ମୁମ୍ବାଇ ଦୁଷ୍କର୍ମ ଘଟଣା: ଚିକିତ୍ସାଧିନ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ, ଅଭିଯୁକ୍ତ ଗିରଫ

263

କନକ ବ୍ୟୁରୋ: ମୁମ୍ବାଇ ସାକିନାକା ଅଞ୍ଚଳରେ ଦୁଷ୍କର୍ମର ଶୀକାର ହୋଇଥିବା ପୀଡିତାଙ୍କ ମୃତ୍ୟୁ ହୋଇଛି । ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁଷ୍କର୍ମ ପରେ ପୀଡିତାଙ୍କ ସମ୍ବେଦନଶୀଳ ଅଙ୍ଗରେ ଲୁହା ରଡ୍ ଭର୍ତି କରି ଦେଇଛନ୍ତି ଦୁଷ୍କର୍ମକାରୀ । ତେବେ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ମୁମ୍ବାଇ ପୋଲିସର ସୂଚନା ଅନୁସାରେ ଗତକାଲି ଭୋର ସାଢ଼େ ତିନିଟା ସମୟରେ ଏକ କଲ ଆସିଥିଲା । ଖୈରାନୀ ରୋଡରେ ମହିଳା ଜଣଙ୍କ ରକ୍ତ ଜୁଡୁବୁଡୁ ହୋଇ ଅଚେତ୍ ଅବସ୍ଥାରେ ପଡିଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି, ପୀଡିତାଙ୍କୁ ଉଦ୍ଧାର କରି ଘଟକୋପର ରାଜୱାଡି ଡାକ୍ତରଖାନାରେ ଭର୍ତି କରିଥିଲେ । ଆଇପିସି ଧାରା ୩୭୬ ଅର୍ଥାତ ଦୁଷ୍କର୍ମ, ଏବଂ ଧାରା ୩୦୭ ଅର୍ଥାତ ହତ୍ୟା ଉଦ୍ୟମରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଏଭଳି ନୃଶଂସ କାଣ୍ଡ ପାଇଁ ଜଣଙ୍କୁ ଗିରଫ କରିଛି ପୋଲିସ ।

ଘଟଣାସ୍ଥଳଠାରୁ କିଛି ଦୂରରେ ଥିବା ଜଣେ ୱାଚମ୍ୟାନଙ୍କ ସୂଚନା ଅନୁସାରେ ମୋହନ ଚୌହ୍ୱାନ ନାମକ ଜଣେ ୪୫ ବର୍ଷିୟ ଫୁଟପାତରେ ରହୁଥିବା ଏହି ମହିଳାଙ୍କୁ ଏକ ଅଟୋ ଭିତରକୁ ଟାଣି ନେଇ ଦୁଷ୍କର୍ମ କରିଥିଲେ । ଏବଂ ମାଡ ମାରୁଥିବା ଦେଖିଥିଲେ । ଦେଖିବା ପରେ ପୋଲିସକୁ ତୁରନ୍ତ ସୂଚନା ଦେଇଥିଲେ ୱାଚମ୍ୟାନ । କିନ୍ତୁ କାଣ୍ଡ ଘଟାଇବା ପରେ ମନୋଜ ଫେରାର ହୋଇଯାଇଥିଲା । ସିସିଟିଭି ଫୁଟେଜକୁ ଆଧାର କରି କୁର୍ଲା ଅଂଚଳରୁ ତାକୁ ଗିରଫ କରାଯାଇଛି ।

ଅଭିଯୁକ୍ତକୁ ପୋଲିସ ଗିରଫ କରି ସାରିଛି ସତ ହେଲେ ନ୍ୟାୟ କେବେ ମିଳୁଛି ତାହା ଦେଖିବା ବାକି ରହିଲା । ଦିଲ୍ଲୀ ନିର୍ଭୟାଙ୍କୁ ନ୍ୟାୟ ପାଇବାକୁ ୭ ବର୍ଷ ଲାଗିଯାଇଥିଲା, ଆଉ ଏବେ ମୁମ୍ବାଇ ନିର୍ଭୟାଙ୍କ ଦୋଷୀଙ୍କୁ କେବେ ନ୍ୟାୟ ମିଳୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।