ମୁଣ୍ଡଳୀ ଦନ୍ତାହାତୀ ମୃତ୍ୟୁ ଘଟଣା : ପୋଷ୍ଟମଟର୍ମ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଲେ ବନ୍ୟପ୍ରାଣୀ ବିଶେଷଜ୍ଞ

ମାନସିକ ଆଘାତ ପାଇଁ ହୋଇନାହିଁ ହାତୀର ମୃତ୍ୟୁ, ପାଣିରେ ବୁଡି ଯାଇଛି ଜୀବନ

182

କନକ ବ୍ୟୁରୋ : ମୁଣ୍ଡଳୀ ଦନ୍ତାହାତୀ ମୃତ୍ୟୁ ଘଟଣାର ଶବବ୍ୟବଚ୍ଛେଦ ରିପୋର୍ଟ ଆସିଛି । ମାନସିକ ସ୍ତରରେ ଆଘାତ ବା ‘ସକ୍‌’ କାରଣରୁ ମୁଣ୍ଡଳୀ ବ୍ରିଜ୍‌ ତଳେ ଫସି ରହିଥିବା ଦନ୍ତା‌ ହାତୀର ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି । ବ୍ୟବଚ୍ଛେଦର ୩ ଦିନ ଅର୍ଥାତ ୭୨ଘଣ୍ଟା ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିବା ସାଲେପୁର ବ୍ଲକ୍‌ ପଶୁସମ୍ପଦ ଅଧିକାରୀ ଦୀପକ ସେନାପତି ବନବିଭାଗକୁ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି ।

ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍‌ ତଥା ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ୍‌ ମହାନ୍ତି । ତାଙ୍କ କହିବା କଥା ହେଲା ହାତୀ ପାଣିରେ ଖସିଗଲା ଓ ପାଣିରେ ବୁଡ଼ି ତା’ର ମୃତ୍ୟୁ ହେଲା । ତେବେ ‘ସକ୍‌’ରେ ତା’ର ମୃତ୍ୟୁ ହେଲା କିପରି ବୋଲି ସେ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବୋଟ ଦୁର୍ଘଟଣାରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ, ଓଡ୍ରାଫ୍ ବୁଡାଳି ସୀତାରାମ ମୁର୍ମୁଙ୍କ ଜୀବନ ଯାଇଛି । ଦନ୍ତା ହାତୀର ଜୀବନ ଯିବା ସହିତ ଏକ ୪ ମାସର ଛୁଆ ହାତୀ ଏବଂ ହାତୀ ଆକ୍ରମଣରେ ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ଘଟିଛି, ମାତ୍ର ୪୮ ଘଣ୍ଟା ଭିତରେ ।

କିନ୍ତୁ ଏହି ଘଟଣାରେ କେବଳ ତଦନ୍ତ ନିର୍ଦ୍ଦେଶ ଦେଇ ସରକାର କାମ ସାରିଦେଇଛନ୍ତି । ‌ଭୁଲ କେଉଁଠି ରହିଲା ? ହାତୀ ଘଉଡାଇବାକୁ ଓଡ୍ରାଫ୍‌ ଟିମ୍‌କୁ କିଏ ଡକାଇଥିଲା ? କ’ଣ ପାଇଁ ଭିଡ ନିୟନ୍ତ୍ରଣରେ ପୁଲିସ ବିଫଳ ହେଲା ? ବନବିଭାଗର ନିଆଁହୁଳା ଅପରେସନ୍‌ ଏତେ ବିଳମ୍ବରେ କରାଗଲା କାହଁକି? ଏଭଳି ଅନେକ ପ୍ରଶ୍ନ ଏବେ ବି ରହସ୍ୟଘେର‌ରେ ରହିଛି । ମହାନଦୀର ମୁଣ୍ଡୁଳୀ ବ୍ୟାରେଜରେ ସେପେଟମ୍ବର ୨୪ ତାରିଖରେ ଏହି ଅଘଟଣ ଘଟିଥିଲା । ୨୬ ତାରିଖରେ ଦନ୍ତାର ମୃତଦେହ ଯୋବ୍ରା ଆନିକଟ ନିକଟରେ ଠାବ କରାଯାଇଥିଲା ଓ ୨୮ ତାରିଖରେ ବ୍ୟବଚ୍ଛେଦ ହୋଇଥିଲା ।