କନକ ବ୍ୟୁରୋ: ମାଉସୀ ଏଇଠି ବସନ୍ତୁ, ଆମେ ଟେକି କି ନେଇଯିବୁ । ବୁଢ଼ୀ ମାଉସୀ ଉଠି ବସି ନପାରୁ ପଛେ, ଦଳୀୟ କର୍ମୀମାନଙ୍କୁ କିଛି ଫରକ ପଡିବନି । କାରଣ ସେମାନଙ୍କ ନେତା କହିଛନ୍ତି ପରା, ପ୍ରତି ୱାର୍ଡରୁ ଖଣ୍ଡିଏ ବି ଭୋଟ୍ ଯେମିତି ମିସ୍ ହେବନି । ବିଛଣାରେ ଶଯ୍ୟାଶାୟୀ ଥାଉ କିମ୍ବା ଚାଲିବୁଲି ନପାରନ୍ତୁ ଅଟୋରେ ଟେକିଆଣିକି ଭୋଟ୍ ଦେବାକୁ ପଡ଼ିବ ହିଁ ପଡ଼ିବ । ଏଠି ମୋ ଭୋଟ୍ ମୋ ଅଧିକାର ନୁହେଁ ବରଂ ତୋ ଭୋଟ୍ ମୋ ଅଧିକାର ଭଳି ଭିଡ଼ିଓରୁ ଯାହା ଜଣାପଡୁଛି ।
ଏ ଦୃଶ୍ୟ ହେଉଛି ଭୁବନେଶ୍ୱର ପୌର ନିର୍ବାଚନର । ଦେଖନ୍ତୁ କେମିତି ଚାଲିବୁଲି ପାରୁନଥିବା ବୃଦ୍ଧାଙ୍କୁ ଭୋଟ୍ ଖଣ୍ଡକ ପାଇଁ ଭିଡ଼ି ନେଉଛନ୍ତି କିଛିକର୍ମୀ । କିଏ ହ୍ୱିଲ ଚେୟାରରେ ତ କିଏ ଚେୟାର ଉଠି ପାରୁନି ତଥାପି ତାଙ୍କ ନେତା ଦେଇଥିବା ଟାସ୍କକୁ ପୂରଣ କରିବା ପାଇଁ ବୋଲକରା କର୍ମୀମାନେ ଅକ୍ଳାନ୍ତ ପରିଶ୍ରମ କରୁଥିବା ଦେଖିବାକୁ ମିଳୁଛି । ଅଣ୍ଟା ବି ସଳଖି ପାରୁନଥିବା ବୟସ୍କ ଭୋଟରଙ୍କୁ ମାନବିକତା ହରାଇ ମତଦାନ କେନ୍ଦ୍ରକୁ ଯାଣି ନେଉଛନ୍ତି ଏମାନେ । ହୁଏତ ଏମାନଙ୍କ ଭିତରେ କିଏ କାହାର ପୁଅ, କାହାର ନାତି ମଧ୍ୟ ଥାଇପାରନ୍ତି । କିନ୍ତୁ ସମ୍ବେଦନହୀନ ହୋଇ ନିଜ ଶଯ୍ୟାଶାୟୀ ବାପା-ମାଆଙ୍କୁ ନେତାଙ୍କ କଥାରେ ଭୋଟ୍ ଦେବାକୁ ନେବା କ’ଣ ଉଚିତ୍ କି?
ଭୋଟ୍ ପାଇଁ ବିରିୟାନିଠୁ ନୋଟ୍ ବଣ୍ଟା ତ ଦେଖିଥିବେ କିନ୍ତୁ ଭୋଟ୍ ପାଇଁ କେବେ ଭରସା ଭାଙ୍ଗୁଥିବା ଭିଡ଼ିଓ ହୁଏତ କାଁ ଭାଁ ଆପଣଙ୍କ ନଜରକୁ ଆସିଥିବ । ଖଣ୍ଡିଏ ଭୋଟ୍ ପାଇଁ କେମିତି ଏତେ ତଳକୁ ଖସିଯାଇ ପାରନ୍ତି କର୍ମୀ ତାହା ଏହି ଚିତ୍ର ହିଁ ବୟାନ କରୁଛି । ଥର ଥର ହାତ, ଅସହ୍ୟ ଯନ୍ତ୍ରଣାରେ ଥିବା ଶରୀରକୁ ଚେୟାର ଉପରେ ଥୋଇ କଷ୍ଟ ସହୁଛି ଭୋଟର । ଇଚ୍ଛା ନଥିଲେ ବି ନିଜର ମତଦାନ ସାବ୍ୟସ୍ତ କରିବାକୁ ଆଗେଇ ଆସିଛନ୍ତି ହେଲେ ତାଙ୍କୁ ଯିଏ ଭୋଟ୍ କେନ୍ଦ୍ରକୁ ଆଣିଛି ସେମାନେ ବି ହୃଦଙ୍ଗମ କରିବା ଦରକାର ଯେ, ଯଦି ଜଣେ ଅସହ୍ୟ ଯନ୍ତ୍ରଣାରେ ଅଛି ତେବେ କାହିଁକି ତାଙ୍କୁ ମତଦାନ କରିବାକୁ ବାଧ୍ୟ କରାଯାଉଛି?