ଅଭେସଙ୍କ ଘାତକ ବୋଲିଂ, ମାଟି କାମୁଡ଼ିଲା ମୁମ୍ବାଇ । ଦିଲ୍ଲୀ ଆଗରେ ୧୩୦ ରନର ବିଜୟଲକ୍ଷ୍ୟ । 

95

କନକ ବ୍ୟୁରୋ : ଶନିବାରର ସୁପର ଲଢେଇରେ ଦମଦାର ବୋଲିଂ ପ୍ରଦର୍ଶନ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଶାରଜାହ କ୍ରିକେଟ୍ ଷ୍ଟାଡିୟମରେ ଆଜି ଖେଳାଯାଉଥିବା ଆଇପିଏଲର ୪୬ ତମ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି ଦିଲ୍ଲୀ । ବ୍ୟାଟିଂ ଆମନ୍ତ୍ରଣ ପାଇ ପ୍ରଥମେ ପାଳି ଆରମ୍ଭ କରିଥିବା ମୁମ୍ବାଇକୁ ଆଜି ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଛି । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୮ଟି ୱିକେଟ୍ ହରାଇ ୧୨୯ ରନ୍ କରିବାକୁ ସକ୍ଷମ ହୋଇଛି । ଅଭେସ ଖାନ ଦମଦାର ବୋଲିଂ ପ୍ରଦର୍ଶନ କରି ୪ ଓଭରରେ ମାତ୍ର ୧୫ ରନ୍ ଦେଇ ୩ଟି ମୂଲ୍ୟବାନ୍ ୱିକେଟ୍ ଅକ୍ତିଆର କରିଛନ୍ତି ।

ଅଧିନାୟକ ରୋହିତ ଶର୍ମା ଶସ୍ତାରେ ଆଉଟ୍‌ ହୋଇଥିଲେ । ସେ ୧୦ଟି ବଲ୍‌ ଖେଳି ଅବେଶଙ୍କ ବଲରେ କାଗିସୋ ରାବଡ଼ାଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ୍‌କୁ ଫେରି ଆସିଥିଲେ । ରୋହିତଙ୍କ ସହ ଓପନର ଖେଳିଥିବା କ୍ୱିଣ୍ଟନ୍‌ ଡି’ କକ୍‌ ୧୯ ରନ୍‌ କରିଥିଲେ । ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ଯୁବ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ପାଇଁ ସର୍ବାଧିକ ୩୩ ରନ୍‌ ସଂଗ୍ରହ କରିଥିଲେ । ସେ ୨୬ଟି ବଲ ଖେଳି ୨ଟି ଚୌକା ଓ ୨ଟି ଛକା ମାରିଥିଲେ ।

ମୁମ୍ବାଇର ସୌରଭ ତିଓ୍ଵାରି ଦିଲ୍ଲୀ ବୋଲର ଅକ୍ଷର ପଟେଲଙ୍କ ବଲରେ ଋଷଭ ପନ୍ତଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହେବା ପୂର୍ବରୁ ୧୫ ରନ୍‌ ସଂଗ୍ରହ କରିଥିଲେ । କିରନ ପୋଲାର୍ଡ ୬ ରନ୍‌, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୧୭ ରନ୍‌, କ୍ରୁନାଲ ପାଣ୍ଡ୍ୟା (ଅପରାଜିତ ୧୩ ରନ୍‌), ନାଥାନ କଲଟର ନାଇଲ ୧ ରନ୍‌, ଜୟନ୍ତ ଯାଦବ ୧୧ ଓ ଜସପ୍ରୀତ ବୁମ୍‌ରା ୧ ରନ୍‌ ସଂଗ୍ରହ କରିଥିଲେ ।ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଅବେଶ ଖାନ୍‌ ଓ ଅକ୍ଷର ପଟେଲଙ୍କୁ ୩-୩ ଓ୍ଵିକେଟ ମିଳିଥିଲା । ସେହିପରି ଅନରିଚ୍‌ ନୋରତ୍‌ଜେ ଗୋଟିଏ ଲେଖାଏ ଓ୍ଵିକେଟ୍‌ ନେଇଥିଲେ ।