ମୁଣ୍ଡଳୀ ଦନ୍ତାହାତୀ ମୃତ୍ୟୁ ଘଟଣା : ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ମାନସିକ ସ୍ତରରେ ଆଘାତ ବା ସକ ଯୋଗୁଁ ବ୍ରିଜ ତଳେ ଫସିଥିବା ହାତୀର ହୋଇଛି ମୃତ୍ୟୁ; ପୋଷ୍ଟମଟର୍ମ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଲେ ବନ୍ୟପାଣି ବିଶେଷଜ୍ଞ

646

କନକ ବ୍ୟୁରୋ : ମୁଣ୍ଡଳୀ ଦନ୍ତାହାତୀ ମୃତ୍ୟୁ ଘଟଣାର ଶବବ୍ୟବଚ୍ଛେଦ ରିପୋର୍ଟ ଆସିଛି । ରିପୋର୍ଟରେ ଦର୍ଶାଯାଇଛି, ମାନସିକ ଆଘାତ କାରଣରୁ ହାତୀର ମୃତ୍ୟୁ ହୋଇଛି । ମୃତ୍ୟୁର ୩ ଦିନ ଅର୍ଥାତ ୭୨ ଘଂଟା ପୂର୍ବରୁ ହାତୀର ମୃତ୍ୟ ହୋଇଥିବା ରିପୋର୍ଟରେ କୁହାଯାଇଛି । ସାଲେପୁର ବ୍ଲକ ପଶୁସମ୍ପଦ ଅଧିକାରୀ ବନବିଭାଗକୁ ତାଙ୍କ ରିପୋର୍ଟ ଦେଇଛନ୍ତି ।

ତେବେ ପରିବେଶବିତ୍ ଏହି ମୃତ୍ୟୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମହାନଦୀର ମୁଣ୍ଡୁଳୀ ବ୍ୟାରେଜରେ ସେପେଟମ୍ବର ୨୪ ତାରିଖରେ ଏହି ଅଘଟଣ ଘଟିଥିଲା । ୨୬ ତାରିଖରେ ଦନ୍ତାର ମୃତଦେହ ଯୋବ୍ରା ଆନିକଟ ନିକଟରେ ଠାବ କରାଯାଇଥିଲା ଓ ୨୮ ତାରିଖରେ ବ୍ୟବଚ୍ଛେଦ ହୋଇଥିଲା । ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍‌ ତଥା ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ୍‌ ମହାନ୍ତି । ତାଙ୍କ କହିବା କଥା ହେଲା ହାତୀ ପାଣିରେ ଖସିଗଲା ଓ ପାଣିରେ ବୁଡ଼ି ତା’ର ମୃତ୍ୟୁ ହେଲା । ତେବେ ‘ସକ୍‌’ରେ ତା’ର ମୃତ୍ୟୁ ହେଲା କିପରି ବୋଲି ସେ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଇତିମଧ୍ୟରେ, ମୁଣ୍ଡଳୀ ଟ୍ରାଜେଡିକୁ ଅନେକ ଦିନ ବିତି ଯାଇଛି । ବୋଟ ଦୁର୍ଘଟଣାରେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ, ଓଡ୍ରାଫ୍ ବୁଡାଳି ସୀତାରାମ ମୁର୍ମୁଙ୍କ ଜୀବନ ଯାଇଛି । ଦନ୍ତା ହାତୀର ଜୀବନ ଯିବା ସହିତ ଏକ ୪ ମାସର ଛୁଆ ହାତୀ ଏବଂ ହାତୀ ଆକ୍ରମଣରେ ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ଘଟିଛି, ମାତ୍ର ୪୮ ଘଣ୍ଟା ଭିତରେ। କିନ୍ତୁ ଏହି ଘଟଣାରେ କେବଳ ତଦନ୍ତ ନିର୍ଦ୍ଦେଶ ଦେଇ ସରକାର କାମ ସାରିଦେଇଛନ୍ତି । ‌ଭୁଲ କେଉଁଠି ରହିଲା ? ହାତୀ ଘଉଡାଇବାକୁ ଓଡ୍ରାଫ୍‌ ଟିମ୍‌କୁ କିଏ ଡକାଇଥିଲା ? କ’ଣ ପାଇଁ ଭିଡ ନିୟନ୍ତ୍ରଣରେ ପୁଲିସ ବିଫଳ ହେଲା ? ବନବିଭାଗର ନିଆଁହୁଳା ଅପରେସନ୍‌ ଏତେ ବିଳମ୍ବରେ କରାଗଲା କାହଁକି ? ଏଭଳି ଅନେକ ପ୍ରଶ୍ନ ଏବେ ବି ରହସ୍ୟଘେର‌ରେ ରହିଛି ।

ସୂଚନାଯୋଗ୍ୟ ଯେ ମହାନଦୀର ମୁଣ୍ଡଳୀ ବ୍ୟାରେଜରେ ସେପ୍ଟେମ୍ବର ୨୪ ତାରିଖରେ ଏହି ଅଘଟଣ ଘଟିଥିଲା । ୨୬ ତାରିଖରେ ଦନ୍ତାର ମୃତଦେହ ଯୋବ୍ରା ଆନିକଟ ନିକଟରେ ଠାବ କରାଯାଇଥିଲା ଏବଂ ୨୮ରେ ବ୍ୟବ‌ଚ୍ଛେଦ କରାଯାଇଥିଲା।