ପାକ୍ ଟାର୍ଗେଟରେ ପୁଣି ମୁମ୍ବାଇର ତାଜ୍ ହୋଟେଲ୍ : ଗୋଟିଏ ନମ୍ବରରୁ ତିନୋଟି ହୋଟେଲକୁ ଆସିଲା ଧମକପୂର୍ଣ୍ଣ କଲ୍ … ୨୦୦୮ ବିସ୍ଫୋରଣର ପୁନରାବୃତ୍ତି କରିବାକୁ ଆତଙ୍କବାଦୀ ପ୍ରସ୍ତୁତ , ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

868

ପାକିସ୍ତାନ ଟାର୍ଗେଟରେ ମୁମ୍ବାଇର ବଡ଼ ବଡ଼ ହୋଟେଲ୍ । ରାତି ଅଧରେ ମୁମ୍ବାଇର ୩ ଟି ପ୍ରସିଦ୍ଧ ହୋଟେଲକୁ ଆସିଲା ଧମକପୂର୍ଣ୍ଣ ଫୋନ୍ କଲ୍ । ତାଲିକାରେ ଥିଲେ ହୋଟେଲ୍ ତାଜ୍ , ହୋଟେଲ୍ କୋଲାବା ଏବଂ ତାଜ୍ ଲ୍ୟାଣ୍ଡସ୍ । ଗତରାତି ୧୨.୩୦ ରେ ହୋଟେଲରେ ବିସ୍ଫୋରଣ କରିବାର ଧମକ ଦେଇଛି ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା । ୨୦୦୮ ବିସ୍ଫୋରଣର ପୁନରାବୃତ୍ତି କରିବାକୁ ଧମକ ମିଳିବା ପରେ ହୋଟେଲରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ରାତି ୧୨.୩୦ ଟାରେ ପାକିସ୍ତାନ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର ଜଣେ ସଦସ୍ୟ ଗୋଟିଏ ଫୋନ୍ ନମ୍ବରରୁ ଏହି ତିନୋଟି ହୋଟେଲକୁ କଲ୍ କରି ଧମକ ଦେଇଥିଲା । ମାମଲାକୁ ଗମ୍ଭୀରତାର ସହ ନେଇ ମୁମ୍ବାଇ ପୋଲିସ୍ ଏହି ହୋଟେଲର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି । ଫୋନ୍ କଲର ଲୋକେସନକୁ ଠାବ କରିବା ପାଇଁ ସାଇବର୍ ସେଲ୍ , ଟେଲିକମ୍ ବିଭାଗକୁ ମଧ୍ୟ ମାମଲାର ଜାଞ୍ଚ୍ ପାଇଁ ଲଗାଯାଇଛି । ଆପଣଙ୍କୁ କହିରଖୁଛୁ ଯେ , ୨୦୦୮ ନଭେମ୍ବର ୨୬ ରେ ମୁମ୍ବାଇର ତାଜ୍ ହୋଟେଲରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନ କରିଥିଲା । ସମୂଦ୍ରମାର୍ଗରୁ ଆସି ବଡ଼ ଧରଣର ବିସ୍ଫୋରଣ କରିଥିଲେ ଆତଙ୍କବାଦୀ । ୧୬୬ ନିରିହ ଲୋକଙ୍କ ଜୀବନ ଏହି ଆକ୍ରମଣରେ ଯାଇଥିବା ବେଳେ ଅଜମଲ୍ କସାବକୁ ଛାଡ଼ି ଅନ୍ୟ ଆତଙ୍କବାଦୀଙ୍କୁ ଢେର୍ କରିଥିଲେ ସୁରକ୍ଷାକର୍ମୀ । ପରେ କସାବକୁ ମଧ୍ୟ ଫାଶୀଖୁଣ୍ଟରେ ଝୁଲାଯାଇଥିଲା ।