କନକ ବ୍ୟୁରୋ: ଚାଲିଛି ଭୋଟ୍ ଗଣତି, ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ୍  । ସକାଳ ୯ଟା ୨୫ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ  । କାଉନସିଲର ଓ କର୍ପୋରେଟର ଆସନରେ ମଧ୍ୟ ବିଜେଡି ଯଥେଷ୍ଟ ଆଗରେ ରହିଥିବାବେଳେ ବିରୋଧୀ ପଛରେ ପଡ଼ିଛନ୍ତି  । ପ୍ରାଥମିକ ଟ୍ରେଣ୍ଡରେ ୨୨୩ଟି ଆସନରେ ବିଜେଡି ଆଗୁଆ ରହିଥିବାବେଳେ ବିଜେପି ୩୪ ଆସନରେ ଆଗେଇ ଚାଲିଛି  । ସେହିପରି କଂଗ୍ରେସ ୧୪ ଆସନରେ ଆଗେଇ ଚାଲିଥିବାବେଳେ ୧୩ଟି ଆସନରେ ସ୍ୱାଧିନ ପ୍ରାର୍ଥୀ ଆଗରେ ରହିଛନ୍ତି  ।
Advertisment
ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପ୍ରତି ଏନଏସିରେ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ୨ଟି ଲେଖାଏଁ ଟେବୁଲ ରହିଛି  । ମ୍ୟୁନିସିପାଲିଟିରେ କର୍ପୋରେଟର ଓ ଅଧ୍ୟକ୍ଷ ପଦ ପାଇଁ ୫ଟି ଲେଖାଏଁ ଟେବୁଲରେ ଗଣତି ହେଉଛି  । ମହାନଗର ନିଗମରେ କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କ ଭୋଟ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲରେ ଭୋଟ୍ ଗଣତି ଚାଲିଛି  ।
ପ୍ରତି ଟେବୁଲରେ ଜଣେ କାଉଁଟିଂ ଅଫିସର, ଜଣେ କାଉଁଟିଂ ଆସିଷ୍ଟାଂଟ ଓ ସହାୟତା କରିବାକୁ ଜଣେ ଗ୍ରୁପ-ଡି କର୍ମଚାରୀ ନିୟୋଜିତ ଅଛନ୍ତି  । କାଉନସିଲର ଓ କର୍ପୋରେଟର ଭୋଟ ଗଣତି ପାଇଁ ପ୍ରତି ୱାର୍ଡରେ ଜଣେ ଲେଖାଏଁ ଏଜେଂଟ ମଧ୍ୟ ରହିଛନ୍ତି  । ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କାହାକୁ ଭୋଟ ଦେଇଛନ୍ତି ସହରୀ ଭୋଟର । ଫଳାଫଳ ଆସିବା ପୂର୍ବରୁ ହାତ ଟେକି ଦେଇଛନ୍ତି ବିରୋଧୀ ।  ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ୧୦୯ଟିରୁ କୌଣସିଟି ବି ପାଇନପାରେ ବିଜେପି  । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଏଠି ନୋଟ ଗଣତନ୍ତ୍ର ଚାଲିଛି । ତଥାପି କଂଗ୍ରେସ ୧୭ଟି ଆସନ ପାଇବ  । ଅନ୍ୟପଟେ ଶାସକ ଦଳର ନେତା କହିଛନ୍ତି, ପୌର ନିର୍ବାଚନର ଫଳାଫଳ ପଂଚାୟତ ଭଳି ହେବ ।