ମରାଠା ସଂରକ୍ଷଣ ବିବାଦକୁ ନେଇ ସରଗରମ ମହାରାଷ୍ଟ୍ର ରାଜନୀତି, ୨ ଜଣ ସାଂସଦ ଓ ୩ଜଣ ବିଧାୟକ ଦେଲେ ଇସ୍ତଫା

95

କନକ ବ୍ୟୁରୋ : ମରାଠା ସଂରକ୍ଷଣ ବିବାଦକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହେବାରେ ଲାଗିଛି । ଏହି କ୍ରମରେ ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରରୁ ୩ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । କେବଳ ବିଧାୟକ ନୁହଁନ୍ତି ମହାରାଷ୍ଟ୍ରର ୨ଜଣ ସାଂସଦ ମଧ୍ୟ ଇସ୍ତଫା ଦେଇଛନ୍ତି । ସେପଟେ କିଛି ଅଞ୍ଚଳରେ ହିଂସା ଉଗ୍ରରୂପ ନେବାରେ ଲାଗିଛି । ମରାଠା ସଂରକ୍ଷଣ ଆନ୍ଦୋଳନର ମୁଖ୍ୟ ମନୋଜ ଜାରଙ୍ଗେ ଅନଶନ ଜାରି ରଖିଛନ୍ତି । ଏହି ମାମଲାରେ ଏକନାଥ ସିନ୍ଦେ ସରକାରଙ୍କୁ ଆଉ ସମୟ ଦେବାକୁ ସେ ମନା କରିଛନ୍ତି ।

ମରାଠା ସଂରକ୍ଷଣକୁ ସମର୍ଥନ କରି ହିଙ୍ଗୋଲି ଶିବସେନା (ସିନ୍ଦେ ଗୋଷ୍ଠୀ) ର ସାଂସଦ ହେମନ୍ତ ପାଟିଲ ଇସ୍ତଫା ଦେଇଛନ୍ତି । ଏହାସହ ନାସିକର ସାଂସଦ ହେମନ୍ତ ଗଡସେ ମଧ୍ୟ ଇସ୍ତଫା ଦେଇଛନ୍ତି । ସେହିଭଳି ବୈଜାପୁର ବିଧାୟକ ରମେଶ ବୋରନାରେ, ପରମଣୀର କଂଗ୍ରେସ ବିଧାୟକ ସୁରେଶ ବାଇପୁଡକର ଓ ଗେବରାଇର ବିଜେପି ବିଧାୟକ ଲକ୍ଷ୍ମଣ ପାୱାର ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ।

ଏହି ମାମଲାରେ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ କହିଛନ୍ତି କି ମରାଠା ସଂରକ୍ଷଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବୈଠକ ଡାକିଥିଲେ ସେତେବେଳେ ଜଣେ ଉପମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ବୈଠକରେ ଉପସ୍ଥିତ ରହିଲେ ନାହିଁ । ଅନ୍ୟ ଜଣେ ଉପ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର ପାଇଁ ବାହାରିଗଲେ । ଏହାସହ ଉଦ୍ଧବ ଠାକରେ କହିଛନ୍ତି କି ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ସଂସଦରେ ବିଶେଷ ଅଧିବେଶନର କରିବାକୁ କେନ୍ଦ୍୍ର ସରକାରଙ୍କ ଉପରେ ଚାପ ପକାଇବା ଜରୁରୀ ।