କନକ ବ୍ୟୁରୋ: ଚାଲିଛି ଭୋଟ୍ ଗଣତି, ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ୍ । ଦିନ ୨ଟା ୪୦ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ । କଟକରେ ବିଜେଡି ସବୁଠୁ ଆଗରେ ରହିଥିବାବେଳେ ପଛରେ କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି କଡ଼ା ଟକ୍କର । ବିଜେଡିର ମେୟର ପ୍ରାର୍ଥୀ ସୁବାସ ସିଂ ୩୭ ହଜାର ୯୨୩ ଖଣ୍ଡ ଭୋଟରେ ଆଗେଇ ଚାଲିଥିବାବେଳେ କଂଗ୍ରେସର ଗିରିବାଳା ବେହେରା ୨୪ ହଜାର ୭୦୬ ଖଣ୍ଡ ଭୋଟରେ ଆଗେଇ ଚାଲିଛିନ୍ତି, ତାଙ୍କ ପଛକୁ ପଛ ବିଜେପିର ଶ୍ରୀତମ ଦାସ ମାତ୍ର ୧୦ ହଜାର ୯୪୯ ଆଗେଇ ଚାଲିଛନ୍ତି ।
ଅନ୍ୟପଟେ ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପ୍ରତି ଏନଏସିରେ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ୨ଟି ଲେଖାଏଁ ଟେବୁଲ ରହିଛି । ମ୍ୟୁନିସିପାଲିଟିରେ କର୍ପୋରେଟର ଓ ଅଧ୍ୟକ୍ଷ ପଦ ପାଇଁ ୫ଟି ଲେଖାଏଁ ଟେବୁଲରେ ଗଣତି ହେଉଛି । ମହାନଗର ନିଗମରେ କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କ ଭୋଟ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲରେ ଭୋଟ୍ ଗଣତି ଚାଲିଛି ।
ପ୍ରତି ଟେବୁଲରେ ଜଣେ କାଉଁଟିଂ ଅଫିସର, ଜଣେ କାଉଁଟିଂ ଆସିଷ୍ଟାଂଟ ଓ ସହାୟତା କରିବାକୁ ଜଣେ ଗ୍ରୁପ-ଡି କର୍ମଚାରୀ ନିୟୋଜିତ ଅଛନ୍ତି । କାଉନସିଲର ଓ କର୍ପୋରେଟର ଭୋଟ ଗଣତି ପାଇଁ ପ୍ରତି ୱାର୍ଡରେ ଜଣେ ଲେଖାଏଁ ଏଜେଂଟ ମଧ୍ୟ ରହିଛନ୍ତି । ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କାହାକୁ ଭୋଟ ଦେଇଛନ୍ତି ସହରୀ ଭୋଟର ।