କନକ ବ୍ୟୁରୋ: ମୌସୁମୀର ପ୍ରଥମ ମାଡ଼ରେ ବେହାଲ ମୁମ୍ବାଇ । ଦେଶର ବାଣିଜ୍ୟ ନଗରୀରେ ବର୍ଷାର ତାଣ୍ଡବ। ରାତି ଗୋଟାଏ ସମୟରେ ଆରମ୍ଭ ହୋଇଥିବା ବର୍ଷା ସକାଳ ୭ରେ ଛାଡିଥିଲା । ଆଉ ତା ପରର ଦୃଶ୍ୟ ଭୟଙ୍କର । ମାତ୍ର ୬ ଘଣ୍ଟାରେ ୩୦୦ ମିଲିମିଟର ରେକର୍ଡ ବର୍ଷା ହୋଇଥିଲା ମୁମ୍ବାଇରେ । ଯାହା ଫଳରେ ପୁରା ସହର ଜଳମଗ୍ନ ହୋଇଯାଇଛି । ରେଲୱେ ଟ୍ରାକଠାରୁ ଆରମ୍ଭ କରି ରାସ୍ତାଘାଟ ଆଉ ଘର ସବୁଠି ପଶିଥିଲା ବର୍ଷା ପାଣି । ପୁରା ସହର ଯେମିତି କୃତ୍ରିମ ସମୁଦ୍ରରେ ପରିଣତ ହୋଇଥିଲା । ସ୍ଥିତି ଏମିତି ହେଲା ଯେ ମୁମ୍ବାଇର ଲାଇଫଲାଇନ କୁହାଯାଉଥିବା ଲୋକାଲ ଟ୍ରେନ୍ ବନ୍ଦ କେଇ ଘଂଟା ପାଇଁ ପଡିଗଲା । ନା କେହି ଅଫିସ ପହଂଚିପାରିଲେ ନା ସ୍କୁଲ୍ କଲେଜ୍ ।

Advertisment

ମୁମ୍ବାଇର ଜନବହୁଳ ଅଂଚଳ ଯେମିତି କି ଅନ୍ଧେରୀ, କୁର୍ଲା, କିଙ୍ଗ୍ ସର୍କଲ୍ ଏବଂ ଦାଦର ସମେତ ଅନେକ ଅଞ୍ଚଳ ଏମିକି ଜଳମଗ୍ନ ହୋଇ ରହିଛି । ଲଗାତର ବର୍ଷା ହୋଇଥିବାରୁ ସହରର ଡ୍ରେନଗୁଡ଼ିକ ଭରି ଯାଇଛି। ଜଳ ନିଷ୍କାସନ ପାଇଁ ମୁମ୍ବାଇ ମହାନଗର ନିଗମକୁ ନାକେଦମ ହେବାକୁ ପଡିଛି। ସେପଟେ ପାଣିପାଗ ବିଭାଗର ଆକଳନ ଆଗାମୀ ୩ -୪ ଦିନ ମହାରାଷ୍ଟ୍ରରେ ବର୍ଷା ହେବ । ବର୍ଷାର ବିତ୍ପାତ ଦେଖି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

କେବଳ ମୁମ୍ବାଇ ନୁହେଁ ମୌସୁମୀ ମାଡରେ ଦେଶରେ ଅଧାରୁ ଅଧିକ ରାଜ୍ୟରେ ସ୍ଥିତି ବେହାଲ । ବର୍ଷା ପରବର୍ତୀ ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଆସାମ । ଯେଉଁଠି ୨୩ ଲକ୍ଷ ଲୋକ ବନ୍ୟା ଘେରରେ ରହିଥିବା ବେଳେ ୬୬ ଜଣଙ୍କ ଜୀବନ ଗଲାଣି । ସେହିପରି ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମଣିପୁର, ପଶ୍ଚିମବଙ୍ଗ ଓ ବିହାରରେ ବି ବର୍ଷା ରଚିଛି ତାଣ୍ଡବ । ଅନେକ ଜିଲ୍ଲାରେ ବନ୍ୟା ସ୍ଥିତି ଦେଖାଦେଇଥିବା ବେଳେ ଏସବୁ ରାଜ୍ୟର ମୁଖ୍ୟ ନଦୀ ଗୁଡିକର ଜଳସ୍ତର ବଢିବାରେ ଲାଗିଛି । ଯାହା ଏବେ ଲୋକଙ୍କ ମନରେ ଛନକା ପୁରାଇଛି । ସେପଟେ ଭାରତୀୟ ପାଣିପାଗ ବିଭାଗ ଦେଶର ୧୧ ରାଜ୍ୟ ପାଇଁ ରେଡ ଆଲର୍ଟ ଜାରି କରିଛି । ଯେଉଁଠି ଆଗାମୀ ୨ ଦିନ ପ୍ରବଳ ବର୍ଷା ଲାଗି ରହିବ । ଫଳରେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବା ନେଇ ଆଶଙ୍କା ଦେଖାଦେଇଛି ।