କନକ ବ୍ୟୁରୋ : ଦୁର୍ଘଟଣା ରୋକିବାକୁ ଟ୍ରାଫିକ୍ ନିୟମକୁ କଡାକଡି କରିଛନ୍ତି ସରକାର । ନିୟମ ଉଲ୍ଲଂଘନ ପାଇଁ ମୋଟା ଅଙ୍କର ଜୋରିମାନା ବ୍ୟବସ୍ଥା ମଧ୍ୟ ରହିଛି । କିନ୍ତୁ ନିୟମକୁ ବେଖାତିର କରି, ଜୀବନକୁ ବାଜିରେ ଲଗାଇ ବିପଦଜନକ ଷ୍ଟଣ୍ଟ କରୁଛନ୍ତି ଆଜିର ଯୁବପିଢି । ଏହାରି ଭିତରେ ମୁମ୍ବାଇରୁ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Advertisment

ବାଇକରେ ତିନି ଜଣ ବସିଛନ୍ତି, ମୁଣ୍ଡରେ ହେଲମେଟ୍ ବି ନାହିଁ । କେମିତି ବାଇକରେ ଦୁଇଜଣ ଯୁବତୀଙ୍କୁ ବସାଇ, ବାଇକର ଆଗ ଚକକୁ ଉଠାଇ ବିପଦଜନକ ଷ୍ଟଣ୍ଟ କରୁଛନ୍ତି ଜଣେ ଯୁବକ । ଏପରିକି ଜଣେ ଯୁବତୀ ବାଇକର ପଛରେ ବସିଛନ୍ତି ଏବଂ ଆଉ ଜଣେ ଆଗରେ । ତେବେ ଏବି ଭିଡିଓଟି ଭାଇରାଲ ହେବା ପରେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଯୁବକ ଫୈଆଜ୍ କାଦରିଙ୍କୁ ଗିରଫ କରିଛି ।

ଏହା ସହ ଏଭଳି ଷ୍ଟଣ୍ଟ କରୁଥିବା ଚାଳକଙ୍କୁ ଧରିବା ପାଇଁ ସ୍ପେଶାଲ ଟିମ୍ ମଧ୍ୟ ଗଠନ କରାଯାଇଛି । କେବଳ ଏହି ଘଟଣା ନୁହେଁ ସୋସିଆଲ୍ ମିଡିଆରେ ଏମିତି ଅନେକ ଭିଡିଓ ସାମ୍ନାକୁ ଆସୁଛି, ଯେଉଁଥିରେ ଯୁବପିଢି କେବଳ ରିଲ୍ସ ଭିଡିଓ ପାଇଁ ନିଜ ଜୀବନକୁ ବାଜିରେ ଲଗାଇବାକୁ ପଛାଉ ନାହାନ୍ତି । ଚଳନ୍ତା ବାଇକରେ ବିପଦଜନକ ଷ୍ଟଣ୍ଟ କରୁଛନ୍ତି । ଏଭଳି କରିବାରୁ ଦୂରେଇ ରୁହନ୍ତୁ, କାରଣ ଗାଡି ଚଳାଇବା ବେଳେ ଟିକେ ବି ଅସାବଧାନତା ଆପଣଙ୍କ ଜୀବନ ପ୍ରତି ବିପଦ ଆଣିପାରେ ।