ଚିଠିକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ । ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କ ସାଂଘାତିକ ଅଭିଯୋଗ । ପଢ଼ନ୍ତୁ ପୂରା କାହାଣୀ…

72

କନକ ବ୍ୟୁରୋ: ଗୋଟିଏ ଚିଠିକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଇଚଇ । ମହାରାଷ୍ଟ୍ରର ପୂର୍ବତନ ପୁଲିସ କମିସନର ପରମବୀରଙ୍କ ଚିଠି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଖକୁ ପରମବୀର ସିଂ ଚିଠି ଲେଖି ଗୃହମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଆଉ ପରମବୀରଙ୍କ ଚିଠିକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତି ଦୋହଲି ଯାଇଛି । ଅନ୍ୟପଟେ ପରମବୀର ସିଂଙ୍କ ଅଭିଯୋଗ ପରେ ବିବାଦରେ ଛନ୍ଦି ହୋଇଯାଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ଏନେଇ ପ୍ରତିକ୍ରିୟା ଦେଇ ଦେଶମୁଖ କହିଛନ୍ତି ପରମବୀର ସିଂଙ୍କ ନାମରେ ସେ ମାନହାନୀ ମକଦ୍ଦମା କରିବେ । ପରମବୀର ସିଂ ଆଣିଥିବା ଅଭିଯୋଗ ସଂପୂର୍ଣ୍ଣ ମିଛ । ସେ ଆଣିଥିବା ଅଭିଯୋଗକୁ ତାଙ୍କ ପ୍ରମାଣ କରିବାକୁ ପଡିବ ବୋଲି କହିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ।

ତେବେ ପୂର୍ବତନ ମୁମ୍ବାଇ ପୁଲିସ କମିସନର ପରମବୀର ସିଂ ଉଦ୍ଧବ ଠାକରେଙ୍କୁ ଲେଖିଥିବା ଚିଠିରେ ସଚିନ ୱାଜେଙ୍କୁ ମାସିକ ଶହେ କୋଟି ଟଙ୍କା ଅସୁଲ କରିବା ପାଇଁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଟାର୍ଗେଟ ଦେଇଥିବା ଭଳି ସାଂଘାତିକ ଅଭିଯୋଗ ରହିଛି । ସଚିନ ୱାଜେଙ୍କୁ ଅନିଲ ଦେଶମୁଖ ଶହେ କୋଟି ଟଙ୍କା ଆଦାୟ କରି ଦେବା ପାଇଁ କହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ସଚିନ ୱାଜେ ହେଉଛନ୍ତି ସେହି ତଦନ୍ତକାରୀ ପୁଲିସ ଅଧିକାରୀ, ଯିଏ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରୁ ବିସ୍ଫୋରକ ଭର୍ତ୍ତି କାର ମିଳିବା ଘଟଣାରେ ଗିରଫ ହୋଇଛନ୍ତି ।

ସବୁଠାରୁ ବଡ଼ କଥା ହେଲା, ସଚିନ ୱାଜେ ଗିରଫ ପରେ ଏଇ ନିକଟରେ ପରମବୀର ସିଂଙ୍କୁ ମୁମ୍ବାଇ ପୋଲିସ କମିଶନର ପଦରୁ ବଦଳି କରାଯାଇଛି । ଏହାପରେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ପରମବୀର । ସେପଟେ ଅନୀଲ ଦେଶମୁଖ କହିଛନ୍ତି, ଯଦି ପରମବୀର ସିଂଙ୍କୁ ସବୁ କଥା ଜଣାଥିଲା, ତେବେ ଏତେ ଦିନ କାହିଁକି ଚୁପ ରହିଥିଲେ ।