କନକ ବ୍ୟୁରୋ : ପୌର ନିର୍ବାଚନ ଫଳାଫଳ ଆସିସାରିଛି । ଫଳାଫଳ ଅନେକ ତୁଙ୍ଗ ନେତା ଓ ମନ୍ତ୍ରୀଙ୍କ ପତିଆରା ସମ୍ପର୍କରେ ସ୍ପଷ୍ଟ ଚିତ୍ର ଆଙ୍କିଛି । ବିଜେଡି ସଫଳତା ହାସଲ କରିଥିଲେ ବି କେତେକ ସ୍ଥାନରେ ବିଜେଡିର ବଡ ନେତାଙ୍କୁ ଜବରଦସ୍ତ ଝଟକା ଲାଗିଛି । କିଛି ସ୍ଥାନରେ ସ୍ୱାଧୀନ ପ୍ରାର୍ଥୀ ଜିତିଥିବାବେଳେ ବିଜେଡି ତୃତୀୟ ସ୍ଥାନକୁ ଚାଲିଯାଇଛି । ପଶ୍ଚିମ ଓଡିଶାରେ ବିଜେଡି ବିପୁଳ ବିଜୟ ପାଇଥିଲେ ବି ନିରାଶ କରିଛନ୍ତି ବିଜେଡିର ହେଭିୱେଟ ନେତା ତଥା ମନ୍ତ୍ରୀ । ମନ୍ତ୍ରୀ ନବଦାସ, ସୁଶାନ୍ତ ସିଂହ, ଟୁକୁନୀ ସାହୁ ଓ ଦିବ୍ୟଶଙ୍କର ମିଶ୍ର ।
ବହୁବର୍ଷ ଧରି ଝାରୁସୁଗୁଡା ଜିଲ୍ଲାରେ ଅପ୍ରତିଦ୍ୱନ୍ଦୀ ନେତା ଭାବେ ଉଭା ହୋଇଥିବା ମନ୍ତ୍ରୀ ନବ ଦାସଙ୍କୁ ବଡ ଝଟକା ଲାଗିଛି । ବେଲପାହାଡରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାରେ ସେ ଅସମର୍ଥ ହୋଇଛନ୍ତି । ଏଠାରେ କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି ।
ସବୁଠାରୁ ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଖିବାକୁ ମିଳିଛି ବିଜେପୁର ନିର୍ବାଚନ ମଣ୍ଡଳୀରେ । ବରପାଲି ଏନଏସିରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ପଶ୍ଚିମ ଓଡିଶାରେ ବିଜେଡି ସଙ୍ଗଠନର ମଙ୍ଗ ଧରିଥିବା ସୁଶାନ୍ତ ସିଂଙ୍କ ମନୋନୀତ ବିଜେଡି ପ୍ରାର୍ଥୀ ଏଠାରେ ହାରିଛନ୍ତି । କୁହାଯାଉଛି, ବିଧାୟିକା ରୀତା ସାହୁଙ୍କ ପ୍ରଚ୍ଛନ୍ନ ସମର୍ଥନରେ ଛିଡା ହୋଇଥିବା ସ୍ୱାଧୀନ ପ୍ରାର୍ଥୀ ଏଠାରେ ଜିତିଛନ୍ତି ।
ସେହିଭଳି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବଲାଙ୍ଗୀର ଜିଲ୍ଲାରେ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗଡ ଟିଟିଲାଗଡକୁ ବିଜେପି ଛଡାଇ ନେଇଛି । ଏଠାରେ ସେ ନିଜ ପ୍ରାର୍ଥୀଙ୍କୁ ଜିତାଇପାରିନାହାନ୍ତି । ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ।
କଳାହାଣ୍ଡି ଜିଲ୍ଲାରେ ଦିବ୍ୟଶଙ୍କର ମିଶ୍ରଙ୍କ ନିଜ ଗଡ ଜୁନାଗଡରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ପରାଜିତ ହୋଇଛନ୍ତି । ଏହା ବିଜେପି ଖାତାକୁ ଯାଇଛି । ଧର୍ମଗଡ ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେବେ ପ୍ରଶ୍ନ ଉଠୁଛି, ମମିତା ମେହେର ପ୍ରସଙ୍ଗ ନେଇ ପଞ୍ଚାୟତ ଭୋଟରେ ପ୍ରଭାବ ପଡିନଥିଲେ ବି ସହରୀ ଭୋଟ ଉପରେ ପଡିଛି କି । ସେହିପରି ବଲାଙ୍ଗୀରରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ବି ଝଟକା ଲାଗିଛି । ବଲାଙ୍ଗିରରେ କଂଗ୍ରେସ ପ୍ରାର୍ଥୀ ପରାସ୍ତ ହୋଇଥିବା ବେଳେ ଅଧ୍ୟକ୍ଷ ପଦ ବିଜେଡି ହାତକୁ ଯାଇଛି ।