ବଡଦାଣ୍ଡରୁ ଉଠାଦୋକାନୀଙ୍କୁ ହଟିବାକୁ ନିର୍ଦ୍ଦେଶ: ଆଜି ଅପରାହ୍ଣ ୪ଟା ସୁଦ୍ଧା ବଡଦାଣ୍ଡର ଦୁଇ ପାଖ ଖାଲି କରିବାକୁ ପୁରୀ ଜିଲ୍ଲା ପ୍ରଶାସନର କଡା ନିର୍ଦ୍ଦେଶ; ଡାକବାଜି ଯନ୍ତ୍ର ଜରିଆରେ ଠେଲାଗାଡି, କ୍ୟାବିନ୍ ଓ ଉଠାଦୋକାନୀଙ୍କୁ ହଟିବାକୁ ଘୋଷଣା

523

କନକ ବ୍ୟୁରୋ: ଅପରାହ୍ଣ ୪ଟା ସୁଦ୍ଧା ବଡଦାଣ୍ଡ ଖାଲି କରିବାକୁ ପ୍ରସାଶନର କଡା ନିର୍ଦ୍ଦେଶ । ସୁପ୍ରିମକୋର୍ଟର ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବା ନେଇ ଶୁଣାଣି ଜାରି ରହିଥିବା ବେଳେ ଏପଟେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରେ ବଡଦାଣ୍ଡରେ ଥିବା ସମସ୍ତ ଉଠା ଦୋକାନୀମାନଙ୍କୁ ଆଜି ଅପରାହ୍ଣ ୪ଟା ସୁୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡାକବାଜୀ ଯନ୍ତ୍ର ଜରିଆରେ ପ୍ରଶାସନ ପକ୍ଷକୁ ବଡଦାଣ୍ଡକୁ ତୁରନ୍ତ ଖାଲି କରିବାକୁ କୁହାଯାଇଛି ।

ମହାପ୍ରଭୁଙ୍କ ଘୋଷଯାତ୍ରାକୁ ନେଇ ଅନିଶ୍ଚିତତା ଜାରି ରହିଥିବା ବେଳେ ୪ ଦିନ ପୂର୍ବରୁ ହିଁ ସଜବାଜ ହୋଇଯାଇଥିଲା ପୁରୀ ପ୍ରଶାସନ । ବଡଦାଣ୍ଡ ଖାଲି କରିବାକୁ ଉଠାଦୋକାନୀମାନଙ୍କୁ ପୁରୀ ପୌର ପାଳିକା ପକ୍ଷରୁ ଦିଆଯାଇଥିଲା ନିର୍ଦ୍ଦେଶ । କାରଣ ପୌର ପାଳିକା ପକ୍ଷରୁ ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ପର୍ୟ୍ୟନ୍ତ ବଡଦାଣ୍ଡରୁ ଉଠାଦୋକାନୀଙ୍କୁ ଉଠିଯିବା ପାଇଁ ଘୋଷଣା କରାଯାଇଥିଲା । ଡାକବାଜି ଯନ୍ତ୍ର ସହାୟତାରେ ଘୋଷଣାରେ ବଡଦାଣ୍ଡର ଦୁଇ ପାଶ୍ୱର୍ରେ ରହିଥିବା ଠେଲାଗାଡି, କ୍ୟାବିନ୍ ଓ ଉଠାଦୋକାନୀଙ୍କୁ ହଟିବାକୁ କୁହାଯିବା ପରେ ଆଜି ସଂଧ୍ୟା ସୁଦ୍ଧା ବାଧ୍ୟତାମୂଳକ ଭାବେ ଖାଲି କରିବାକୁ ଦିଆଯାଇଛି କଡା ନିର୍ଦ୍ଦେଶ ।

ତେବେ ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ପୁରୀ ପୌରପାଳିକା ପକ୍ଷରୁ ଏହି ଭଳି ଘୋଷଣା ହୋଇଥାଏ । କିନ୍ତୁ ଚଳିତ ବର୍ଷ ରଥଯାତ୍ରା ହେବା ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବାରୁ ସ୍ଥାନୀୟ ପ୍ରଶାସନର ଏହି ଘୋଷଣା ରଥଯାତ୍ରା ହେବା ନେଇ ନୂଆ ଆଶା ସଂଚାର କରିଛି ।