ଅନଲାଇନରେ ଯୁବକ ଅର୍ଡର କରିଥିଲେ ୪୦୦ ଟଙ୍କାର ମାଉଥୱାସ । କିନ୍ତୁ ଆସିଲା ୧୩ ହଜାର ଟଙ୍କାର ବ୍ରାଣ୍ଡଡେଡ୍ ସ୍ମାର୍ଟଫୋନ୍ ।

540

କନକ ବ୍ୟୁରୋ : କଥାରେ ଅଛି, ଆଲ୍ଲା ଯବ ଦେତା ହେ, ତୋ ଛପର ଫାଡ୍ କେ ଦେତା ହେ । ଆଉ କରୋନା କାଳରେ କିଛି ଏମିତି ଘଟଣା ଦେଖିବାକୁ ମିଳିଛି । ଯେତେବେଳେ ଜଣେ ବ୍ୟକ୍ତି ୪୦୦ ଟଙ୍କାର ଏକ ସାମଗ୍ରୀ ଅର୍ଡର କରି ୧୩୦୦୦ ଟଙ୍କାର ଏକ ଦମଦାର ସ୍ମାର୍ଟଫୋନ୍ ପାଇଛନ୍ତି । କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଲକଡାଉନ୍ ଏବଂ ସଟଡାଉନ୍ ଭଳି କଟକଣା ଜାରି କରାଯାଇଛି । ଯେଉଁଥିପାଇଁ ଦୋକାନ ବଜାର ବନ୍ଦ ରହିଛି ଏବଂ ଲୋକମାନେ ବାହାରକୁ ବାହାରୁନାହାନ୍ତି । ଆଉ ଏଭଳି ସ୍ଥିତିରେ ଲୋକେ ଅନଲାଇନ୍ ସପିଂ ଉପରେ ଅଧିକ ନିର୍ଭର କରୁଛନ୍ତି ।

ମୁମ୍ବାଇର ଜଣେ ବ୍ୟକ୍ତି ନାମୀଦାମି ଇକମର୍ସ କମ୍ପାନୀ ଆମାଜନରୁ ମାଉଥୱାସ ଅର୍ଡର କରିଥିଲେ । ଆଉ ଯେତେବେଳେ ଅର୍ଡର ଆସି ତାଙ୍କ ପାଖରେ ପହଂଚିଥିଲା, ସେ ଅର୍ଡର ରିସିଭ କରିଥିଲେ । ଏବଂ ସେଥିରୁ ଯାହା ବାହାରିଥିଲା, ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାହିଁକି ନା ପାର୍ସଲରେ ୪୦୦ ଟଙ୍କାର ମାଉଥୱାସ ବଦଳରେ ରେଡମିର ଏକ ବ୍ରାଣ୍ଡ ନ୍ୟୁ ସ୍ମାର୍ଟଫୋନ୍ ଥିଲା ।

ତେବେ ଲୋକେଶ ଡାଗା ନାମକ ଜଣେ ବ୍ୟକ୍ତି ଏକ ମାଉଥୱାସ ଅର୍ଡର କରିଥିଲେ । କିନ୍ତୁ ଆମାଜନ୍ ଇଣ୍ଡିଆ ତାଙ୍କୁ ଏକ ସ୍ମାର୍ଟଫୋନ ପଠାଇଦେଇଛି । ଲୋକେଶ କହିଛନ୍ତି, ଡେଲିଭର କରାଯାଇଥିବା ଆଇଟମ୍ ଉପରେ ପ୍ୟାକେଜ୍ ଲେବଲ ତାଙ୍କ ନାଁରେ ରହିଛି କିନ୍ତୁ ଚାଲାଣ ଆଉ କାହା ନାଁରେ ରହିଥିଲା ।

ତେବେ ଆମାଜନ୍ ଭୁଲରେ ତାଙ୍କ ପାଖକୁ ସ୍ମାର୍ଟଫୋନ୍ ପଠାଇଦେଇଥିବାରୁ ଏନେଇ ଟ୍ୱିଟ୍୍ କରି ଆମାଜନକୁ ଜଣାଇଥିଲେ ଲୋକେଶ । ତେବେ ଏହି ସ୍ମାର୍ଟଫୋନର ବଜାର ମୂଲ୍ୟ ୧୩,୦୦୦ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଲୋକେଶ ଏନେଇ ଟ୍ୱିଟ୍ କରିବା ପରେ, ଅନେକ ରୋଚକ ପ୍ରତିକ୍ରିୟା ଆସିଛି । ଅନେକ ଲୋକ ତାଙ୍କୁ ସ୍ମାର୍ଟଫୋନ ରଖିବାକୁ ପରାମର୍ଶ ଦେଇଥିବାବେଳେ ଅନେକ ସ୍ମାର୍ଟଫୋନ୍ ଫେରାଇ ଦେବାପାଇଁ କହିଛନ୍ତି ।