କନକ ବ୍ୟୁରୋ : ସବୁଦିନ ପରି ସେଦିନ ମଧ୍ୟ ଚଚଚଂଚଳ ଥିଲା ମାୟାନଗରୀ ମୁମ୍ବାଇ । ସବୁ କିଛି ସ୍ୱାଭାବିକ ଥାଏ । ହଠାତ ଗୁଳିବର୍ଷାରେ କମ୍ପିଉଠିଥିଲା ପ୍ୟାଲେସ ତାଜ୍ ପରିସର । ଭୟର ଶବ୍ଦ, ବିକଳ ଚିତ୍କାର , ଏଣେତେଣେ ପ୍ରାଣବିକଳରେ ଦୌଡୁଥିବା ଲୋକମାନେ,କେଉଁଠି ଶବ ପଡିଥାଏ ତ ପୁଣି କେଉଁଠି ଗୁଳିମାଡରେ ଛଟପଟ ହେଉଥାନ୍ତି ନିରୀହ ଲୋକ । ରାତିର ସେହି ନିର୍ଜନତା ଲୋମ ଟାଙ୍କୁରା ଘଟଣା ଘଟେ । ଆଉ ସେ ଛାତିଥରା କାଳରାତ୍ରି କଥା ମନେ ପଡ଼ିଲେ ଆଜି ବି ଦେଶବାସୀଙ୍କ ଆଖିରୁ ଲୁହ ଝରିପଡେ । ମୁମ୍ବାଇର ପ୍ରସିଦ୍ଧ ତାଜ୍ ହୋଟେଲକୁ ରକ୍ତରଂଜିତ କରିଥିଲେ ବିଦେଶୀ ଆତଙ୍କବାଦୀ । ୧୦ଜଣ ଆତଙ୍କବାଦୀ ସମୁଦ୍ରବାଟ ଦେଇ ବାଣିଜ୍ୟନଗରୀ ମୁମ୍ବାଇରେ ଅନୁପ୍ରବେଶ କରିଥିଲେ ଓ ଷଡଯନ୍ତ୍ର ମୁତାବକ ଆଖିବୁଜା ଆକ୍ରମଣ କରିଥିଲେ । ଶରୀରରେ ଶିହରଣ ସୃଷ୍ଟି ଯେତେବେଳେ ଆକ୍ରମଣର କଳା ଛବି ସାମ୍ନାକୁ ଆସିଯାଏ । ପାକିସ୍ଥାନର କରାଚୀରୁ ଆସିଥିବା ସମସ୍ତ ୧୦ ଆତଙ୍କୀ ଗୋଟିଏ ନୈାକାରେ ସମୁଦ୍ର ଦେଇ ଆସିଥିଲେ । । ଆକ୍ରମଣରେ ମୋଟ ୧୬୦ରୁ ଉଦ୍ଧ୍ୱର୍ ଲୋକଙ୍କ ଜୀବନ ଯାଇଥିବାବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ହୋଇଥିଲେ ।
ତାଜ ହୋଟେଲ ଉପରେ ଆକ୍ରମଣ ପରେ ପରେ ଆତଙ୍କବାଦୀଙ୍କ ଦ୍ୱିତୀୟ ଲକ୍ଷ୍ୟ ଥିଲା ଛତ୍ରପତି ଶିବାଜୀ ଟର୍ମିନାଲ ରେଲୱେ ଷ୍ଟେସନ । ଯେଉଁଠାରେ ପହଁଚି ଆତଙ୍କୀମାନେ ଭୟଙ୍କର ଗୁଳିଚାଳନା କରିଥିଲେ । କେବଳ ଏତିକି ନୁହେଁ ସେହି ରାତି ମୁମ୍ବାଇର ବହୁ ନାମୀଦାମୀ ସ୍ଥାନରେ ଆକ୍ରମଣ ହୋଇଥିଲା । ସେଥିମଧ୍ୟରେ ତାଜ ହୋଟେଲ , ଔବରୟ ଟ୍ରାଇଣ୍ଡେଟ ହୋଟେଲ , ନରୀମନ ହାଉସ , ଲିଓପେଡ଼ କେଫ ଆଦି ସାମିଲ ଥିଲେ । ନଭେମ୍ବର ୨୬ରୁ ୨୯ ତାରିଖ ୩ଦିନ ଧରି ଚାଲିଥିବା ଅପରେସନ ଟର୍ଣ୍ଣାଡୋ । ଘଟଣାରେ ଭାରତୀୟ ଯବାନମାନଙ୍କ ଦ୍ୱାରା ୯ ଜଣ ଆତଙ୍କୀ ନିହତ ହୋଇ୍ଥିଲେ ଏବଂ ଜଣେ ଆତଙ୍କୀ ଅଜମଲ କସାବଙ୍କୁ ଜୀବିତ ଗିରଫ କରାଯାଇଥିବାବେଳେ ୨୦୧୨ ନଭେମ୍ବର ୨୧ରେ ଫାସି ଦିଆଯାଇଥିଲା । ବୀର ସହିଦଙ୍କୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ,ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଆଦି ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି ।
୨୬/୧୧ ଦେଶର ଇତିହାସରେ ସବୁଠୁ ବଡ କଳାଦିନ ଭାବେ ଗଣାଯାଏ । ସେପଟେ ଘଟଣାରେ ସହିଦ ହୋଇଥିବା ସହିଦଙ୍କ ବଳିଦାନକୁ ଦେଶ ଓ ଦେଶବାସୀ କେବେବି ଭୁଲି ପାରିବେନି ।