ଆଖିବୁଜିଦେଲେ ମୁମ୍ବାଇ ଦୁଷ୍କର୍ମ ପୀଡ଼ିତା । ହସ୍ପିଟାଲ ବାହାରେ ତେଜିଲା ପ୍ରତିବାଦ

210

କନକ ବ୍ୟୁରୋ: ପୁଣି ଏକ ନିର୍ଭୟା କାଣ୍ଡରେ ଥରି ଉଠିଲା ଦେଶ । ଦିଲ୍ଲୀର ନିର୍ଭୟା କାଣ୍ଡ ଏବେ ବି ଦେଶବାସୀଙ୍କ ମନରୁ ଲିଭିନଥିବା ବେଳେ ମୁମ୍ବାଇ ସାକିନାକାରେ ଘଟିଛି ଆଉ ଏକ ଲୋମାଟାଙ୍କୁରା କାଣ୍ଡ  । ଦୁଷ୍କର୍ମ ପରେ ପୀଡିତାଙ୍କ ସମ୍ବେଦନଶୀଳ ଅଙ୍ଗରେ ଲୁହା ରଡ୍ ଭର୍ତି କରି ଦେଇଥିଲେ ଦୁଷ୍କର୍ମକାରୀ । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା  । ମାତ୍ର ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି ।

ଜୀବନ ସହ ସଂଘର୍ଷ ଭିତରେ ଶେଷରେ ଆଖି ବୁଜିଲେ ଦୁଷ୍କର୍ମ ପୀଡିତା । ମୁମ୍ବାଇ ସାକିନାକାରେ ଦିଲ୍ଲୀ ନିର୍ଭୟା କାଣ୍ଡର ପୁନଃରାବୃତି ଘଟଣାରେ ପୀଡିତାଙ୍କ ମୃତ୍ୟୁ ହୋଇଛି । ମୁମ୍ବାଇ ଘାଟକୋପର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଜିଛନ୍ତି । ପୀଡ଼ିତାଙ୍କର ଶନିବାର ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି  । ମୁମ୍ବାଇର ସାକିନାକା ଅଂଚଳର ଖୈରାନୀ ରୋଡରେ ୯ ତାରିଖରେ ବର୍ବର କାଣ୍ଡର ଶୀକାର ହୋଇଥିଲେ ମୁମ୍ବାଇର ନିର୍ଭୟା  । ହେଲେ ଡାକ୍ତରମାନେ ତାଙ୍କୁ ବଂଚାଇବାରେ ସକ୍ଷମ ହୋଇପାରି ନାହାନ୍ତି  । ତେବେ ଏହି ଘଟଣାକୁ ନେଇ ମୁମ୍ବାଇରେ ବେଶ୍ ଉତେଜନା ଲାଗି ରହିଛି । ପୀଡିତାଙ୍କ ମୃତ୍ୟୁ ପରେ ଡାକ୍ତରଖାନା ବାହାରେ ଲୋକଙ୍କ ପ୍ରତିବାଦ ଦେଖିବାକୁ ମିଳିଛି । ମହିଳାଙ୍କୁ ସୁରକ୍ଷା ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଲୋକେ ନାରାବାଜି କରିଛନ୍ତି ।

ମୁମ୍ବାଇ ପୋଲିସର ସୂଚନା ଅନୁସାରେ ୯ ତାରିଖ ଭୋର ସାଢ଼େ ତିନିଟା ସମୟରେ ଏକ କଲ ଆସିଥିଲା । ଖୈରାନୀ ରୋଡ୍ରେ ୩୦ ବର୍ଷୀୟ ମହିଳା ଜଣଙ୍କ ରକ୍ତ ଜୁଡୁବୁଡୁ ହୋଇ ଅଚେତ୍ ଅବସ୍ଥାରେ ପଡିଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି, ପୀଡିତାଙ୍କୁ ଉଦ୍ଧାର କରି ଘାଟକୋପର ରାଜୱାଡି ଡାକ୍ତରଖାନାରେ ଭର୍ତି କରିଥିଲେ । ମହିଳାଙ୍କୁ ଦୁଷ୍କର୍ମ ପରେ ଦୁର୍ବୃତ ଜଣଙ୍କ ତାଙ୍କ ଗୁପ୍ତାଙ୍ଗରେ ରଡ୍ ଭର୍ତି କରିଦେଇଥିଲା । ଘଟଣାରେ ପୋଲିସ ଅଭିଯୁକ୍ତ ମୋହିତ ଚୌହ୍ୱାନଙ୍କୁ ଗିରଫ କରିଛି । ଆଇପିସି ଧାରା ୩୭୬ ଅର୍ଥାତ ଦୁଷ୍କର୍ମ, ଏବଂ ଧାରା ୩୦୭ ଅର୍ଥାତ ହତ୍ୟା ଉଦ୍ୟମରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

ସେପଟେ ଘଟଣାର ସିସିଟିଭି ଫୁଟେଜ୍ ପୋଲିସ ହାତରେ ଲାଗିଛି । ଏଥିରେ ଅଭିଯୁକ୍ତ ଜଣକ ମହିଳାଙ୍କ ସହ ଦୁଷ୍କର୍ମ ପରେ ମାରପିଟ୍ କରିବା ସହ ଲୁହା ରଡ୍ରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ଏହାପରେ ଘଟଣାସ୍ଥଳରୁ ଦୁର୍ବୃତ ଫେରାର୍ ହୋଇଯାଉଥିବା ଦେଖିବାକୁ ମିଳିଛି ସିସିଟିଭି । ଏହାକୁ ଆଧାର କରି ପୋଲିସ ମୋହିତକୁ ଗିରଫ କରିଛି । ତେବେ ଏଥିରେ ଆଉ କିଛି ଲୋକ ସାମିଲ ଥିବା ପୋଲିସ ସନ୍ଦେହ କରି ତଦନ୍ତ ଜାରି ରିଖିଛି ।