ଫୁଲବାଣୀରୁ ଆସିଲା ଭଲ ଖବର…ଡ୍ରାଇଭର ସିଟରେ ସରକାରୀ ଅଫିସର…ନିଜେ ଗାଡି ଚଳାଇ ଆହାର କେନ୍ଦ୍ରରେ ଖାଦ୍ୟ ପହଂଚାଇଲେ ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା

940

କନକ ବ୍ୟୁରୋ: ସାଧାରଣତଃ ବରିଷ୍ଠ ଅଧିକାରୀମାନେ ନିଜ ଭଲ କାମ ପାଇଁ ପ୍ରଶଂସାର ପାତ୍ର ହୋଇଥାନ୍ତି । ଆଉ ଏହି କାମ କରିବାର ତରିକା ସମସ୍ତଙ୍କର ପ୍ରାୟତଃ ଭିନ୍ନ ଭିନ୍ନ ହୋଇଥାଏ । କିନ୍ତୁ ଜଣେ ପୌର ନିର୍ବାହୀ ଅଧିକାରୀ ନିଜେ ଡ୍ରାଇଭର ସାଜି ଆହାର କେନ୍ଦ୍ରରେ ସଠିକ୍ ସମୟରେ ଖାଦ୍ୟ ପହଂଚାଇ ଭୋକିଲାଙ୍କ ମୁହଁରେ ଖାଦ୍ୟ ଦେବା ଭଳି ମହତ କାମ ସତରେ ପ୍ରଶଂସନୀୟ କାର୍ଯ୍ୟ ଅଟେ ।

କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ବସଷ୍ଟାଣ୍ଡ ଆହାର କେନ୍ଦ୍ରରେ ରୋଷେଇ ହୋଇଥାଏ । ଏଠାରୁ ଜିଲ୍ଲାର ଅନ୍ୟ ସବୁ କେନ୍ଦ୍ରଗୁଡିକୁ ଗାଡି ଯୋଗେ ଖାଦ୍ୟ ପଠାଯାଇଥାଏ । ତେବେ ବସଷ୍ଟାଣ୍ଡ ଆହାର କେନ୍ଦ୍ରରୁ ପ୍ରତିଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆହାର କେନ୍ଦ୍ରକୁ ଖାଦ୍ୟ ନେଉଥିବା ଗାଡି ଚାଳକ ଗତ ସୋମବାର କୌଣସି କାରଣରୁ ଛୁଟିରେ ରହିଯାଇଥିଲେ । ତେବେ କେନ୍ଦ୍ରରେ ଖାଦ୍ୟ କେମିତି ପହଞ୍ଚିବ, ଏଥିପାଇଁ କର୍ମଚାରୀ ଚିନ୍ତାରେ ପଡି ଯାଇଥିଲେ । ସମୟ ଗଡି ଯାଉଥିବାରୁ ଶେଷରେ ସେଠାକୁ ଅଟୋ ଯୋଗେ ଖାଦ୍ୟ ନେବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଅଟୋରେ ଖାଦ୍ୟ ନେବା ନିୟମ ନାହିଁ । କାରଣ ଆହାର କେନ୍ଦ୍ରର ଗାଡିକୁ ବାଦ୍ ଦେଇ ଅନ୍ୟ ଗାଡିରେ ପରିବହନ କଲେ ଖାଦ୍ୟରେ ମଇଳା ଓ ଧୂଳି ପଡିବା ଆଶଙ୍କା ରହିଛି । ଏହି ଖବର ଫୁଲବାଣୀ ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ପାଖରେ ପହଞ୍ଚିଥିଲା ।

ତତକ୍ଷଣାତ୍ ଶ୍ରୀ ବେହେରା ବସଷ୍ଟାଣ୍ଡ ଆହାର କେନ୍ଦ୍ରରେ ପହଞ୍ଚିଥିଲେ । ଏବଂ ଗାଡିରେ ଖାଦ୍ୟ ରଖିବାକୁ କର୍ମଚାରୀଙ୍କୁ କହିଥିଲେ । ତେବେ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କର୍ମଚାରୀମାନେ ଗାଡିରେ ଭାତ ଓ ଡାଲମା ଲୋଡ କରିଥିଲେ । ଏହାପରେ ନିର୍ବାହୀ ଅଧିକାରୀ ନିଜେ ଗାଡି ଚଳାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆହାର କେନ୍ଦ୍ରରେ ପହଞ୍ଚିଥିଲେ । ଅଧିକାରୀଙ୍କୁ ଦେଖି ସେଠାରେ କର୍ମଚାରୀ ଓ ଖାଇବାକୁ ଅପେକ୍ଷାରତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।  ତେବେ ବଳଦେବ ଚାହିଁଥିଲେ ଏହି କାମ ଅନ୍ୟ କୌଣସି ମାଧ୍ୟମରେ କିମ୍ବା ଅନ୍ୟ ବ୍ୟକ୍ତିଙ୍କ ଜରିଆରେ କରିପାରିଥାନ୍ତେ । କିନ୍ତୁ ସେ ଏଭଳି ନ କରି ନିଜେ ଗାଡି ଚଳାଇ ଆହାର କେନ୍ଦ୍ରରେ ଖାଦ୍ୟ ପହଞ୍ଚାଇଥିଲେ । ତେବେ ଫୁଲବାଣୀ ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ଏହି କାର୍ଯକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।