କନକ ବ୍ୟୁରୋ : ପୁଣେରେ ଦାମୀ କାର ପୋର୍ସେ ଦୁଇ ବାଇକ ଆରୋହୀଙ୍କୁ ଧକ୍କା ଦେବା ଏବଂ ଦୁଇ ଯୁବକ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଘଟଣା ମନରୁ ନଲିଭୁଣୁ, ମୁମ୍ବାଇରୁ ଆସିଲା ଆଉ ଏକ ହିଟ୍ ଆଣ୍ଡ୍ ରନ୍ ଘଟଣା । ଆଜି ସକାଳୁ ସକାଳୁ ମୁମ୍ବାଇର ବର୍ଲି ଅଞ୍ଚଳରୁ ଏକ ହିଟ୍ ଆଣ୍ଡ ରନର ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । ଆଉ ଏହି ଦୁର୍ଘଟଣା ଶିବସେନାର ଜଣେ ଅଧିକାରୀଙ୍କ ପୁଅ ଘଟାଇଥିବା ସୂଚନାରୁ ସାମ୍ନାକୁ ଆସିଛି ।

Advertisment

ସୂଚନା ଅନୁସାରେ, ସକାଳୁ ସକାଳୁ ମଛ ବ୍ୟବସାୟ କରୁଥିବା ଏକ ଦମ୍ପତ୍ତି ପ୍ରଦୀପ ଓ କାବେରୀ ମାଛ କିଣି ସ୍କୁଟି ଯୋଗେ ଫେରୁଥିଲେ । ଠିକ୍ ଏହି ସମୟରେ ପଛରୁ ଏକ BMW କାର୍ ଆସି ସ୍କୁଟିକୁ ଜୋରଦାର ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ସ୍କୁଟି ଚାଳକ ଦୀପକ ସ୍କୁଟିରୁ ଛିଟିକି ପଡିଥିବା ବେଳେ ତାଙ୍କ ସ୍ତ୍ରୀ କାବେରୀ କାରର ବନେଟ୍ ଉପରକୁ ଆସିଯାଇଥିଲେ । କିନ୍ତୁ କାର ଚାଳକ କାରକୁ ନରଖି ସ୍କୁଟି ଏବଂ କାବେରୀଙ୍କୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡିନେଇଥିଲେ । ଗୁରୁତର ଅବସ୍ଥାରେ ଦୀପକ ଏବଂ କାବେରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ କାବେରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୀପକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ପୋଲିସର କହିବା ଅନୁସାରେ, ଶିବସେନା ସଦସ୍ୟ ରାଜେଶ ସାହାଙ୍କ ପୁଅ ମିହିର୍ ଶାହା କାର୍ ଚଳାଉଥିଲେ । ଦ୍ରୁତ ଗତିରେ କାର୍ ଆଣି ସ୍କୁଟିକୁ ଧକ୍କା ଦେଇଥିଲେ । ଆଉ ଘଟଣାସ୍ଥଳରୁ ମିହିର୍ ଫେରାର ହୋଇଯାଇଥିଲେ । ତେବେ କାରଟି ରାଜେଶ ସାହାଙ୍କ ନାଁରେ ଥିବାରୁ ପୋଲିସ ରାଜେଶ୍ ସାହାଙ୍କୁ ଗିରଫ କରିଛି । ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିଂନେ୍ଧ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୁମ୍ବାଇରେ ହିଟ୍ ଆଣ୍ଡ୍ ରନ୍ ମାମଲା ଦିନକୁ ଦିନ ବଢିଚାଲିଛି । ଏହାକୁ ରୋକିବା ପାଇଁ ପଦକ୍ଷେପ ନିଆଯିବ । ଏବଂ ଏହି ଦୁର୍ଘଟଣା ଘଟଣାରେ ଯିବେ ବି ସମ୍ପୃକ୍ତ ଥାଉ, ତା’ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । କେହି ବି ଏଥିରୁ ବର୍ତ୍ତିବେ ନାହିଁ ।