କନକ ବ୍ୟୁରୋ : ପୁଣି ଚିନ୍ତାବଢାଇଲାଣି କରୋନା ସଂକ୍ରମଣ । ୟୁରୋପରେ ସଂକ୍ରମଣ ବଢାଉଛି କରୋନାର ନୂଆ ଭାରିଆଣ୍ଟ । ଏବେ ସାରା ବିଶ୍ୱରେ ପ୍ରତିଦିନ ଦେଢ ନିୟୁତ ନୂଆ ସଂକ୍ରମଣ ଚିହ୍ନଟ ହେଉଛନ୍ତି । କେବଳ ୟୁରୋପ ନୁହେଁ କେତେକ ଦେଶରେ ସଂକ୍ରମଣ ବଢିବା ସାଙ୍ଗକୁ ମୃତ୍ୟୁ ହାର ଅଧିକ ରହୁଥିବା ରିପୋର୍ଟ ଜଣାପଡିଛି । ତେବେ ପ୍ରାୟ ପ୍ରତି ଚାରିମାସରେ ଗୋଟିଏ ନୂଆ ଭାରିଆଣ୍ଟ ଚିନ୍ତା ବଢାଉଥିବା ବେଳେ ଏବେ ଏସିଆ ମହାଦେଶରେ ବି ସଂକ୍ରମଣ ବୃଦ୍ଧି ଉଦବେଗର କାରଣ ପାଲଟିଛି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେତେକ ଧନୀ ରାଷ୍ଟ୍ର ନିଜ ନାଗରିକଙ୍କୁ ଦ୍ୱିତୀୟ ବୁଷ୍ଟର ଡୋଜ୍ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ପୃଥ୍ୱିବୀର ଏକତୃତୀୟାଂଶ ଲୋକ ଏଯାଏ ପ୍ରଥମ ଡୋଜ ଟିକା ବି ନେଇନାହାନ୍ତି । ଏହା ହିଁ ନୂଆ ନୂଆ ଭାରିଆଣ୍ଟଙ୍କ ଉଭ୍ଭ ବୋଲି କୁହାଯାଉଛି । ଚଳିତ ମାସ ମଧ୍ୟଭାଗ ସୁଦ୍ଧା ପ୍ରତ୍ୟେକ ଦେଶ ଅନ୍ତତଃ ୭୦ ପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି, ତାହା ହାସଲ କରିବାଠାରୁ ଅନେକ ଦେଶ ବହୂ ଦୂରରେ । ପ୍ରତି ଚାରିମାସରେ ନୂଆ ଭାରିଆଣ୍ଟର ଉଭବ ହେଉଥିବାରୁ ପ୍ରତ୍ୟେକ ଦେଶ ଟିକାକରଣ ଲକ୍ଷ୍ୟ ଯଥାଶୀଘ୍ର ପୂରଣ କରିବା ଉପରେ ଜୋରଦେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ତେବେ ଓମିକ୍ରନ୍ ସାରା ବିଶ୍ୱରେ ଆତଙ୍କ ଖେଳାଇସାରିଥିବା ବେଲେ ଏବେ ଓମିକ୍ରନର ନୂଆ ଭାରିଆଣ୍ଟ ଏକ୍ସ-ଇକୁ ନେଇ ଚିନ୍ତାରେ ସାରା ବିଶ୍ୱ । ୟୁରୋପରେ ଏହା ଅଧିକ ମାତ୍ରାରେ ଦେଖିବାକୁ ମିଳିଥିବା ବେଳେ ଭାରତରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ରିପୋର୍ଟରୁ ଜଣାପଡିଛି । ପ୍ରଥମେ ମହାରାଷ୍ଟ୍ରରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିଲା ଆଉ ଏବେ ଏହି ଭାରିଆଣ୍ଟ ଗୁଜୁରାଟରେ ବି ଦେଖିବାକୁ ମିଳିଲାଣି । ଗୁଜରାଟରେ ଜଣଙ୍କ ଦେହରେ ଏକ୍ସ-ଇ ଭୂତାଣୁ ଦେଖିବାକୁ ମିଳିଥିଲା । ଜିନମ୍ ସିକ୍ୱେନ୍ସିଂ ପରେ ତାହା ଓମିକ୍ରନର ଉପକିଶମ ବୋଲି ଜଣାପଡିଥିଲା । କିନ୍ତୁ ଏସ୍କ-ଇ ଭୂତାରୁ ଚିହ୍ନଟ ହେବାର ସପ୍ତାହେ ମଧ୍ୟରେ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଯାଇଥିଲେ । ତେବେ ଓମିକ୍ରନଠାରୁ ଏକ୍ସ-ଇ ଭାଇରସ୍ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ଏହା ମଧ୍ୟ କୁହାଯାଉଛି କି, ଏକ୍ସ-ଇ ଭାଇରସ୍ ଅଧିକ ସଂକ୍ରାମକ ହୋଇଥିଲେ ବି ଏଥିରେ ଲୋକେ ବେସି ଗୁରୁତର ହେଉନାହାନ୍ତି ।