election-Commissionସମ୍ବିଧାନ ବିଶେଷଜ୍ଞଙ୍କ ମତରେ ସାଧାରଣ ନିର୍ବାଚନ ପରି ଆଗୁଆ ପୌର ନିର୍ବାଚନ କରିବା ସମ୍ଭବ ନୁହେଁ। ଏଣୁ ପୌରସଂସ୍ଥାର ୫ବର୍ଷିଆ କାର୍ଯ୍ୟକାଳ ସରିବା ପରେ ସରକାର ସେଠାରେ ପ୍ରଶାସକ ନିଯୁକ୍ତି କରି ନିର୍ବାଚନକୁ ଟାଳିପାରନ୍ତି। ବର୍ତମାନ ବିଜେଡି ଓ ବିଜେପି ମଧ୍ୟରେ ଯେଭଳି ଟକରାଟକରି ପରିସ୍ଥିତି ରହିଛି ଓ ପଞ୍ଚାୟତ ନିର୍ବାଚନର ଫଳାଫଳ ଯାହା ସଙ୍କେତ ଦେଇଛି, ସେଥିରେ ରାଜ୍ୟ ସରକାର ସାଧାରଣ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବାଲାଗି ଆଗ୍ରହ ନ ଦେଖାଇବା ସ୍ୱାଭାବିକ। ଆଉ ଯେହେତୁ ଏବେ ଆଗୁଆ ନିର୍ବାଚନ କଥା ଉଠିଲାଣି, ଏଣୁ ସରକାରଙ୍କୁ ଏହା କଙ୍କଡାକୁ ଗୋଳି ପାଣି ସୁହାଇବା ଭଳି ହୋଇଛି । ଏଇ ଆଳରେ ପୌର ନିର୍ବାଚନକୁ ଏଡାଇଯିବା କିଛି ବିଚିତ୍ର ନୁହେଁ।

ଉଲ୍ଲେଖଯୋଗ୍ୟ, ୨୦୧୯ରେ ସାଧାରଣ ନିର୍ବାଚନ ହେବା କଥା। ମାତ୍ର ପ୍ରାୟ ୬ମାସ ଆଗରୁ ଅର୍ଥାତ୍ ୨୦୧୮ ଅକ୍ଟୋବର ଅଥବା ନଭେମ୍ବର ବେଳକୁ ନିର୍ବାଚନ କରିବା ଲାଗି କେନ୍ଦ୍ର ସରକାର ଯୋଜନା ଚଳାଇଛନ୍ତି। ଗୁରୁବାର ଭାରତର ନିର୍ବାଚନ କମିସନ ଆଉ ଟିକିଏ ଆଗକୁ ଯାଇ ଏ ସମ୍ଭାବନାକୁ ଆହୁରି ବଢାଇଛନ୍ତି। ଏକ ସଭାରେ ନିବାର୍ଚନ କମିସନ କହିଥିଲେ, ୨୦୧୮ ସେପ୍ଟେମ୍ବର ସୁଦ୍ଧା ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି କରିବା ଲାଗି ନିର୍ବାଚନ କମିସନ ପୂରା ପ୍ରସ୍ତୁତ। ଏଭଳି ସ୍ଥଳେ ପୌର ନିର୍ବାଚନ ବିଳମ୍ବ ସମ୍ଭାବନା ଚର୍ଚ୍ଚା ଜୋର ଧରିଛି।

odishaଇତିମଧ୍ୟରେ ଆସନ୍ତାବର୍ଷ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ରାଜ୍ୟ ନିର୍ବାଚନ କମିସନ। କମିସନଙ୍କ ସଚିବ ରବି ନାରାୟଣ ସାହୁ ରାଜ୍ୟ ସରକାରଙ୍କୁ ଗତ ଗୁରୁବାର ପତ୍ର ଲେଖି ପୌରସଂସ୍ଥା ଗୁଡିକର କାର୍ଯ୍ୟକାଳ ଶେଷ ହେଉଥିବା ସଂପର୍କରେ ସୂଚନା ଦେଇଛନ୍ତି। ବ୍ରହ୍ମପୁର ମହାନଗର ନିଗମ ସମେତ ୬୬ ଟି ପୌରସଂସ୍ଥାର କାର୍ଯ୍ୟକାଳ ଆସନ୍ତାବର୍ଷ ସେପ୍ଟେମ୍ବର ୩୦ ତାରିଖରେ ଶେଷ ହେଉଛି ବୋଲି ସେ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି । ଅନ୍ୟ ୨୦ ଟି ପୌରସଂସ୍ଥାର କାର୍ଯ୍ୟକାଳ ଆସନ୍ତାବର୍ଷ ଡିସେମ୍ବର ୪ ତାରିଖରେ ପୂରିବାକୁ ଯାଉଥିବା ବେଳେ ଦୁଇଟି ପୌରସଂସ୍ଥାର କାର୍ଯ୍ୟକାଳ ମଧ୍ୟ ୨୦୧୮ ଡିସେମ୍ବର ୯ ତାରିଖରେ ସମାପ୍ତ ହେବ । ଭୁବନେଶ୍ୱର ମହାନଗର ନିଗମର କାର୍ଯ୍ୟକାଳ ୨୦୧୯ ଜାନୁଆରି ୧୭ ତାରିଖରେ ଶେଷ ହେଉଛି। କଟକ ମହାନଗର ନିଗମ ଓ ବାରିପଦା ପୌରସଂସ୍ଥାର କାର୍ଯ୍ୟକାଳ ୨୦୧୯ ଫେବୃୟାରି ୧୩ ତାରିଖରେ ପୂରିଯିବ । ବଲାଙ୍ଗୀର, ଟିଟିଲାଗଡ ପୌରସଂସ୍ଥାର କାର୍ଯ୍ୟକାଳ ୨୦୧୯ ଜୁଲାଇ ୧୧ ତାରିଖରେ ଶେଷ ହେଉଛି। ନିୟମ ଅନୁସାରେ, ପୌରସଂସ୍ଥା ଗୁଡିକର ପାଞ୍ଚବର୍ଷିଆ କାର୍ଯ୍ୟକାଳ ସରିବା ପୂର୍ବରୁ ଏଠାରେ ନିର୍ବାଚନ କରିବାକୁ ପଡିବ । ଏଣୁ ଜାନୁଆରି ୩୧ ତାରିଖ ସୁଦ୍ଧା ଓ୍ଵାର୍ଡ଼ ପୁନର୍ଗଠନ ଓ ସରଂକ୍ଷଣ କାର୍ଯ୍ୟ ସାରିବା ଲାଗି କୁହାଯାଇଛି।

ମାତ୍ର ସମ୍ବିଧାନ ବିଶେଷଜ୍ଞଙ୍କ କହିବା କଥା ହେଉଛି, ପୂର୍ବରୁ ସରକାର ଯେତେବେଳେ ଚାହୁଁଥିଲେ ପୌର ଓ ପଞ୍ଚାୟତ ସଂସ୍ଥାକୁ ଭାଙ୍ଗିପାରୁଥିଲେ। କିନ୍ତୁ ସମ୍ବିଧାନର ୭୩ ଓ ୭୪ ତମ ସଂଶୋଧନରେ ସରକାରଙ୍କ ଏ କ୍ଷମତା ଉପରେ କିଛି କଟକଣା ଲଗାଯାଇଛି। ତେବେ କୌଣସି ବି ପରିସ୍ଥିତିରେ ୫ ବର୍ଷ ପରେ ଏସବୁ ସଂସ୍ଥା ଆଉ ଦିନଟିଏ ବି ଚାଲିପାରିବ ନାହିଁ।
ମାତ୍ର ଥରେ ସାଧାରଣ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଗଲେ, ପୌର ନିର୍ବାଚନ କାଠିକର ପାଠ ହୋଇପଡିବ। ଏପରିସ୍ଥଳେ କମିସନ ଶେଷ ମୁହୂର୍ତରେ ନିର୍ବାଚନ କରାଯାଇ ପାରୁନଥିବା ସଂପର୍କରେ ସରକାରଙ୍କୁ ଜଣାଇପାରନ୍ତି। ଆଉ କମିସନଙ୍କ ଏ ଚିଠିକୁ ଆଧାର କରି ସରକାର ପୌରସଂସ୍ଥାରେ ପ୍ରଶାସକ ନିଯୁକ୍ତି କରିବାର କ୍ଷମତା ରହିଛି। ଏବେ ରାଜ୍ୟରେ ଏମିତି ପୌରସଂସ୍ଥା ରହିଛି, ଯେଉଁଠି କାର୍ଯ୍ୟକାଳ ସରିବା ପରେ ବି ନିର୍ବାଚନ ହୋଇନାହିଁ। ବରଂ ଉପଜିଲ୍ଲାପାଳ ପୌର ପ୍ରଶାସକ ଭାବେ କାର୍ଯ୍ୟ କରୁଛନ୍ତି। ଯେହେତୁ ପୌର ସଂସ୍ଥାକୁ ଆଗରୁ ଭଙ୍ଗାଯାଇପାରିବ ନାହିଁ, ଏଣୁ ଆଗରୁ ନିର୍ବାଚନ କଲେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇପାରେ ଓ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ। କାରଣ ନବନିର୍ବାଚିତ ପ୍ରତିନିଧିମାନେ ପୌର ସଂସ୍ଥାର କାର୍ଯ୍ୟକାଳ ଶେଷ ନ ହେବା ଯାଏ ଦାୟିତ୍ୱ ନେଇପାରିବେ ନାହିଁ। ଏପରିସ୍ଥଳେ ଗଣ୍ଡଗୋଳର ସୂତ୍ରପାତ ହେବ ଓ ନିର୍ବାଚନ କମିସନ କେବେ ବି ଏଭଳି ଏକ ପରିସ୍ଥିତିକୁ ଆମନ୍ତ୍ରଣ କରିନପାରନ୍ତି।

naveenଏସବୁ ଭିତରେ ଯଦି ପୌର ନିର୍ବାଚନ ବନ୍ଦ ରୁହେ, ତେବେ ଏହା ବିଜେଡିକୁ ପ୍ରବଳ ମାତ୍ରାରେ ଫାଇଦା ଦେବ । କାରଣ ଗତ ପଞ୍ଚାୟତ ନିର୍ବାଚନର ଫଳାଫଳ ରାଜ୍ୟରେ ବିଜେଡିରେ ଲୋକପ୍ରିୟତା ହ୍ରାସ ପାଉଥିବାର ଦର୍ଶାଇଥିଲା । ସାଧାରଣ ଲୋକ ବିଜେଡିରୁ ଏକରକମ ମୁହଁ ମୋଡି ନେଇଥିବା ସ୍ପଷ୍ଟ ଜଣା ପଡିଥିଲା । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ ହେଲେ ଫଳାଫଳ ଯଦି ବିଜେଡି ବିପକ୍ଷରେ ଯାଏ ତେବେ ଏହା ଦଳ ପାଇଁ ଯଥେଷ୍ଟ କ୍ଷତି ପହଞ୍ଚାଇବ । ତେଣୁ ପୌର ନିର୍ବାଚନ ପୂର୍ବରୁ ଯଦି ସାଧାରଣ ନିର୍ବାଚନ ହୁଏ ତେବେ ଏହା ବିଜେଡିକୁ ଫାଇଦାରେ ରଖିବ । ନଚେତ ପଞ୍ଚାୟତ ନିର୍ବାଚନ ଫଳାଫଳ ପରି ଯଦି ପୌର ନିବାର୍ଚନର ଫଳ ବିଜେପି ସପକ୍ଷରେ ଯାଏ ତେବେ ସେହି ଧାରାକୁ ସାଧାରଣ ନିର୍ବାଚନରେ ଅଟକାଇବା ବିଜେଡି ପକ୍ଷେ କଷ୍ଟକର ହେବ । ତେଣୁ ପୌର ନିର୍ବାଚନ ନହେଲେ ହିଁ ବିଜେଡିକୁ ଫାଇଦାରେ ରଖିବ । ଏପରିକି ସାଧାରଣ ନିର୍ବାଚନ ପାଇଁ ବିଗୁଲ ମଧ୍ୟ ବଜାଇ ସାରିଲାଣି ବିଜେଡି । ଏହାଭିତରେ ବିଜେଡି ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ବୋଲି କହି ନିର୍ବାଚନୀ ଉଷ୍ମତାକୁ ଆହୁରି ଗରମ କରିଛି ।

bjpପଞ୍ଚାୟତ ନିର୍ବାଚନର ଫଳାଫଳ ଶୁଖିଲା ପଡିଥିବା ରାଜ୍ୟ ବିଜେପି ପୋଖରୀରେ ପଦ୍ମ ଫୁଟାଇବାରେ ସହାୟକ ହୋଇଛି । ଏହି ଫଳାଫଳ ଦଳକୁ ରାଜ୍ୟରେ ନମ୍ବର ଟୁ ସ୍ଥାନରେ ପହଞ୍ଚାଇଛି । ଚଳିତବର୍ଷ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ପଛ କରି ସିଧାସଳଖ ବିଜେଡି ସହ ଫାଇଟ କରିଛି ବିଜେପି । ଏହି ଫଳାଫଳ ରାଜ୍ୟରେ ବିଜେପି ପ୍ରତି ବଢୁଥିବା ଜନସମର୍ଥନକୁ ସାମ୍ନାକୁ ଆଣିଛି । ଏଇତ ଥିଲା ଗ୍ରାମାଞ୍ଚଳ ଭୋଟରଙ୍କ ମତ । କିନ୍ତୁ ସହରୀ ଭୋଟରଙ୍କ ମନରେ କଣ ଅଛି ତାହା ଜାଣିବା ପାଇଁ ବିଜେପି ପୌର ନିର୍ବାଚନକୁ ଅପେକ୍ଷା କରିଥିଲା । ଏପରିକି ଏହି ପୌର ନିର୍ବାଚନରେ ଦଳ ଶତ ପ୍ରତିଶତ ସଫଳତା ହାସଲ କରିବ ବୋଲି ଦଳ ଦୃଢ ନିଶ୍ଚିତ ଥିଲା । କହିବାକୁ ଗଲେ ପଞ୍ଚାୟତ ନିର୍ବାଚନ କେବଳ ଟ୍ରେଲର ଥିଲା ଏବଂ ବିଜେଡିକୁ ପୌର ନିର୍ବାଚନରେ ପୂରା ଫିଲ୍ମ ଦେଖାଇବାକୁ ସ୍ଥିର କରିଥିଲା ଦଳ । ଆଉ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନର ଫଳାଫଳକୁ ପାଥେୟ କରି ଦଳ ଆଗାମୀ ସାଧାରଣ ନିର୍ବାଚନ ଲଢିବ ବୋଲି ଆଶା ବାନ୍ଧିଥିଲା । କିନ୍ତୁ ଆଗୁଆ ସାଧାରଣ ନିର୍ବାଚନ ହେଲେ ତାହା ଦଳ ଉପରେ କିଛି ମାତ୍ରାରେ ପ୍ରଭାବ ପକାଇବ ।

congressପଞ୍ଚାୟତ ନିର୍ବାଚନର ଫଳାଫଳକୁ ନେଇ ଉଭୟ ବିଜେଡି ବିଜେପି ଯେତିକି ଚର୍ଚ୍ଚାକୁ ଆସିଥିଲେ ସେହିଭଳି ଗୋଷ୍ଠୀ କନ୍ଦଳ ପାଇଁ ତା ଠାରୁ ଅଧିକ ଚର୍ଚ୍ଚାକୁ ଆସିଥିଲା କଂଗ୍ରେସ । ରାଜ୍ୟରେ ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସକୁ ପଞ୍ଚାୟତ ନିର୍ବାଚନର ଫଳାଫଳ ବ୍ୟାକଫୁଟକୁ ଠେଲି ଦେଇଥିଲା । ନମ୍ବର-ଟୁ ରୁ ନମ୍ବର-ଥ୍ରୀକୁ ଦଳ ଖସି ଯାଇଥିଲା । ଭୋଟର ମାନେ ସମ୍ପୂର୍ଣ୍ଣ ଭାବେ କଂଗ୍ରେସ ଦଳକୁ ପ୍ରତ୍ୟାଖାନ କରିଥିଲେ । ଏପରକି ପଞ୍ଚାୟତ ନିର୍ବାଚନରୁ ଦଳର ଅନେକ ବରିଷ୍ଠ ନେତା ଦୂରେଇ ରହିଥିଲେ । ଯାହାର ସିଧାସଳଖ ପ୍ରଭାବ ଦଳ ଉପରେ ପଡିଥିଲା । କିନ୍ତୁ ଏସବୂୁର କାଣିଚାଏ ପ୍ରଭାବ ମଧ୍ୟ କଂଗ୍ରେସ ନେତୃବୃନ୍ଦଙ୍କ ଉପରେ ପଡିନଥିଲା । ଭୋଟ ପାଇଁ ଲଢେଇ ନ କରି ପିସିସି ଚୌକି ପାଇଁ ଲଢେଇରେ ମାତିଥିଲେ । ଏସବୁକୁ ଦେଖିଲେ ପୌର ନିର୍ବାଚନର ପ୍ରଭାବ ସେମିତି କିଛି ଦଳ ଉପରେ ପଡିନଥାନ୍ତ।। ବରଂ ନିର୍ବାଚନ ନ ହେଲେ ଦଳ ଟିକିଏ ଫାଇଦାରେ ରହିବ । ଲୋକଙ୍କ ମତ ପୌର ନିର୍ବାଚନ ବଦଳରେ ସିଧାସଳଖ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିବ । ପୌର ନିର୍ବାଚନ ଲଢିବାର ଏକବର୍ଷ ମଧ୍ୟରେ ପୁଣିଥରେ ସାଧାରଣ ନିର୍ବାଚନ ଲଢିବା ହୁଏତ ଦଳକୁ ଟିକିଏ ବ୍ୟାକଫୁଟକୁ ଠେଲି ଦେଇଥାଆନ୍ତା । ତେବେ ପୌର ନିର୍ବାଚନ ପୂର୍ବରୁ ଏବେ ସମସ୍ତଙ୍କ ନଜର ବିଜେପୁର ଉପନିର୍ବାଚନ ଉପରେ । ବିଜେପୁର ନିର୍ବାଚନ ସମସ୍ତ ଦଳ ପାଇଁ ସେମିଫାଇନାଲ ମ୍ୟାଚ ସଦୃଶ ହେବାକୁ ଯାଉଛି । ବିଜେପୁର ନିର୍ବାଚନ ରାଜ୍ୟ ରାଜନୀତିର ପାଣିପାଗ ପରିବର୍ତ୍ତନର ସୂଚନା ଦେବ ।ରାଜ୍ୟବାସୀ ଏବେ କେଉଁ ଦଳକୁ ଶାସନକୁ ଆଣିବାକୁ ଚାହୁଁଛନ୍ତି ତାହା ବିଜେପୁର ନିର୍ବାଚନ ପରେ ସ୍ପଷ୍ଟ ହୋଇଯିବ ।